ଆଜି ରାଜ୍ୟ ବିଜେପି ନିର୍ବାଚନ କମିଟି ବୈଠକ

ଆଜି ରାଜ୍ୟ ବିଜେପି ନିର୍ବାଚନ କମିଟି ବୈଠକ

ଭୁବନେଶ୍ବର: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କସରତ ଆରମ୍ଭ କଲା ରାଜ୍ୟ ବିଜେପି । ଆଜି ବସିବ ବିଜେପିର ନିର୍ବାଚନ କମିଟି ବୈଠକ। ବିଜେପି ରାଜ୍ୟ କାର୍ୟ୍ୟାଳୟରେ  ଏହି ବୈଠକ ବସିବା ନେଇ କାର୍ୟ୍ୟକ୍ରମ ସ୍ଥିର ହୋଇଛି । ତେବେ ଏହା ପୂର୍ବରୁ ପ୍ରଥମେ ରାଜ୍ୟ ବିଜେପିର କୋର କମିଟି ବୈଠକ ବସିବା ନେଇ ସୂଚନା ରହିଛି । ଆଜି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାକୁ ଥିବା ବେଳେ ବିଜେପିର ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ । ତେବେ ଏହି ବୈଠକରେ ନିର୍ବାଚନ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ । ବୈଠକ ପାଇଁ ଆଜି ଧର୍ମେନ୍ଦ୍ର ପ୍ରଧାନ ଏବଂ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଭୁବନେଶ୍ବରରେ ପହଞ୍ଚିଛନ୍ତି ।

ସୂଚନା ଅନୁସାରେ, ବିଜେପି ରାଜ୍ୟ କାର୍ୟ୍ୟାଳୟରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ତେବେ ଏହା ପୂର୍ବରୁ ରାଜ୍ୟ ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ ହେବ । ରାଜ୍ୟ କୋର କମିଟି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ନିର୍ବାଚନ ପ୍ରଭାରୀ, ସହ ପ୍ରଭାରୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହିବେ ।
ନିିର୍ବାଚନ କମିଟି ବୈଠକରେ ୨୧ ଲୋକସଭା କ୍ଷେତ୍ର ଏବଂ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ୱାରି ସ୍ଥିତି ସମୀକ୍ଷା ହେବା ନେଇ ଚର୍ଚ୍ଚା ହେଉଛି । ଏଥିସହ ନିର୍ବାଚନ ରୋଡ ମ୍ୟାପ ପ୍ରସ୍ତୁତ ନେଇ ବୈଠକରେ ଆଲୋଚନା କରିବେ ବିଜେପି ତୁଙ୍ଗ ନେତା । ତେବେ ଆଗାମୀ ନିର୍ବାଚନରେ ବିଜେପି କିଭଳି ଲଢିବ ସେନେଇ ଦଳର ବରିଷ୍ଠ ନେତା ଜିଲ୍ଲା ସ୍ତରରେ ଥିବା ନେତା ଓ କର୍ମୀଙ୍କୁ ସଂକେତ ଦେଇ ପାରନ୍ତି । ତେବେ ଆଜି ବସିବାକୁ ଥିବା ଦୁଇଟି ଗୁରୁତ୍ବପୂର୍ଣ୍ଣ ବୈଠକରେ କିଛି ନିଷ୍କର୍ଷ ବାହାରି ପାରେ ।