ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାରରେ ଆସିବେ ସୋନିଆ !

ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାରରେ ଆସିବେ ସୋନିଆ !

ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାରରେ ଆସିବେ ସୋନିଆ !
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ହୋଇଯାଇଛି । ଗୋଟିଏ ପଟେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଥିବାବେଳେ କଂଗ୍ରେସ ନିଜର ସମ୍ମାନ ରଖିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି । ରାଜନୈତିକ ବିଶ୍ଳେଷକଙ୍କ ମତରେ ବିଜେଡି ଭୋଟ ବ୍ୟବଧାନ ବଢାଇବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ବିଜେପି ପୂର୍ବ ଦୁଇ ପରାଜୟର ପ୍ରତିଶୋଧ ନେବା ପାଇଁ ଯୋଜନା କରିଛି । ଅପରପକ୍ଷରେ କଂଗ୍ରେସ ନିଜର ଅମାନତ ରକ୍ଷା କରିବା ପାଇଁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ପ୍ରାରମ୍ଭରେ କଂଗ୍ରେସ ଏହି ଉପନିର୍ବାଚନକୁ ସେଭଳି ଗୁରୁତ୍ୱ ଦେଉନଥିବା କୁହାଯାଉଥିଲା । କିନ୍ତୁ କଂଗ୍ରେସ ପକ୍ଷରୁ ଜାରି ଷ୍ଟାର ପ୍ରଚାରକଙ୍କ ତାଲିକାରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ରାହୁଲ, ପ୍ରିୟଙ୍କା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନାମ ମଧ୍ୟ ରହିଛି । ଫଳରେ କଂଗ୍ରେସ କର୍ମୀ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି । ତେବେ ସତରେ ସୋନିଆ ଆସିବେ ନା ଦଳର ସଭାପତିଭାବେ ତାଙ୍କ ନାମକୁ କେବଳ ରଖା ଯାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏଠାରେ ସୂଚାଇ ଦିଆଯାଇପାରେ ସାଧାରଣତଃ ଜାତୀୟ ଦଳର ସଭାପତିମାନେ ଉପନିର୍ବାଚନଗୁଡ଼ିକରେ ପ୍ରଚାର କରନ୍ତି ନାହିଁ । ଅପରପକ୍ଷରେ ବିଜେପି ତାଲିକାରେ କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡାଙ୍କ ନାମ ମଧ୍ୟ ରହିଛି । ତେବେ ତାଙ୍କ ଆସିବା ନେଇ ମଧ୍ୟ ସ୍ୱାଭାବିକଭାବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।