ବସ୍ତି ଭୋଟ ଉପରେ କଂଗ୍ରେସର ନଜର

ବସ୍ତି ଭୋଟ ଉପରେ କଂଗ୍ରେସର ନଜର

ଭୁବନେଶ୍ବର: ବସ୍ତି ଭୋଟ ଉପରେ କଂଗ୍ରେସର ନଜର । ଭୁବନେଶ୍ୱରରେ ଜିଲ୍ଲା କଂଗ୍ରେସର 'ବସ୍ତି ବିକାଶ ଅଭିଯାନ'ର ଶୁଭାରମ୍ଭ ହୋଇଛି। ନିର୍ବାଚନ ପୂର୍ବରୁ ସକ୍ରିୟ ହୋଇଛି ପ୍ରଦେଶ କଂଗ୍ରେସ । ବସ୍ତି ଭୋଟ ଉପରେ କଂଗ୍ରେସ ଗୁରୁତ୍ୱ ଦେଇଛି । ଗତ ରବିବାରଠାରୁ ଭୁବନେଶ୍ୱରରେ 'ବସ୍ତି ଅଭିଯାନ' ଆରମ୍ଭ ହୋଇଛି । କଂଗ୍ରେସ ପକ୍ଷରୁ 'ଘରେ ଘରେ କଂଗ୍ରେସ ଘରେ ଘରେ ହାତ' କାର୍ୟ୍ୟକ୍ରମ ରାଜ୍ୟର ପ୍ରତ୍ୟେକ ବ୍ଲକଠୁ ଆରମ୍ଭ କରି ପ୍ରତ୍ୟେକ ଗାଁରେ ଜାରି ରହିଛି । ଏହି ଅବସରରେ ଭୁବନେଶ୍ୱରରେ କଂଗ୍ରେସ କମିଟି ପକ୍ଷରୁ 'ବସ୍ତି ବିକାଶ ଅଭିଯାନ'ର ଶୁଭାରମ୍ଭ କରାଯାଇଛି । ଏହି କାର୍ୟ୍ୟକ୍ରମକୁ ପ୍ରଦେଶ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଶୁଭାରମ୍ଭ କରିଥିବାବେଳେ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ରଶ୍ମି ମହାପାତ୍ର ଓ କର୍ମୀମାନେ ଯୋଗ ଦେଇଥିଲେ ।

 ୫୩ ନଂ ୱାର୍ଡ଼ର କୁକୁଡ଼େଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରି କଂଗ୍ରେସ 'ବସ୍ତି ବିକାଶ' ଅଭିଯାନ ଶୁଭାରମ୍ଭ କରିଥିଲା । ପଳାଶପଲ୍ଲୀରୁ କାରଗିଲ୍ ବସ୍ତି ପର୍ୟ୍ୟନ୍ତ ଏବଂ ୫୬ ନଂ ୱାର୍ଡ଼ର ଗଧିଆଖାଲ ବସ୍ତିରୁ ମଇଁଷି ଖାଲ ବସ୍ତି ପର୍ୟ୍ୟନ୍ତ ବିକାଶ ଅଭିଯାନରେ ସାମିଲ ହୋଇଥିଲେ ଦଳୀୟ କର୍ମୀ । ଘରଘର ବୁଲି ଲୋକଙ୍କ ପାଖରେ ପହଞ୍ଚି ବସ୍ତି ବାସିନ୍ଦାଙ୍କର ସୁବିଧା ଅସୁବିଧା ପଚାରି ବୁଝିବା ସହିତ କିଭଳି ବସ୍ତି ଲୋକମାନଙ୍କୁ ବିଜେଡ଼ି ସରକାର ପ୍ରତାରିତ କରୁଛନ୍ତି ତାହା କହିଥିଲେ ।
ଏନେଇ ପସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, "ଭୁବନେଶ୍ବର ସ୍ମାର୍ଟ ସିଟି ହେବା ପଛରେ ବସ୍ତିବାସିଙ୍କର ଅନେକ ଭୂମିକା ରହିଛି । କିନ୍ତୁ ବସ୍ତି ବାସିନ୍ଦାଙ୍କୁ ପ୍ରଗତିର ମୁଖ୍ୟ ସୋତ୍ରରେ ସାମିଲ କରିବା ପରିବର୍ତ୍ତେ ନବୀନ ସରକାର କେବଳ ବଡ଼ବଡ଼ ପ୍ରତିଶ୍ରୁତି ଦେବା ସହ ଜାଗା ମିଶନ ନାଁରେ ପ୍ରତାରଣା କରୁଛନ୍ତି । ବସ୍ତିର ଉନ୍ନତିକରଣ ପାଇଁ ୮୦୦ କୋଟି ଟଙ୍କାର ଏକ ଯୋଜନାର ଘୋଷଣା କରାଯାଇଛି ସତ କିନ୍ତୁ ବସ୍ତିବାସିନ୍ଦା ଯେଉଁ ବସ୍ତିରେ ରହୁଥିଲେ ଏବେ ମଧ୍ୟ ସେହି ବସ୍ତିରେ ରହୁଛନ୍ତି । ଯୋଜନା କେବଳ ତୃତୀୟ ମହଲା ଇଙ୍ଗିତରେ ଫାଇଲ୍ରେ ରହିଯାଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି,"ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ସମୟରେ କଂଗ୍ରେସ ବସ୍ତିବାସିନ୍ଦାଙ୍କ ପ୍ରକୃତ ବିକାଶ ପାଇଁ ଚିନ୍ତା କରୁଥିଲା । କଂଗ୍ରେସ ସରକାର ସମୟରେ 'ରାଜୀବ ଗାନ୍ଧୀ ଆବାସ ଯୋଜନା'ରେ ବସ୍ତି ବାସିନ୍ଦାଙ୍କୁ ପ୍ରକୃତ ହକ୍ ମିଳିଥିଲା । ତା’ ପରଠାରୁ ଆଜି ପର୍ୟ୍ୟନ୍ତ ବସ୍ତିବାସିନ୍ଦାଙ୍କ କ୍ଷେତ୍ରରେ କୌଣସି ପରିର୍ତ୍ତନ ଆସିନାହିଁ । କିପରି ତାଙ୍କର ପ୍ରକୃତ ହକ୍ ମିଳିପାରିବ ସେନେଇ କଂଗ୍ରେସ ପ୍ରୟାସଜାରି ରଖିଛି ।"