ଭାରତର ହ୍ୟାଟ୍ରିକ ପରାଜୟ ...

ଭାରତର ହ୍ୟାଟ୍ରିକ ପରାଜୟ ...

ଭାରତର ହ୍ୟାଟ୍ରିକ ପରାଜୟ ...
ମୁମ୍ବାଇ - ଦୁଇ ଓପନର ଅଧିନାୟକ ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣରଙ୍କ ଅପରାଜିତ ଶତକ ସହାୟତାରେ ଏଠାରେ ମଙ୍ଗଳବାର ଅନୁଷ୍ଠିତ ଭାରତ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚକୁ ଅଷ୍ଟ୍ରେଲିଆ ୧୦ ୱିକେଟରେ ଜିତିନେଇଛି। ଏହା ଫଳରେ ଭ୍ରମଣକାରୀ ଦଳ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଛି। ସିରିଜର ଦ୍ୱିତୀୟ ମୁକାବିଲା ରାଜକୋଟରେ ଆସନ୍ତା ୧୭ ତାରିଖ ଦିନ ଖେଳାଯିବ। ଏହି ମ୍ୟାଚରେ ୧୧୨ଟି ବଲ ଖେଳି ୧୭ ଚୌକା ଓ ୩ ଛକା ସହ ୧୨୮ ରନ୍ କରି ଶେଷଯାଏ ଅପରାଜିତ ରହିଥିବା ୱାର୍ଣ୍ଣରଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚଟି ସମ୍ପୂର୍ଣ୍ଣ ଏକତରଫା ହୋଇଥିଲା ଏବଂ ସମସ୍ତ ବିଭାଗରେ ଅଷ୍ଟ୍ରେଲିଆ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଏଥିରେ ପ୍ରଥମେ ବ୍ୟାଟିଂ କରି ଭାରତ ୪୯.୧ ଓଭରରେ ମାତ୍ର ୨୫୫ ରନ୍ କରି ଅଲ୍ଆଉଟ ହୋଇଯାଇଥିଲା। ଜବାବରେ ଅଷ୍ଟ୍ରେଲିଆ ମାତ୍ର ୩୭.୪ ଓଭରରେ କୌଣସି ୱିକେଟ ନ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚଥିଲା। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମଙ୍ଗଳବାର ଭାରତ ୧୦ ୱିକେଟର ବୃହତ୍ ବ୍ୟବଧାନରେ ହାରିବା ଫଳରେ ଏଠାରେ ପରାଜୟରେ ହ୍ୟାଟ୍ରିକ୍ କରିଛି। ଗତ ୨୦୧୫ରେ ସାଉଥ୍ ଆଫ୍ରିକା ବିପକ୍ଷରେ ଦଳ ୨୧୪ ରନ୍ରେ ହାରିଥିବା ବେଳେ ୨୦୧୭ରେ ନ୍ୟୁଜିଲାଣ୍ଡ୍ଠାରୁ ୬ ୱିକେଟରେ ପରାସ୍ତ ହୋଇଥିଲା। ଦିନିକିଆରେ ୧୦ ୱିକେଟ୍ ବ୍ୟବଧାନରେ ବିଜୟ କ୍ଷେତ୍ରରେ ଏହା ଦ୍ୱିତୀୟ ସର୍ବାଧିକ। ଗତ ୨୦୧୭ରେ ସାଉଥ୍ ଆଫ୍ରିକା ବାଂଲାଦେଶ ବିପକ୍ଷରେ ୨୭୯ ରନ୍ କରି ୧୦ ୱିକେଟ୍ରେ ଜିତିଥିବା ବେଳେ ଅଦ୍ୟାବଧି ଏହା ରେକର୍ଡ ରହିଛି।