ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ
ଭୁବନେଶ୍ୱର : ଭାରତ ନ୍ୟାୟ ଯାତ୍ରାରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏନେଇ କଂଗ୍ରେସ ପକ୍ଷରୁ ଆଜି ରୁଟ ମ୍ୟାପ ଜାରି କରାଯାଇଛି । ଓଡ଼ିଶାର ୪ ଜିଲ୍ଲାର ୩୪୧ କିଲୋମିଟର ଅଂଚଳ ଗସ୍ତ କରିବେ ରାହୁଲ । ଏଥିପାଇଁ ଓଡ଼ିଶାରେ ୪ ଦିନ ରହିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିବା ଜାଣିବାକୁ ମିଳିଛି । କେଉଁ କେଉଁ ଜିଲ୍ଲା ଗସ୍ତ କରିବେ ସେନେଇ ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ତାଙ୍କ ଯାତ୍ରା ଯିବ ବୋଲି ରୁଟ ମ୍ୟାପରୁ ଜଣାପଡ଼ିଛି ।
ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଆଜି ଭାରତ ନ୍ୟାୟ ଯାତ୍ରା ନେଇ ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧୀ ମଣିପୁରରେ ୪ ଜିଲ୍ଲା, ନାଗାଲାଣ୍ଡରେ ୫ ଜିଲ୍ଲା, ଆସାମର ୧୭ ଜିଲ୍ଲା, ଅରୁଣାଚଳ ପ୍ରଦେଶ ଓ ମେଘାଳୟର ଗୋଟିଏ ଜିଲ୍ଲା, ପଶ୍ଚିମବଙ୍ଗର ୭ ଜିଲ୍ଲା, ବିହାରର ୭ ଜିଲ୍ଲା, ଝାରଖଣ୍ଡର ୧୩ ଜିଲ୍ଲା, ଓଡ଼ିଶାର ୪ ଜିଲ୍ଲା ଗସ୍ତରେ ଆସିବେ । ଏହାଛଡ଼ା ଛତିଶଗଡ଼ର ୭ ଜିଲ୍ଲା, ଉତରପ୍ରଦେଶର ୨୦ ଜିଲ୍ଲା, ମଧ୍ୟପ୍ରଦେଶର ୯ ଜିଲ୍ଲା, ରାଜସ୍ଥାନର ୨ ଜିଲ୍ଲା, ଗୁଜୁରାଟର ୭ ଜିଲ୍ଲା ଓ ମହାରାଷ୍ଟ୍ରର ୬ ଜିଲ୍ଲା ଦେଇ ଭାରତ ନ୍ୟାୟ ଯାତ୍ରା ହେବ । ମୋଟ ଉପରେ ୬୬ ଦିନରେ ୧୧୦ ଜିଲ୍ଲାର ୬୭୧୩ କିଲୋମିଟର ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।
କଂଗ୍ରେସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ଭୁବନେଶ୍ୱର ଗସ୍ତ ପାଇଁ ଯୋଜନା କରାଯାଉଛି । ଯଦି ରାହୁଲ ଭୁବନେଶ୍ୱର ଆସିବେ ତେବେ କଂଗ୍ରେସ ଏଠାରେ ବିଶାଳ ସମାବେଶ କରିବା ନିମନ୍ତେ ଯୋଜନା କରିଛି । ତେବେ ଏଯାବତ ତାହା ଚୂଡ଼ାନ୍ତ ହୋଇନାହିଁ । ପିସିସି ସଭାପତି ଶରତ ପଟ୍ଟନାୟକ ଦିଲ୍ଳୀରେ ଏନେଇ କେନ୍ଦ୍ରୀୟ ନେତାମାନଙ୍କ ସହ ଆଲୋଚନା କରିଛନ୍ତି ।