ମୁଖ୍ୟମନ୍ତ୍ରୀ ସସପେନ୍ସ : ବସୁନ୍ଧରାଙ୍କୁ ଦିଲ୍ଲୀ ଡାକିଲା ଦଳ

ମୁଖ୍ୟମନ୍ତ୍ରୀ ସସପେନ୍ସ : ବସୁନ୍ଧରାଙ୍କୁ ଦିଲ୍ଲୀ ଡାକିଲା ଦଳ

ନୂଆଦିଲ୍ଲୀ: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ନେଇ ସସପେନ୍ସ ଜାରି ରହିଥିବା ବେଳେ ଦାବିଦାରିର ସବୁଠୁ ଆଗରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଦିଲ୍ଲୀ ଡାକିଲା ଦଳ । ବସୁନ୍ଧରା ଆଜି ରାତିରେ ଦିଲ୍ଲୀ ଗସ୍ତ କରୁଥିବା ସୂଚନା ମିଳିଛି । ତାଙ୍କୁ ମୁଖ୍ୟମନ୍ତ୍ରୀ ଚୟନ ପ୍ରସଙ୍ଗରେ କେନ୍ଦ୍ରୀୟ ନେତୃତ୍ବ ଆଲୋଚନା ପାଇଁ ଡାକିଥିବା ଚର୍ଚ୍ଚା ହେଉଛି ।

ସୂତ୍ରରୁ ସୂଚନା ଅନୁସାରେ, ୩ ତାରିଖରେ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ଏପର୍ୟ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଆସନି । ତେବେ ସୋମ ଓ ମଙ୍ଗଳବାର ବସୁନ୍ଧରାଙ୍କ ସିଭିଲ ଲାଇନ ସ୍ଥିତ ବାସଭବନରେ ଅନେକ ନବନିର୍ବାଚିତ ବିଧାୟକ ତାଙ୍କୁ ଭେଟି ଆଲୋଚନା କରିଥିଲେ । ଭେଟିଥିବା ଏହି ବିଧାୟକଙ୍କ ସଂଖ୍ୟା ପ୍ରାୟ ୬୦ ହେବା ନେଇ କୁହାଯାଉଛି । ସମର୍ଥିତ ବିଧାୟକଙ୍କୁ ଏକାଠି କରି କେନ୍ଦ୍ରୀୟ ନେତୃତ୍ବଙ୍କୁ ବସୁନ୍ଧରା ପରୋକ୍ଷ ଶକ୍ତି ପ୍ରଦର୍ଶନ କରୁଥିବା ଚର୍ଚ୍ଚା ହେଉଥିଲା ।
ତେବେ ପୂର୍ବରୁ ଦୁଇଥର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି ବସୁନ୍ଧରା । ଚଳିତଥର ମଧ୍ୟ ତାଙ୍କ ଗୋଷ୍ଠୀରେ ବହୁ ଅନୁଗତ ବିଧାୟକ ସାମିଲ ଥିବା ଚର୍ଚ୍ଚା ହେଉଛି । ମାତ୍ର ଦଳର ଇସାରା କିଛି ଭିନ୍ନ ଦିଗକୁ ସୂଚନା ଦେଇସାରିଲାଣି । ଆଜି ୩ ରାଜ୍ୟରେ ବିଧାନସଭା ନିର୍ବାଚନ ଲଢି ବିଜୟୀ ହୋଇଥିବା ୧୦ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଆଗକୁ ୨୦୨୪ ନିର୍ବାଚନ ପାଇଁ ଦଳ ତିନି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ନେଇ ବିଚାର ବିମର୍ଶ ଆରମ୍ଭ କରିସାରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏହାରି ମଧ୍ୟରେ ବସୁନ୍ଧରାଙ୍କୁ ହୁଏତ ଦଳ ତୃତୀୟ ସୁଯୋଗ ନଦେଇ ପାରେ । ତେବେ ସେ ଆଜି କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟିବା ପାଇଁ ବସୁନ୍ଧରା ଦିଲ୍ଲୀ ଗସ୍ତରେ ବାହାରିଛନ୍ତି ।