ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ
ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ
admin
Aug 19, 2019 - 07:37
Updated: Aug 19, 2019 - 07:37
ପାଟଣା : ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ସୋମବାର ପରଲୋକ ଘଟିଛି। ୮୨ ବର୍ଷ ବୟସରେ ତାଙ୍କର ନିଧନ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି। କର୍କଟ ରୋଗ ସମେତ ଅନ୍ୟାନ୍ୟ ରୋଗରେ ମଧ୍ୟ ସେ ଆକ୍ରନ୍ତ ଥିଲେ। ସେ ତିନି ଥର ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ବହୁ ଚର୍ଚ୍ଚିତ ଚାରା ଦୁର୍ନୀତି ମାମଲାରେ ୨୦୧୮ରେ କୋର୍ଟ ତାଙ୍କୁ ୫ ବର୍ଷ ସଶ୍ରମ କରାଦଣ୍ଡ ଶୁଣାଇଥିଲେ।
ଶ୍ରୀ ମିଶ୍ର ଅଧ୍ୟାପକ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ବିହାର ବିଶ୍ବବିଦ୍ୟାଳୟରେ ଅର୍ଥଶାସ୍ତ୍ର ଅଧ୍ୟାପକ ଥିଲେ। ପିଲା ଦିନରୁ ରାଜନୀତି ପ୍ରତି ତାଙ୍କର ରୁଚି ରହିଥିଲା। ବଡ ଭାଇ ଲଲିତ ନାରାୟଣ ମିଶ୍ରଙ୍କ ଠାରୁ ଜଗନ୍ନାଥ ମିଶ୍ର ରାଜନୀତି କୌଶଳ ଶିକ୍ଷା ଲାଭ କରିଥିଲେ। ଲଲିତ ନାରାୟଣ ମିଶ୍ର ରାଜନୀତିରେ ସକ୍ରିୟ ଥିଲେ। ସେ ରେଳ ମନ୍ତ୍ରୀ ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇ ଥିଲେ।
ଛାତ୍ର ଅବସ୍ଥାରୁ ଶ୍ରୀ ମିଶ୍ର କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ଏହା ପରେ ସେ ତିନି ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। । ପ୍ରଥମେ ୧୯୭୫ରୁ ୧୯୭୭, ଦ୍ବିତୀୟରେ ୧୯୮୦ରୁ ୧୯୮୩ ଏବଂ ତୃତୀୟରେ ୧୯୮୯ରୁ ୧୯୯୦ ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଏହା ପରେ ୧୯୯୦ ମସିହାର ମଧ୍ୟ ଭାଗରେ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ।