ସ୍କୁଲ୍ ଶିକ୍ଷାରେ ପ୍ରଥମ ୧୦ ସ୍ଥାନରେ ଓଡ଼ିଶା ନାହିଁ
ସ୍କୁଲ୍ ଶିକ୍ଷାରେ ପ୍ରଥମ ୧୦ ସ୍ଥାନରେ ଓଡ଼ିଶା ନାହିଁ
admin
Sep 27, 2019 - 09:54
Updated: Sep 27, 2019 - 09:54
ନୂଆଦିଲ୍ଲୀ : ସ୍କୁଲ ଶିକ୍ଷାର ଗୁଣବତ୍ତାରେ ଓଡ଼ିଶା ଦେଶରେ ଦ୍ୱାଦଶ ସ୍ଥାନରେ ରହିଛି । ପ୍ରଥମଥର ପାଇଁ ନିତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସ୍କୁଲ ଶିକ୍ଷା ଗୁଣବତ୍ତା ସୂଚକାଙ୍କ (ସ୍କୁଲ ଏଜୁକେସନ କ୍ୱାଲିଟି ଇଣ୍ଡେକ୍ସ)ରେ ଓଡ଼ିଶା ପ୍ରଥମ ୧୦ ରାଜ୍ୟ ମଧ୍ୟରେ ସାମିଲ ହୋଇପାରିନାହିଁ । ଉତ୍ତରପ୍ରଦେଶ, ବିହାର ଭଳି ବଡ଼ ରାଜ୍ୟମାନଙ୍କଠାରୁ ଓଡ଼ିଶାର ପ୍ରଦର୍ଶନ ସନ୍ତୋଷଜନକ ରହିଥିବା ଜଣାପଡ଼ିଛି । ସ୍କୁଲ ଶିକ୍ଷା ଗୁଣବତ୍ତା ସୂଚକାଙ୍କ ରିପୋର୍ଟକୁ ଖୁବ୍ଶୀଘ୍ର ସାର୍ବଜନୀନ କରାଯିବ ବାଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ନିତି ଆୟୋଗ ପକ୍ଷରୁ ସ୍କୁଲ ଶିକ୍ଷା ଗୁଣବତ୍ତା ସୂଚକାଙ୍କ ନାମରେ ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି, ସେଥିରେ ୨୦ଟି ବଡ଼ ରାଜ୍ୟ ଓ ୮ଟି ଛୋଟ ରାଜ୍ୟମାନଙ୍କୁ ର୍ୟାଙ୍କିଙ୍ଗ କରାଯାଇଛି । ଓଡ଼ିଶା ସମେତ କେରଳ, ରାଜସ୍ଥାନ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ଆସାମ, ମହାରାଷ୍ଟ୍ର, ତାମିଲନାଡୁ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ଛତିଶଗଡ଼, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର, ପଞ୍ଜାବ, ଜମ୍ମୁ-କଶ୍ମୀର, ଉତ୍ତରପ୍ରଦେଶ ୨୦ଟି ବଡ଼ ରାଜ୍ୟ ତାଲିକାରେ ସାମିଲ ଥିବାବେଳେ ଛୋଟ ରାଜ୍ୟ ତାଲିକାରେ ମଣିପୁର, ତ୍ରିପୁରା, ଗାଆ, ମିଜୋରାମ, ନାଗାଲାଣ୍ଡ୍, ସିକିମ୍, ମେଘାଳୟ ଓ ଅରୁଣାଚଳ ପ୍ରଦେଶକୁ ସାମିଲ କରାଯାଇଛି ।
ସ୍କୁଲ ଶିକ୍ଷାର ଗୁଣବତ୍ତା ସୂଚକାଙ୍କରେ କେରଳ ପ୍ରଥମ ସ୍ଥାନରେ ଥିବାବେଳେ ରାଜସ୍ଥାନ ଦ୍ୱିତୀୟ, କର୍ଣ୍ଣାଟକ ତୃତୀୟ ସ୍ଥାନରେ ରହିଛି । ଓଡ଼ିଶାର ପଡେ଼ାଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଚତୁର୍ଥ ସ୍ଥାନରେ ରହିଥିବାବେଳେ, ଛତିଶଗଡ଼ ତ୍ରୟୋଦଶ ଓ ତେଲେଙ୍ଗାନା ଚତୁର୍ଦ୍ଧଶ ସ୍ଥାନରେ ରହିଛି । ୨୦ଟି ବଡ଼ ରାଜ୍ୟମାନଙ୍କ ମଧ୍ୟରୁ ଯେଉଁମାନଙ୍କର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି, ସେଥିରେ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର, ପଞ୍ଜାବ, ଜମ୍ମୁ-କଶ୍ମୀର ଏବଂ ଉତ୍ତରପ୍ରଦେଶ ରାଜ୍ୟ ସାମିଲ ଅଛି । ନିତି ଆୟୋଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଅନ୍ୟ ଏକ ବଡ଼ ରାଜ୍ୟ ପଶ୍ଚିମବଙ୍ଗ ସାମିଲ ହୋଇନଥିବା ଜଣାପଡ଼ିଛି ।
ନିତି ଆୟୋଗ ଦ୍ୱାରା ପ୍ରସ୍ତୁତ ସ୍କୁଲ ଶିକ୍ଷାର ଗୁଣବତ୍ତା ସୂଚକାଙ୍କରେ ରାଜ୍ୟମାନଙ୍କର ୨୦୧୭-୧୮ର ଡାଟା ଅନୁସାରେ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ଲର୍ଣ୍ଣିଂ ଆଉଟକମ୍ ଆଧାରରେ ମୂଲ୍ୟାଙ୍କନ କରାଯାଇଛି । ୩୦ଟି ବିଭିନ୍ନ ପ୍ରକାରର ସୂଚକାଙ୍କ ସହିତ ୬ଟି ମାନଦଣ୍ଡକୁ ସାମିଲ କରାଯାଇ ରିପୋର୍ଟ ଚୂଡ଼ାନ୍ତ କରାଯାଇଛି । ଶିକ୍ଷାର ଗୁଣବତ୍ତା, ଶିକ୍ଷା ପର୍ଯ୍ୟନ୍ତ ପହଞ୍ଚିବା, ଛାତ୍ରଛାତ୍ରୀମାନେ ଗ୍ରହଣ କରିଥିବା ଶିକ୍ଷାର ସ୍ତର, ସ୍କୁଲରେ କିଭଳି ଭାବେ ଶିକ୍ଷା ଦିଆଯାଉଛି, ଶିକ୍ଷା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ପ୍ରଶାସନ ଭଳି ମାନଦଣ୍ଡ ର୍ୟାଙ୍କିଂ ପାଇଁ ନିର୍ଦ୍ଧାରଣ କରାଯାଇଛି । ସୂଚକାଙ୍କ ପ୍ରସ୍ତୁତ କରିବା ପୂର୍ବରୁ ନିତି ଆୟୋଗ ଦ୍ୱାରା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସମସ୍ତ ରାଜ୍ୟ, ନୀତି ନିର୍ଦ୍ଧାରକ, ବିଶ୍ୱବ୍ୟାଙ୍କ୍ କର୍ତ୍ତୃପକ୍ଷ, ଶିକ୍ଷା ବିଶେଷଜ୍ଞମାନଙ୍କ ଦ୍ୱାରା ବିଭିନ୍ନ ପର୍ଯ୍ୟାୟରେ ବିଚାରବିମର୍ଶ କରାଯାଇ ରିପୋର୍ଟକୁ ଚୂଡ଼ାନ୍ତ କରାଯାଇଥିବା ଜଣାପଡ଼ିଛି ।