ବିରଳ ଉଦାହରଣ ସୃଷ୍ଟି କଲେ ଅପରାଜିତା

ବିରଳ ଉଦାହରଣ ସୃଷ୍ଟି କଲେ ଅପରାଜିତା

ବିରଳ ଉଦାହରଣ ସୃଷ୍ଟି କଲେ ଅପରାଜିତା
ଭୁବନେଶ୍ୱର : ପ୍ରଶାସିକାରୁ ରାଜନେତା ପାଲଟିଥିବା ଅପରାଜିତା ଷଡ଼ଙ୍ଗୀ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି । ବିଶେଷକରି ଅପରାଜିତାଙ୍କ ସାଂସଦ ପ୍ରତିନିଧିଙ୍କ ତାଲିକା ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ସାଂସଦ ପ୍ରତିନିଧି ଭାବେ ସାଧାରଣତଃ ଜଣେ ଜଣେ ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଥାଏ । କିନ୍ତୁ ଟାଣୁଆ ବିଧାୟକ ପ୍ରାର୍ଥୀମାନଙ୍କୁ ସାଂସଦ ପ୍ରତିନିଧି ଭାବେ ଦାୟିତ୍ୱ ଦେବାର କ୍ୱଚିତ ଉଦାହରଣ ଦେଖିବାକୁ ମିଳିଥାଏ । କିନ୍ତୁ ଅପରାଜିତାଙ୍କ ସାଂସଦ ପ୍ରତିନିଧି ତାଲିକାରେ ବିଜେପିର ପରାଜିତ ବିଧାୟକ ପ୍ରାର୍ଥୀମାନେ ସ୍ଥାନ ପାଇଛନ୍ତି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଶଶାଙ୍କ ଶେଖର ସାହୁଙ୍କୁ ଦାୟିତ୍ୱ ଦେଇଛନ୍ତି ଅପରାଜିତା । ଯେତେବେଳେକି ଏକାମ୍ର ନିର୍ବାଚନମଣ୍ଡଳୀରେ ବାବୁ ସିଂହ, ଉତରରେ ଦେବାଶିଷ ନାୟକ, ଭୁବନେଶ୍ୱର ମଧ୍ୟମ ପାଇଁ ଜଗନ୍ନାଥ ପ୍ରଧାନ, ଖୋର୍ଦ୍ଧା ସକାଶେ କାଳୁ ଖଣ୍ଡାୟତିରାୟ, ବେଗୁନିଆ ନିମନ୍ତେ ଋଷଭ ନନ୍ଦ ଓ ଜଟଣୀ ପାଇଁ ବିଶ୍ୱରଂଜନ ବଡ଼ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜନୀତିକୁ ଭଲ ଭାବେ ଅନୁଶୀଳନ କରୁଥିବା ବ୍ୟକ୍ତିମାନେ ନିଶ୍ଚିତ ଭାବେ ଜାଣିଛନ୍ତି ସାଂସଦ ପ୍ରତିନିଧିମାନେ ସେଭଳି କୌଣସି କ୍ଷମତାର ଅଧିକାରୀ ନୁହଁନ୍ତି । ସେମାନେ କେବଳ ବ୍ଲକ ବା ଜିଲ୍ଲା ବୈଠକରେ ହିଁ ପ୍ରତିନିଧିତ୍ୱ କରିଥା’ନ୍ତି । ଯଦିଓ ସେମାନେ ସାଂସଦଙ୍କ ପ୍ରତିନିଧି, ତଥାପିବି ବୈଠକରେ ସେମାନଙ୍କ ମନ୍ତବ୍ୟକୁ ସେତେଟା ଗୁରୁତ୍ୱ ଦିଆଯାଇନଥାଏ । ଆଉ ଏହି ପଦବୀ ନେବାକୁ ସାଧାରଣତଃ ନିର୍ବାଚନମଣ୍ଡଳୀର ଟାଣୁଆ ନେତାମାନେ ଆଗ୍ରହ ପ୍ରକାଶ କରିନଥା’ନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ବିଜେପିର ଟାଣୁଆ ବିଜେପି ନେତାମାନେ ଏହି ଦାୟିତ୍ୱକୁ ଗ୍ରହଣ କରିନେଇଛନ୍ତି । ପୁଣି ସେମାନେ ଗତ ନିର୍ବାଚନରେ ଲଢ଼ି ଭଲ ଭୋଟ ମଧ୍ୟ ହାସଲ କରିଛନ୍ତି । ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ଏହା ଏକ ଗୌଣ ଦାୟିତ୍ୱ ବୋଲି କହିଲେ ଭୁଲ ହେବନାହିଁ । ତେବେ ଏହାଦ୍ୱାରା ଅପରାଜିତା ଏକ ଭଲ ବାର୍ତା ଦେବାରେ ସମର୍ଥ ହୋଇଛନ୍ତି । ସାଧାରଣତଃ ସାଂସଦ ଓ ବିଧାୟକ ପ୍ରାର୍ଥୀ କିମ୍ବା ବିଧାୟକଙ୍କ ମଧ୍ୟରେ ବିବାଦ କିଛି ନୂଆ କଥା ନୁହେଁ । ତେବେ ଏହାଦ୍ୱାରା ଟିମ ଅପରାଜିତା ଷ୍ଟ୍ରଙ୍ଗ ବୋଲି ସେ ବାର୍ତା ଦେଇ ତାଙ୍କ ବିରୋଧୀମାନଙ୍କୁ ଚକମା ଦେବାରେ ସମର୍ଥ ହୋଇଛନ୍ତି ବୋଲି କୁହାଯାଇପାରିବ ।