ବୌଦ୍ଧ ଜିଲ୍ଳାରେ ନିର୍ବାଚନ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ, ବୁଥ ଅଭିମୁଖେ କର୍ମଚାରୀ

ବୌଦ୍ଧ ଜିଲ୍ଳାରେ ନିର୍ବାଚନ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ, ବୁଥ ଅଭିମୁଖେ କର୍ମଚାରୀ

ବୌଦ୍ଧ ଜିଲ୍ଳାରେ ନିର୍ବାଚନ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ, ବୁଥ ଅଭିମୁଖେ କର୍ମଚାରୀ
ବୌଦ୍ଧ : ଆସନ୍ତା ୧୮ ତାରିଖ ଦିନ ବୌଦ୍ଧ ଜିଲ୍ଳାରେ କନ୍ଧମାଳ ଲୋକସଭା, ବୌଦ୍ଧ ଓ କଂଟାମାଳ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ କରାଯିବ । ବୌଦ୍ଧ ଜିଲ୍ଳାରେ ଭୋଟଗ୍ରହଣ କାର୍ଯ୍ୟକୁ ସୂଚାରୁ ସଂପାଦନ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ମତଦାନରେ ନିୟୋଜିତ କର୍ମଚାରୀମାନେ ମତଦାନ ପାଇଁ ଆବଶ୍ୟକ ଆନୁସଙ୍ଗିକ ସାମଗ୍ରୀ ଓ ଇଭିଏମ୍ ମେସିନ ଧରି ବୁଥ ଅଭିମୁଖେ ବାହାରିବାକୁ ଆରମ୍ଭ କରିଛନ୍ତି । ଆଜି ରାତି ସୁଦ୍ଧା ସମସ୍ତ ବୁଥରେ କର୍ମଚାରୀମାନେ ପହଂଚିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଭୋଟ ଭିକ୍ଷା ପାଇଁ ଦିନରାତି ଗଳାଫଟା ଚିତ୍କାର କରୁଥିବା ସମସ୍ତ ପ୍ରଚାର ଗାଡି ଆଜି ସଂନ୍ଧ୍ୟାରୁ ଶାନ୍ତ ହୋଇଯିବା ପରେ ସାଧାରଣ ଲୋକେ କିଛିଟା ଆଶ୍ୱସ୍ତି ଅନୁଭବ କରୁଛନ୍ତି । ଖୋଲାଖୋଲି ପ୍ରଚାର ବନ୍ଦ ହୋଇଯିବା ପରେ ଏବେ ନେତାମାନଙ୍କ ଅନ୍ଧାରୀ ବିଜେ ଆରମ୍ଭ ହୋଇଛି । ସାଧାରଣତଃ ଏହି ଅନ୍ଧାରୀ ବିଜେ ନିର୍ବାଚନନେଇ ପୂର୍ବରୁ ହୋଇଥିବା ସମସ୍ତ ଆକଳନକୁ ଓଲଟାଇ ନୂତନ ଫଳାଫଳ ଦେଖାଇଥାଏ ବୋଲି ଅନେକ ରାଜନୈତିକ ବିଶେଷଜ୍ଞମାନେ କହିଥାଆନ୍ତି । ଚଳିତ ନିର୍ବାଚନ ପାଇଁ ଜିଲାର ଭୋଟର ତାଲିକା ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଥିବାବେଳେ କଂଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ୧,୬.୫୪୭ ଜଣ ମତଦାତା ରହିଛନ୍ତି । ସେମାନଙ୍କ ମଧ୍ୟରୁ ୮୦,୧୮୭ ଜଣ ମହିଳା ମତଦାତା ରହିଥିବାବେଳେ ୮.୩୬୦ଜଣ ପୁରୁଷ ମତଦାତା ରହିଛନ୍ତି । ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ୧,୫୩.୬୮୮ ଜଣ ମତଦାତାଙ୍କ ନାମ ତାଲିକାଭୁକ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୭୧,୬୬୫ ଜଣ ମହିଳା ଓ ୮୨.୦୧୭ ଜଣ ପୁରୁଷ ମତଦାତା ରହିଛନ୍ତି । ବୌଦ୍ଧ ପାଇଁ ୧୯୪ ଓ କଂଟାମାଳ ପାଇଁ ୨୧୭ ଏହିପରି ମୋଟ ୪୧୧ ଟି ବୁଥରେ ମତଦାନ କରାଯିବ । ଜିଲାରେ ୫୭ ଟି ବୁଥକୁ ଅତି ସମ୍ବେଦନଶୀଳ ଭାବରେ ଚିହ୍ନଟ କରାଯାଇଥିବାବେଳେ ସେଥିମଧ୍ୟରୁ ବୌଦ୍ଧରେ ୩୧ଟି ଓ କଂଟାମାଳରେ ୨୬ ଟି ବୁଥ ରହିଛି । ସେହିପରି ଜିଲାରେ ୧୧୫ ଟି ବୁଥକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଥିବାବେଳେ ସେଥିମଧ୍ୟରୁ ବୌଦ୍ଧରେ ୫୨ ଟି ଓ କଂଟାମାଳରେ ୬୩ ଟି ବୁଥ୍ ରହିଛି । ଜିଲାରେ ବୌଦ୍ଧ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଠାରେ ଦୁଇଟି ମଡେଲ ବୁଥ ନିର୍ମାଣ କରାଯାଇଥିବାବେଳେ ଏହି ବୁଥରେ ମହିଳାମାନେ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ ହେବେ । ନିର୍ବାଚନ ପରିଚାଳନା ପାଇଁ ସମୁଦାୟ ୨୭୧୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ନିର୍ବାଚନ କାର୍ଯ୍ୟ ତଦାରଖ ପାଇଁ ୫୧ ଜଣ ସେକ୍ଟର ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ନିର୍ବାଚନ ପରିଚାଳନା ପାଇଁ କର୍ମଚାରୀମାନେ ଯିବାକୁ ଏଥର ଖୋଲାଛାତ ଗାଡିକୁ ବାଦ୍ ଦେଇ ବସ୍ ଓ ଅନ୍ୟ ଛୋଟ ଗାଡିର ବ୍ୟବସ୍ଥା କରାଯାଇଛି । ୮୦ ଗୋଟି ବୁଥରେ ସିସି ଟିଭି ବ୍ୟବସ୍ଥା କରାଯାଇଛି । ଜିଲାରେ ୨୭୮୮ ଜଣ ଭିନ୍ନକ୍ଷମ ମତଦାତାଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ପାଇଁ ବୁଥ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭିନ୍ନକ୍ଷମ ମତଦାତାମାନଙ୍କ ପାଇଁ ମାଗଣା ଯାନ ବ୍ୟବସ୍ଥା କରାଯିବା ସହିତ ସେମାନଙ୍କୁ ସହଯୋଗ କରିବା ପାଇଁ ପ୍ରତି ବୁଥରେ ଦୁଇଜଣ ଲେଖାଏଁ ଭଲ୍ୟୁଂଟିୟରଙ୍କୁ ନିୟୋଜିତ କରାଯିବ । ଏଥିପାଇଁ ବୁଥ ଗୁଡିକରେ ହୁଇଲ ଚେୟାର ବ୍ୟବସ୍ଥା କରାଯିବା ସହିତ ୪୫୦ଟି ଯାନକୁ ନିୟୋଜିତ କରାଯିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବୁଥରେ ପାନୀୟଜଳ ଓ ଟେଂଟର ବ୍ୟବସ୍ଥା କରାଯାଇଛି । ଏଥର ନିର୍ବାଚନରେ ପ୍ରତ୍ୟେକ ବୁଥକୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି । ତେଣୁ ନିର୍ବାଚନରେ ନିୟୋଜିତ କର୍ମଚାରୀମାନଙ୍କୁ ଆଉ ଚାଲି ଚାଲି ଯିବାକୁ ପଡିବନାହିଁ । ନିର୍ବାଚନ ପୂର୍ବରୁ ଇଭିଏମ ଓ ଭିଭିପାଟ ଗୁଡିକୁ ଶେଷଥର ପାଇଁ କମିଶନିଂ କରାଯାଇଛି । ମତଦାନ ସଚେତନତା ପାଇଁ ପ୍ରତ୍ୟେକ ଗ୍ରାମରେ ମତଦାନ ସଚେତନତା ରଥ ପରିକ୍ରମା କରିବା ସହିତ ବୁଥସ୍ତରୀୟ ଅଧିକାରୀମାନଙ୍କ ଜରିଆରେ ଭୋଟର ସ୍ଲିପ ପ୍ରଦାନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ମଧ୍ୟରୁ ୧୮୪୭ ଜଣ କର୍ମଚାରୀ ପୋଷ୍ଟାଲ ବେଲଟ ସାହାଯ୍ୟରେ ତାଙ୍କର ମତାଧିକାର ସାବ୍ୟସ୍ତ କରିସାରିଛନ୍ତି । ସୂଚନା ମୁତାବକ, ୯୨୪ ଜଣ ଲୋକସଭା ପାଇଁ, ୪୬୪ ଜଣ କଂଟାମାଳ ବିଧାନସଭା ପାଇଁ ଓ ୪୫୯ ଜଣ ବୌଦ୍ଧ ବିଧାନସଭା ପାଇଁ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି । ବୌଦ୍ଧ ପଂଚାୟତ କଲେଜରୁ ନିର୍ବାଚନ ପରିଚାଳନା ପାଇଁ କର୍ମଚାରୀମାନଙ୍କୁ ଇଭିଏମ ଓ ଭିଭିପାଟ ସହ ପଠାଯିବ ଓ ମତଦାନ ସଂଗ୍ରହ ପରେ ପୁଣିଥରେ ସେଠାରେ ସଂଗ୍ରହ କରି ଇଭିଏମ ଗୁଡିକୁ ରଖାଯିବ । ଉଭୟ ନିର୍ବାଚନ ମଣ୍ଡଳୀରେ ସାଧାରଣ ପର୍ଯ୍ୟବେକ୍ଷକ ଓ ପ୍ରାର୍ଥୀଙ୍କ ଖର୍ଚ୍ଚ ଉପରେ ପର୍ଯ୍ୟବେକ୍ଷକମାନେ ସତର୍କ ଦୃଷ୍ଟି ରଖିଛନ୍ତି । ଆବଶ୍ୟକ ସ୍ଥଳେ ସମସ୍ତ ପ୍ରକାର ଜରୂରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ଜିଲାପାଳ ସିତାଶୁଂ କୁମାର ରାଉତ ସୂଚନା ଦେଇଛନ୍ତି ।