ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଭିଡିଓ ଭାଇରାଲ ଘଟଣା,ପ୍ରକୃତିଙ୍କ ଉପରେ ଦୋଷ ଲଦିଲେ ଏଲିନା
ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଭିଡିଓ ଭାଇରାଲ ଘଟଣା,ପ୍ରକୃତିଙ୍କ ଉପରେ ଦୋଷ ଲଦିଲେ ଏଲିନା
admin
Dec 16, 2019 - 09:23
Updated: Dec 16, 2019 - 09:23
ଭୁବନେଶ୍ୱର - ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଭିଡିଓ ଭାଇରାଲ ଘଟଣାରେ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ ପ୍ରକୃତି ମିଶ୍ର ଅକଳରେ ପଡ଼ିଛନ୍ତି । ତେବେ ଏହି ଘଟଣାରେ ତାଙ୍କର କୌଣସି ଦୋଷ ନଥିବାବେଳେ ପରୋକ୍ଷରେ ପ୍ରକୃତିଙ୍କୁ ଦାୟୀ କରିଛନ୍ତି ଏଲିନା । ତାଙ୍କର ଭିଡିଓ କେତେବେଳେ ସୁଟିଂ ହେଲା, କିଏ କଲା ସେ ଜାଣିନଥିଲେ । ଏବେ ମିଡିଆରେ ସେ ଏହା ଜାଣିବାକୁ ପାଉଛନ୍ତି । ଅନୁମତି ନେଇ ସେ ନିଷିଦ୍ଧାଞ୍ଚଳକୁ ଯିବା ସହ ପ୍ରକୃତିକୁ ଉପଭୋଗ କରୁଥିଲେ ବୋଲି ଏଲିନା କହିଛନ୍ତି ।
ସିଧାସଳଖଭାବେ ସେ ପ୍ରକୃତିଙ୍କ ନାମ ନନେଇଥିଲେ ମଧ୍ୟ ପରୋକ୍ଷରେ ପ୍ରକୃତିଙ୍କୁ ଟାର୍ଗେଟ କରିଛନ୍ତି । ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଏଲିନା କହିଛନ୍ତି ଯେ, ତାଙ୍କ ସୋସିଆଲ ମିଡିଆଆକାଉଣ୍ଟରୁ ଏହା ଛଡ଼ା ଯାଇନାହିଁ । ଭିଡିଓ ଉତ୍ତୋଳନ ବେଳେ ସାଧାରଣତଃ ଅନୁମତି ନେବା କଥା । କିନ୍ତୁ ତାଙ୍କର ଅଜାଣତରେ ଏହି ଭିଡିଓ ସୁଟିଂ କରାଯାଇଛି । ଜଣେ ଦାୟିତ୍ୱ ସମ୍ପନ୍ନ ଅଭିନ୍ରେତୀଭାବେ ଆଗକୁ ସେ ଏଥିପ୍ରତି ସଚେତନ ହେବେ ବୋଲି କହିଛନ୍ତି । ହୀରାକୁଦ ନିଷିଦ୍ଧାଞ୍ଚଳର ଏହି ଭିଡିଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଇନଷ୍ଟ୍ରା ଗ୍ରାମରେ ପ୍ରସାରିତ କରାଯାଇଥିଲା । ତେବେ ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେହି ଭିଡିଓଟିକୁ ପ୍ରକୃତି ହଟାଇ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଶନିବାର ଓଡ଼ିଆ ସିନେମା ଜଗତର ତିନି ଜଣ ଅଭିନେତ୍ରୀ ସମ୍ବଲପୁର ଆସିଥିବାବେଳେ ଡ୍ୟାମ ଉପର ଦେଇ ହୀରାକୁଦ ପଟରୁ ବୁର୍ଲା ପଟକୁ ଆସିଥିଲେ । ତେବେ ସେମାନେ ଡ୍ୟାମ ଉପରେ ଗାଡ଼ି ଅଟକାଇ ଫଟୋ ଓ ଭିଡିଓ ସୁଟିଂ କରିଥିଲେ । ପରେ ଜଣେ ଅଭିନେତ୍ରୀ ଏହି ଭିଡିଓକୁ ଇନଷ୍ଟ୍ରାଗ୍ରାମରେ ଛାଡ଼ିଥିଲେ । ଏହି ଭିଡିଓରେ ସମ୍ପୃକ୍ତ ଅଭିନେତ୍ରୀ ‘ଆଇ ଆମ ଆଟ ହୀରାକୁଦ ଡ୍ୟାମ..’ ସ୍ପଷ୍ଟ ଭାବେ କହୁଥିବା ଦେଖିବାକୁ ମିଳିଥିଲା ।
ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ବନ୍ଧ ସୁରକ୍ଷା କର୍ତ୍ତୃପକ୍ଷଙ୍କ ଚେତାପଶିଛି । ସମ୍ପୃକ୍ତ ଅଭିନେତ୍ରୀ ମଧ୍ୟ ଏହି ଭିଡିଓକୁ ଇନଷ୍ଟ୍ରାଗ୍ରାମରୁ କାଢି ନେଇଛନ୍ତି ।