ଫୋକସରେ ହିନ୍ଦୋଳ ବିଧାନସଭା କ୍ଷେତ୍ର

ଫୋକସରେ ହିନ୍ଦୋଳ ବିଧାନସଭା କ୍ଷେତ୍ର

ଫୋକସରେ ହିନ୍ଦୋଳ ବିଧାନସଭା କ୍ଷେତ୍ର
ଢେଙ୍କାନାଳ:ନିର୍ବାଚନ ପାଖେଇ ଆସିଥିବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଆଶାୟୀ ପ୍ରାର୍ଥୀ ମାନଙ୍କର ଟିକେଟ୍ ଲବି ଜୋର୍ ଧରିଛି । ରାଜ୍ୟ ସରକାରଙ୍କ କଲ୍ୟାଣ ମୂଳକ ଯୋଜନା, ନିଜସ୍ୱ ସଂଗଠନ ଆଧାରେ ବିଜେଡି, କେନ୍ଦ୍ର ସରକାରଙ୍କ ଜନାଭିମୁଖୀ ଯୋଜନା, ବ୍ୟକ୍ତଗତ ଜନସଂପର୍କ ଭରସାରେ ବିଜେପି ଏବଂ ଦଳର ଐତିହ ଓ ସଂଗଠନକୁ ପୁଞ୍ଜି କରି କଂଗ୍ରେସ ପ୍ରାର୍ଥୀ ମାନେ ନିଜର ଟିକେଟ ହାସଲ ପାଇଁ ଲାଗିପଡିଛନ୍ତି । ହିନ୍ଦୋଳ ଓ ଓଡପଡା ବ୍ଲକର ୬୩ଟି ପଂଚାୟତ ଏବଂ ହିନ୍ଦୋଳ ଏନଏସିକୁ ମିଶାଇ ଏହି ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ଗଠିତ । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୀମାରାଣୀ ନାୟକ ୮୪,୩୫୧ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର ଲକ୍ଷ୍ମୀଧର ବେହେରା ୩୩,୮୫୨ଟି ଭୋଟ ପାଇ ଦ୍ୱିତୀୟ ସ୍ଥାନ ଏବଂ କଂଗ୍ରେସ ନମିତା ନାୟକ ୩୦,୯୭୮ଟି ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇ ୧୨,୩୦୪ଟି ଭୋଟ ପାଇବାକୁ ସମର୍ଥ ହୋଇଥିଲେ । ସୀମାରାଣୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୫୦,୪୯୯ଟି ଭୋଟ ଅଧିକ ପାଇଥିଲେ । ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୫୦ ହଜାରରୁ ଅଧିକ ଭୋଟ ପାଇଥିବା ରାଜ୍ୟର ୧୦ ଜଣ ବିଧାୟକଙ୍କ ମଧ୍ୟରେ ସେ ଥିଲେ । ଗତ ପଂଚାୟତ ନିର୍ବାଚନରେ ତ୍ରିମୁଖୀ ମୁକାବିଲା ସତ୍ୱେ ମୋଟ ୭ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୪ଟି ବିଜେଡି ଦଖଲ କରିଥିବା ବେଳେ ବହୁ କମ୍ ବ୍ୟବଧାନରେ ବିଜେପି ୩ଟି ଆସନ ପାଇଥିଲା । କଂଗ୍ରେସ କିନ୍ତୁ ଖାତା ଖୋଲି ପାର ନଥିଲା । ଗତ ହିନ୍ଦୋଳ ଏନଏସି ନିର୍ବାଚନରେ ୧୬ଟି ୱାର୍ଡରୁ ୧୩ଟି ବିଜେଡି ବାଜିମାତ କରିଥିଲା । ଗୋଟିଏ ଆସନରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିଥିଲା । ଅନ୍ୟ ଦୁଇଟିରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ । ବିଜେଡିର ଏଭଳି ଲଗାତର ସଫଳତା ଏବଂ ବ୍ୟକ୍ତିଗତ ସଂଗଠନ ଯୋଗୁଁ ସୀମାରାଣୀ ଟିକେଟ ହାସଲ କରିବେ ବୋଲି ଆଶାବାଦୀ । ସେହିପରି କିଛି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡି ସାମିଲ ହୋଇଥିବା ନମିତା ନାୟକ ଟିକେଟ ପାଇଁ ଜୋର୍ ଦାର୍ ଲବି କରୁଛନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ବିଜେପି ନେତା ଲକ୍ଷ୍ମୀଧର ବେହେରା ସାଧାରଣ ନିର୍ବାଚନରେ ୨ଥର ପରାସ୍ତ ହୋଇଥିଲେ ମଧ୍ୟ ସମର୍ଥକ ମାନଙ୍କ ସହ ବିଭିନ୍ନ ସ୍ଥାନରେ ସଭା ଜାରି ରଖିଛନ୍ତି । ସେହି ପରି ଜିଲ୍ଲା ବିଜେପି ଅନୁସୂଚିତ ଜନଜାତି ସେଲ୍ ସଭାପତି ବିରଂଚି ନାୟକ ଦଳୀୟ ବିକାଶର ବାର୍ତା ଲୋକଙ୍କ ପାଖରେ ପହଁଚାଂଇବା ପାଇଁ ଆପ୍ରଣା ଉଦ୍ୟମ କରୁଛନ୍ତି । ସେ ଦୁହେଁ ମଧ୍ୟ ଦଳୀୟ ଟିକେଟ ପାଇଁ ଆଶାବାଦୀ ଥିବା ଆଲୋଚନା ହେଉଛି । ପିସିସି ସଭାପତି ପଦ ନିରଞ୍ଜନ ପଟ୍ଟନାୟକଙ୍କ ହାତକୁ ଆସିବା ପରେ କଂଗ୍ରେସର ସାଙ୍ଗଠନିକ କାର୍ଯ୍ୟ ଜୋରସୋର୍ ଚାଲିଛି । ଦଳର କର୍ମୀ ଦିବାକର ନାୟକ ଗାଁକୁ ଗାଁ ବୁଲି କଂଗ୍ରେସ ହାତକୁ ଶାସନ ଫେରାଇ ଆଣିବାକୁ ସଂଗଠନ ସୁଦୃଢ କରିବାକୁ ଉଦ୍ୟମ ଚଳାଇଛନ୍ତି । ସେ ଟିକେଟ ପାଇଁ ଆଶାବାଦି ଥିବା ଚର୍ଚ୍ଚା ହେଉଥିବାବେଳେ ପ୍ରଦେଶ କଂଗ୍ରେସ କମିଟି ମମତାଞ୍ଜଳି ବେହେରା ଓ ବାମଦେବ ନାୟକଙ୍କ ନାମ ଏଆଇସିସି ସିଇସିକୁ ସୁପାରିସ କରିଛି । ତେଣୁ ତିନି ଜଣ ଯାକ ଦଳୀୟ ଟିକେଟ ପାଇଁ ଲବି ଚଳାଇଥିବା ଚର୍ଚ୍ଚା ହେଉଛି ।