ଡମ୍ପିଂୟାର୍ଡ ବିବାଦ: ୯ମାସ ସମୟ ନେଲେ ରାଜ୍ୟ ସରକାର

ଡମ୍ପିଂୟାର୍ଡ ବିବାଦ: ୯ମାସ ସମୟ ନେଲେ ରାଜ୍ୟ ସରକାର

ଡମ୍ପିଂୟାର୍ଡ ବିବାଦ: ୯ମାସ ସମୟ ନେଲେ ରାଜ୍ୟ ସରକାର

ଭୁବନେଶ୍ୱର: ପ୍ରାୟ ୨୦ଦିନ ହେବ ଦାରୁଠେଙ୍ଗ ଡମ୍ପିଂଆର୍ଡରେ ଅଳିଆ ଆବର୍ଜନା ପଡ଼ି ପାରୁନଥିବାରୁ ରାଜଧାନୀ ଭୁବନେଶ୍ୱରରେ ପରିମଳ ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇପଡ଼ିଛି । ତେବେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗରେ ସମାଧାନର ବାଟ ବାହାରିଛି । ଦାରୁଠେଙ୍ଗ ବାସିନ୍ଦାଙ୍କ ଦାବିକୁ ସରକାର ଗ୍ରହଣ କରି ଆଗାମୀ ୯ମାସ ମଧ୍ୟରେ ଏସବୁର ପୂର୍ଣ୍ଣକାଳୀନ ସମାଧାନ ହେବ ଓ ସେ ପର୍ୟ୍ୟନ୍ତ ଅଳିଆ ସେହି ଡମ୍ପିଂୟାର୍ଡରେ ପଡ଼ିବ ବୋଲି ଜଣାପଡ଼ିଛି ।


ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ନେଇ ଚାଲିଥିବା ବିବାଦର ସମାଧାନ ବାହାରିଛି । ଦାରୁଠେଙ୍ଗ ଗ୍ରାମବାସୀଙ୍କର ସମସ୍ତ ଦାବିକୁ ସରକାର ଶୁଣିଛନ୍ତି ଓ ସେସବୁ ଖୁବଶୀଘ୍ର ସମାଧାନ କରାଯିବ । ତେବେ ସେମାନଙ୍କର ଅଭିଯୋଗର ସମାଧାନ ପାଇଁ ବିଏମସି ୯ମାସ ସମୟ ନେଇଛି । ଆମେ ଏହି ଅବଧି ପୂର୍ବରୁ ସେମାନଙ୍କର ଦାବିକୁ ପୂରଣ କରିବାକୁ ପଦକ୍ଷେପ ନେଉଛୁ ବୋଲି ଶ୍ରୀମତୀ ଉଷା ଦେବୀ କହିଛନ୍ତି ।


ସେହିପରି ବୈଠକରେ ସାମିଲ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସମାଧାନ ବାଟ ବାହାରିଛି । ବିଏମସି ଏବେ ଏକ ଡ୍ରାଫ୍ଟ ପ୍ରସ୍ତାବ ପ୍ରସ୍ତୁତ କରୁଛି । ଯାହାକି ଦାରୁଠେଙ୍ଗ ଗାଁ ଲୋକଙ୍କ ଦାବିକୁ ସମାଧାନ କରିବ । ପରେ ଲୋକଙ୍କ ସହ ସେସବୁ ପ୍ରସ୍ତାବ ଉପରେ ଆଲୋଚନା ହେବ ।
ସେହିପରି ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି ଯେ, ବୈଠକ ସଫଳ ହୋଇଛି ଓ ସୌହାର୍ଦ୍ଧ୍ୟମୂଳକ ପରିବେଶରେ ହୋଇଥିଲା । ସେହିପରି ବୈଠକରେ ଉପସ୍ଥିତ ଥିବା ଦାରୁଠେଙ୍ଗ ପଂଚାୟତର ସରପଂଚ ତପନ ଚକ୍ରବର୍ତ୍ତୀ କହିଛନ୍ତି ଯେ, ଆମର ଦାବି ପୂରଣ ହେବ ବୋଲି ବିଏମସି ଓ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ବାୟୋ ମାଇନିଂ ପ୍ରୋସେସରେ ଆବର୍ଜନାମୁକ୍ତ କରାଯିବ ଓ ଭୂଆଁସୁଣୀ ତା’ର ପୂର୍ବ ସ୍ଥିତିକୁ ଫେରିବ ।