ଖୁସି ଖବର : ୪୩୭୩ ଗ୍ରାମ ପଞ୍ଚାୟତରେ ହେବ ବ୍ୟାଙ୍କ
ରାଜ୍ୟର ୪୩୭୩ ଗ୍ରାମ ପଞ୍ଚାୟତରେ ଏବେ ବ୍ୟାଙ୍କ ନାହିଁ । ଏହି ସବୁ ଅଞ୍ଚଳରେ ବ୍ୟାଙ୍କ ପ୍ରତିଷ୍ଠା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୫୦୦ କୋଟି ଟଙ୍କାର ବଜେଟକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା ଓ ବ୍ୟାଙ୍କ ଅଫ ଇଣ୍ଡିଆ ସହ ସମନ୍ୱୟ ରକ୍ଷା କରି ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ଜରିଆରେ ସିଏସପି ପ୍ଳସ ବ୍ୟାଙ୍କିଂ ଆଉଟଲେଟ ଖୋଲିବ ।
ବ୍ୟାଙ୍କିଙ୍ଗ ସେବା ପାଇଁ ରାଜ୍ୟ ସରକାର ୫ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଘର ଯୋଗାଇ ଦେବେ । ଏହାଛଡ଼ା ସରକାର ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଓ ୩ ବର୍ଷ ପାଇଁ ରେକରିଙ୍ଗ ଖର୍ଚ୍ଚ ମଧ୍ୟ ବହନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ସେହିପରି ଓଡ଼ିଶା ମିଲେଟ ମିଶନ ପାଇଁ ରାଜ୍ୟ କ୍ୟାବିନେଟ ୨୬୮୭ କୋଟି ୪୫ ଲକ୍ଷର ବଜେଟକୁ ଅନୁମୋଦନ କରିଛନ୍ତି । ୨୦୨୩-୨୪ରୁ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏହି ଅର୍ଥ ଅନୁମୋଦିତ ହୋଇଛି । ୨୦୧୭-୧୮ରେ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଗଜପତି, ମାଲକାନାଗିରି, ନୂଆପଡ଼ା ଓ ରାୟଗଡ଼ାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଏବେ ରାଜ୍ୟର ୧୯ଟି ଜିଲ୍ଲାର ୧୪୨ ବ୍ଳକରେ ମିଲେଟ ମିଶନ କାର୍ଯ୍ୟକାରୀ ହେଉଛି । ଏଥିପାଇଁ ରାଜ୍ୟ ଯୋଜନା ଓ ଡିଏମଏଫ ଜରିଆରେ ଅର୍ଥର ବ୍ୟବସ୍ଥା କରାଯାଉଛି ।