ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ହାଲଚାଲ

ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ହାଲଚାଲ

 ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ହାଲଚାଲ
ଭୁବନେଶ୍ୱର: ନିର୍ବାଚନ ବିଗୁଲ ବାଜି ସାରିଲାଣି । ଟିକେଟ ପାଇଁ କସରତ ଜୋରଦାର ହେଲାଣି । କିନ୍ତୁ ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳର କର୍ମୀମାନେ ସେମାନଙ୍କ ନେତା କିଏ? ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରୁନାହାନ୍ତି । ଏହି ନିର୍ବାଚନ ମଣ୍ଡଳୀର ଗଠନ ହେବା ପରେ ଦୁଇଥର ନିର୍ବାଚନର ସାମ୍ନା କରିଛି । ଦୁଇଥର ଯାକ ବିଜେଡି ଚିତାପଡ ମାରିଥିଲେ ବି ତିନି ଦଳର ପ୍ରାର୍ଥୀ ଦୁଇଟି ନିର୍ବାଚନର ବଦଳିଛନ୍ତି । ତେଣୁ ତୃତୀୟ ଥର ପ୍ରାର୍ଥୀ ଚୟନ କିପରି ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହୁଛି । ୨୦୦୯ ନିର୍ବାଚନରେ ଏଠାରେ ବିଜେଡି ପ୍ରାର୍ଥୀ ଭାଗୀରଥୀ ବଡଜେନା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଗୋଲକ ମହାପାତ୍ରଙ୍କୁ ପରାସ୍ତ କରିଥିଲେ । ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିଲେ କିଶୋର ଜେନା । ୨୦୧୪ରେ ତିନି ଦଳ ଯାକ ପ୍ରାର୍ଥୀ ବଦଳାଇଲେ । ବିଜେଡି ପ୍ରାର୍ଥୀ ପ୍ର୍ରିୟଦର୍ଶୀ ମିଶ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିସର ଦିଲ୍ଲୀପ ମହାନ୍ତିଙ୍କୁ ୪୮ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଜୟୀ ହେଲେ । ତୃତୀୟ ସ୍ଥାନରେ ରହିଲେ କଂଗ୍ରେସ ପ୍ରାର୍ଥୀ ମନୋରଂଜନ ଦାଶ । ୨୦୧୯ ପାଇଁ ବିଜେଡିରୁ ପ୍ରିୟଦର୍ଶୀ ମିଶ୍ର ପୁଣି ପ୍ରାର୍ଥୀ ହେବାକୁ ବଡଦାବିଦାର ଅଛନ୍ତି । କିନ୍ତୁ ଆଉ ବିଜେଡିରେ ଆଉ କିଛି ଆଶାୟୀ ତାଙ୍କ ବାଟକୁ ସହଜ କରିନାହାନ୍ତି । ଗତ କିଛି ମାସ ହେଲା ଭୁବନେଶ୍ୱର ଉତରରେ କିଛି କର୍ପୋରେଟଙ୍କ ସହ ଶ୍ରୀ ମିଶ୍ରଙ୍କ ବିବାଦ କାହାରିକୁ ଅଛପା ରହି ନାହିଁ । ବିଧାୟକଙ୍କୁ ଚ୍ୟାଲେଞ୍ଜ ଦେଇ ଏହି କର୍ପୋରେଟ ମାନେ ସମାନ୍ତରାଳ ସଂଗଠନ କରିବା ସହ ବିଧାୟକଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଏକ ପ୍ରକାର ବର୍ଜନ କରିଥିଲେ । ବିଏମ୍ସିର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ସେମାନେ ବିଧାୟକଙ୍କୁ ଦୂରେଇ ରଖୁଥିଲେ । କର୍ପୋରେଟ ମାନଙ୍କ ମେଳି ସତ୍ୱେ ବିଭିନ୍ନ ୱାର୍ଡରେ ବିଧାୟକ ତାଙ୍କ କାର୍ଯ୍ୟକ୍ରମ ଜାରି ରଖିଥିଲେ । ନିଜର ସମର୍ଥକ କର୍ପୋରେଟର, ଦଳର କର୍ମୀ ଓ ବିଭିନ୍ନ ନାଗରିକ ସଂଗଠନକୁ ନେଇ ସେ ନିଜର ପତିଆରା ଜାହିର କରିବାକୁ ଉଦ୍ୟମ କରିଥିଲେ । ଗତ କିଛି ମାସ ହେଲା ବିଭିନ୍ନ ୱାର୍ଡରେ ୱାର୍ଡ କମିଟି ବୈଠକ ବି ସେ ଜାରି ରଖିଛନ୍ତି । ତାଙ୍କ ସମୟରେ ହୋଇଥିବା ପଚାଂୟତ ନିର୍ବାଚନ ଓ ବିଏମ୍ସିର ଗୋଟିଏ ୱାର୍ଡର ଉପନିର୍ବାଚନରେ ବିଜେଡି ସଫଳତା ପାଇଥିବାରୁ ଏହାର ଶ୍ରେୟ ବିଧାୟକଙ୍କର ବୋଲି ତାଙ୍କ ସମର୍ଥକ ମାନେ ଦାବି କରୁଛନ୍ତି । ତେଣୁ ପ୍ରିୟର୍ଦଶୀ ଟିକେଟ ପାଇବେ ବଲେି ସମର୍ଥକ ମାନେ ଅଶାବାଦୀ । ଏହା ସହ ଗତ ୫ର୍ବେରେ କରାଯାଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ନେଇ ସେ ତାଙ୍କ ପ୍ରଚାର ଅଭିଯାନ ଏକ ପ୍ରକାର ଆରମ୍ଭ କରିଦେଇଛନ୍ତି । ଯେଉଁ ପୂର୍ବତନ କର୍ପୋରେଟ ମାନେ ପ୍ରିୟର୍ଦଶୀଙ୍କ ବିରୋଧୀ ଭାବେ ଜଣରଶୁଣା, ସେମାନେ ବି ଏକ ପ୍ରକାର ନିରବ ରହିଛନ୍ତି । ବିଧାୟକଙ୍କୁ ସମର୍ଥନ କରୁନାହାନ୍ତି କି ଖୋଲା ବିରୋଧରେ ବି ବାହାରି ନାହାନ୍ତି । ଏଠାରେ ବିଜେଡିର ଆଉ ଦୁଇ ଜଣ ପ୍ରମୁଖ ଦାବିଦାର ହୋଇଛନ୍ତି ସୁବାସ ପାତ୍ର, ଚିନ୍ମୟ ସାହୁ । ଶ୍ରୀ ପାତ୍ର ବିଭିନ୍ନ ସ୍ଥାନରେ ସଭାସମିତି ଆୟୋଜନ କରି ନିଜର ସାଂଗଠନିକ ଦକ୍ଷତା ଦେଖାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ସେହିପରି ଶ୍ରୀ ସାହୁ ଯୁବ, ଛାତ୍ରମାନଙ୍କୁ ନେଇ ନିଜର ଦବ୍ଦବା ଜାହିର କରୁଥିବା ଦେଖିବାକୁ ମିଳୁଛି । ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ମଧ୍ୟ ଏହି ଆସନ ଉପରେ ଆଖି ରଖିଛନ୍ତି । ତାଙ୍କୁ ବିଡିଏ ଅଧ୍ୟକ୍ଷ କରାଯାଇଥିବା ସତ୍ୱେ ଉତର କିମ୍ବା ମଧ୍ୟ ନିର୍ବାଚନ ମଣ୍ଡଳୀରେ ତାଙ୍କୁ ପ୍ରାର୍ଥୀ କରାଇବା ପାଇଁ ସେ ଲବି ଜାରି ରଖିଛନ୍ତି । ବିଜେପିରେ ଗତ ଥରର ପ୍ରାର୍ଥୀ ଦିଲ୍ଲୀପ ମହାନ୍ତି ଏଥର ପୁନଃବାର ପ୍ରାର୍ଥୀ ହେବାର ଅଧିକ ସମ୍ଭାବନା ରହିଛି । ବିଜେପିରେ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଆଗରେ ଦେଖିବାକୁ ମିଳୁଛି । ୨୦୦୯ ନିର୍ବାଚନ ପ୍ରାର୍ଥୀ ଗୋଲକ ମହାପାତ୍ର ବିଜେପି ରାଜନୀତିରେ ବେଶ ସକ୍ରିୟ ଥିଲେ ବି ଏଠାରେ ପ୍ରାର୍ଥୀ ହେବାକୁ ସେ ଆଗ୍ରହୀ ନାହାନ୍ତି । ତେଣୁ ଦିଲ୍ଲୀପଙ୍କ ସମ୍ଭାବନା ଅଧିକ ବୋଲି କୁହାଯାଉଛି । ବିଜେପିରେ ଆଉ ଦୁଇ ଜଣ ନେତା ଯିଞ୍ଜାଂଶୁ ପଣ୍ଡା ଓ ପ୍ରକାଶ ଶ୍ରୀ ଚନ୍ଦନ ମଧ୍ୟ ପ୍ରାର୍ଥୀ ହେବା ଦୌଡରେ ଅଛନ୍ତି । ଏହି ଦୁଇ ନେତାଙ୍କୁ ମଧ୍ୟ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଆଗ ଧାଡିରେ ରହୁଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସାଂଗଠନିକ ସ୍ତରରେ ବେଶ୍ ଦୁର୍ବଳ ରହିଛି । ଏଠାରେ ସାଂଗଠନିକ ସ୍ଥିତି ଦୃଢ଼ କରିବାକୁ ସେପରି କିଛି ଠୋସ ପଦକ୍ଷେପ ନିଆଯାଇ ନାହିଁ । ଗତ ଦୁଇଟି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କିଶୋର ଜେନା ଓ ମନୋରଞ୍ଜନ ଦାଶଙ୍କ ନାମ ଏଠାରେ ଚର୍ଚ୍ଚାରେ ରହିଛି । ଏହା ବାଦ୍ ଅଶୋକ ଦାଶ ଓ ଇତିଶ ପ୍ରଧାନ ମଧ୍ୟ କଂଗ୍ରେସ ଟିକେଟ ପାଇଁ ପ୍ରମୁଖ ଦାବିଦାର ଅଛନ୍ତି ।