ନବୀନଙ୍କୁ ଚାଲିଲା ୭୪
ନବୀନଙ୍କୁ ଚାଲିଲା ୭୪
admin
Oct 16, 2019 - 07:22
Updated: Oct 16, 2019 - 07:22
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । ୭୪ ବର୍ଷରେ ପାଦ ଥାପିବେ ନବୀନ । ଏଥିପାଇଁ ବିଜେଡି କର୍ମକର୍ତ୍ତା ଓ ନବୀନ ପ୍ରେମୀମାନେ ବେଶ ଉତ୍ସାହିତ । ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପାଇଁ ଫୁଲ ବରାଦ ଦେଇ ସାରିଥିଲେ ଅନେକ । ହେଲେ ନବୀନ ସ୍ୱତନ୍ତ୍ର ବାର୍ତ୍ତା ଜରିଆରେ ଜଣାଇ ଦେଇଛନ୍ତି ଏଥର ସେ ଜନ୍ମ ଦିନ ପାଳିବେ ନାହିଁ । ବାତ୍ୟା ଫୋନି ରାଜ୍ୟର ବିପୁଳ କ୍ଷତି କରିଛି । ସେଥିପାଇଁ ସେ ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।
ନବୀନ କହିଛନ୍ତି, ଓଡ଼ିଶାବାସୀ ହେଉଛନ୍ତି ମୋର ପରିବାର । ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲ ପାଇବା ମୋତେ ଋଣୀ କରିଛି । ଜନସାଧାରଣଙ୍କ ଆଶୀର୍ବାଦ ସବୁଠାରୁ ବଡ଼ ପ୍ରେରଣା । ମୁଁ ବହୁତ ଖୁସି ଯେ ଆସନ୍ତାକାଲି ସାରା ରାଜ୍ୟରେ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ବାର୍ତ୍ତା ଜରିଆରେ ନବୀନ ନିଜ ଶୁଭେଚ୍ଛୁ ଓ ଦଳୀୟ କର୍ମୀଙ୍କୁ ନିବେଦନ କରି କହିଛନ୍ତି, ମୋତେ ଜନ୍ମ ଦିନ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ଆସନ୍ତୁ ନାହିଁ । ଏହା ପରିବର୍ତ୍ତେ ନିକଟସ୍ଥ ଅନାଥ ଆଶ୍ରମ ଓ ଭିନ୍ନକ୍ଷମ ପିଲାଙ୍କ ସ୍କୁଲକୁ ଯାଆନ୍ତୁ । ସେମାନଙ୍କ ଭଲ ପାଇଁ କିଛି କାମ କରନ୍ତୁ ।
ସେ କହିଛନ୍ତି କେବଳ ମୋର ଜନ୍ମଦିନ ନୁହେଁ, ଆପଣଙ୍କର ଜୀବନର ସବୁ ସ୍ମରଣୀୟ ଦିନ ଯେମିତିକି ଆପଣଙ୍କ ଜନ୍ମ ଦିନ, ପିଲାମାନଙ୍କର ଜନ୍ମ ଦିନ, ବିବାହ ବାର୍ଷିକୀ ଆଦି ଦିନଗୁଡ଼ିକରେ ଏହି ପିଲାମାନଙ୍କ ପାଖକୁ ଯାଆନ୍ତୁ । ସେମାନଙ୍କ ପାଇଁ କିଛି କରନ୍ତୁ । ଯେତେବେଳେ ଆପଣ ଅନାଥ ଆଶ୍ରମ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ବିଦ୍ୟାଳୟକୁ ଯାଉଛନ୍ତି, ସେତେବେଳେ ସାଥୀରେ ନିଜ ପରିବାର ଓ ପିଲାଙ୍କୁ ନେଇ ଯାଆନ୍ତୁ । ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ । ସେମାନଙ୍କ ଭଲ ପାଇଁ ଆପଣ ଯାହା କିଛି କରିବେ, ତାହା ସବୁଠାରୁ ଅଧିକ ଆନନ୍ଦ ଦେବ ବୋଲି ନବୀନ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ବିଜେଡି ପକ୍ଷରୁ ରାଜ୍ୟର ୫୯ ରୁ ଅଧିକ ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ କରାଯାଇଛି । ଏହି ଅବସରରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ହେବ । ସକାଳ ୯ ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅହରହ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ଛାତ୍ର, ଯୁବ ମହିଳା କର୍ମକର୍ତ୍ତା ସାମିଲ ହେବେ । ୫୦୦ ରୁ ଅଧିକ ରକ୍ତଦାତା ସ୍ୱେଚ୍ଛାକୃତ ରକ୍ତଦାନ କରିବେ । ଏଥିରେ ମନ୍ତ୍ରୀ, ସାଂସଦ, ବିଧାୟଙ୍କ ସମେତ ବହୁ ନେତା ଯୋଗ ଦେବେ । ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ବିଜୟ ନାୟକ ଏହି ସୂଚନା ଦେଇଛନ୍ତି ।