କରୋନା ପାଇଁ ପାଠ୍ୟକ୍ରମ କମିବ
କରୋନା ପାଇଁ ପାଠ୍ୟକ୍ରମ କମିବ
admin
Jul 22, 2020 - 11:03
Updated: Jul 22, 2020 - 11:03
ଭୁବନେଶ୍ୱର : କରୋନା ଖାଲି ରାଜରାସ୍ତା, ଦୋକାନ କି ଅଫିସରେ ନୁହେଁ, ପାଠପଢ଼ାକୁ ବି ଲକଡାଉନ କରିଦେଇଛି । କରୋନା ପାଇଁ ସବୁ ବିଦ୍ୟାଳୟ ବନ୍ଦ ହୋଇରହିଛି । ଅପ୍ରେଲରୁ ଶିକ୍ଷା ବର୍ଷ ଆରମ୍ଭ ହେଉଥିଲେ ବି ଏଯାଏଁ ସ୍କୁଲ ଖୋଲୁନଥିବାରୁ ପିଲାଙ୍କ ପାଠପଢ଼ା ପଛେଇ ଯାଇଛି । ତେଣୁ ସବୁ ଶ୍ରେଣୀର ପାଠ୍ୟକ୍ରମ ହ୍ରାସ ହେବବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ସେ କହିଛନ୍ତିଯେ, ସ୍କୁଲ କେବେ ଖୋଲିବ ତାହା ସ୍ଥିର କରାଯାଇନାହିଁ । ତେବେ ପାଠ୍ୟକ୍ରମ ହ୍ରାସ କରାଯିବ । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନୁମୋଦନ କରିଛନ୍ତି । ଏସସିଇଆରଟି ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମର କାଂଟଛାଟ କରିବେ । ସେହିପରି ସିଏଚଏସଇ ଯୁକ୍ତ ଦୁଇ ପାଠ୍ୟକ୍ରମ ହ୍ରାସ କରାଇବେ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।
ସମ୍ପ୍ରତି ବେସରକାରୀ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅନଲାଇନ ମାଧ୍ୟମରେ ପାଠ ପଢ଼ାଉଛନ୍ତି । ଏଥିପାଇଁ ବୈଷୟିକ ପ୍ରଯୁକ୍ତିର ସହାୟତା ନିଆଯାଉଛି । ତେବେ ସରକାରୀ ସ୍କୁଲରେ ଅନଲାଇନ ବ୍ୟବସ୍ଥା କରାଯାଇଥିଲା ବେଳେ ସେଥିରେ ପାଠପଢ଼ା ସମ୍ଭବପର ହେଉନାହିଁ । କେବଳ ହୋମୱାର୍କ ହିଁ ଦିଆଯାଉଛି । ଅପ୍ରେଲରୁ ଜୁଲାଇ, ୪ ମାସ ହେଲା ସ୍କୁଲ ବନ୍ଦ ହୋଇଛି । କେବେ ସ୍କୁଲ ଖୋଲିବ, ତାହା ବି ସ୍ଥିର କରାଯାଇନାହିଁ । ଫଳରେ ପାଠ୍ୟକ୍ରମ ହ୍ରାସ କରି ଛାତ୍ରଛାତ୍ରୀଙ୍କ ବୋଝ ହାଲକା କରିବାକୁ ସରକାର ଯୋଜନା କରିଛନ୍ତି ।