ବଡ଼ ପରଦାରେ ଆଶା

ବଡ଼ ପରଦାରେ ଆଶା

ବଡ଼ ପରଦାରେ ଆଶା
ଗତବର୍ଷ ଛୋଟପରଦାରୁ ଏକାଧିକ କଳାକାର ବଲିଉଡ଼କୁ ଯାଇଛନ୍ତି । ଏମାନଙ୍କ ମଧ୍ୟରେ ମୌନୀ ରାୟ, ନିକିତା ଦତ୍ତ, ଦିପିକା ସିଂହ, ଗୁରମିତ ଚୌଧୁରୀ, ଅଙ୍କିତା ଲୋଖଣ୍ଡେ ପ୍ରମୁଖ । ଏବେ ଏହି ତାଲିକାରେ ସାମିଲ ହେବାକୁ ଯାଉଛନ୍ତି ଆଶା ନେଗୀ । ଧାରାବାହିକ ‘ପବିତ୍ର ରିସ୍ତା’ରେ ଅଭିନୟ କରି ପରିଚିତ ହୋଇଥିବା ଆଶା ବଡ଼ ପରଦାରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ପ୍ରସ୍ତୁତ । ଅନୁରାଗ ବାସୁଙ୍କ ଚଳଚ୍ଚିତ୍ର ‘ମେଟ୍ରୋ-୨’ରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି ସେ । ଏଥିରେ ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ସେ ଅଭିନୟ କରିବେ । ଏଥିପାଇଁ ୨ ଦିନର ଶୁଟିଂ ମଧ୍ୟ କରିସାରିଛନ୍ତି । ଏହି ଚଳଚ୍ଚିତ୍ରରେ ଅଭିଷେକଙ୍କ ସହ ରାଜକୁମାର ରାଓ ମଧ୍ୟ ପ୍ରମୁଖ ଭୂମିକାରେ ଆସୁଛନ୍ତି । ଶେଷଥର ପାଇଁ ତାଙ୍କୁ ‘କୁଚ୍ଛ ତୋ ହେ ତେରେ ମେରେ ଦରମିଆଁ’ ଧାରାବାହିକରେ ଦେଖାଯାଇଥିଲା । ପ୍ରାୟ ୩ ବର୍ଷ ଅଭିନୟରୁ ଦୂରେଇ ରହିବା ପରେ ସେ ୱେବ ସିରିଜ ‘ବାରିଶ’ ରେ ଅଭିନୟ କରିଥିଲେ । ଆଉ ଟିଭି ଧାରାବାହିକରେ ଅଭିନୟ କରିବାକୁ ଚାହୁଁନାହାନ୍ତି ଆଶା । କାରଣ ତାଙ୍କର ଅଧିକାଂଶ ଶୋ ମାତ୍ର କେଇ ମାସ ମଧ୍ୟରେ ବନ୍ଦ ହୋଇଯାଇଥିଲା । ଏହି କାରଣରୁ ସେ ଅବସାଦଗ୍ରସ୍ତ ହୋଇପଡ଼ିଥିଲେ । ଏହି ଦୀର୍ଘଦିନର ବିରତି ପରେ କେବଳ ୱେବ ଶୋ’ ଏବଂ ବଲିଉଡ଼ରେ ନିଜ କ୍ୟାରିୟର ଗଢ଼ିବା ପ୍ରତି ଦୃଷ୍ଟି ଦେବେ ବୋଲି ସେ କହିଛନ୍ତି । ତାଙ୍କର ପ୍ରଥମ ସୋ ପବିତ୍ର ରିସ୍ତା ସୁପରହିଟ୍ ହୋଇଥିଲା । ହେଲେ ଏହା ପରେ ଅଭିନୟ କ୍ଷେତ୍ରରେ କ୍ୟାରିୟର ଗଢ଼ିବା ପାଇଁ ତାଙ୍କୁ କାଠିକର ପାଠ ହୋଇପଡ଼ିଲା । ଏହି ସମୟରେ ସେ ପୁରା ଭାଙ୍ଗି ପଡ଼ିଲେ ଏବଂ ଅବସାଦ ଗ୍ରସ୍ତ ହୋଇଗଲେ । ତେବେ ଜୀବନର ସଂଘର୍ଷରୁ ସେ ଶିଖିଛନ୍ତି ଯେ କେବେ ନିଜ ସଫଳତା କି ବିଫଳତା ଉପରେ ନିର୍ଭରଶୀଳ ରହିବା ଉଚିତ ନୁହେଁ । ପ୍ରତ୍ୟେକ ସ୍ଥିତିରେ ଖୁସି ହୋଇପାରିବା କଳା ଶିଖିଲେ ଜୀବନରେ ଦୁଃଖ କେବେ ଆକ୍ରାନ୍ତ କରିବ ନାହିଁ ।