ମୋଦିଙ୍କ ଭାଷାରେ ଲହର ନୁହେଁ ଜହର ଅଛି: ଜୟରାମ

ମୋଦିଙ୍କ ଭାଷାରେ ଲହର ନୁହେଁ ଜହର ଅଛି: ଜୟରାମ

ଭୁବନେଶ୍ୱର,୧୪ା୫: ‘ଦକ୍ଷିଣ ଭାରତରେ ବିଜେପି ସାଫ୍ । ପୂର୍ବ, ପଶ୍ଚିମ ଓ ଉତର ଭାରତରେ ବିଜେପି ହାଫ୍ ।’ ବର୍ତମାନ ସୁଧା ଦେଶରେ ୩୭୯ ଲୋକସଭା ଆସନରେ ନିର୍ବାଚନ ଶେଷ ହୋଇଥିବାବେଳେ ଜନବିରୋଧୀ ମୋଦି ସରକାର ବିରୋଧରେ ଏଭଳି ସୂଚନା ଆସୁଛି । ଖାଲି ସେତିକି ନୁହେଁ, ଇଣ୍ଡିଆ ମେଂଟକୁ ସ୍ପଷ୍ଟ ଓ ନିର୍ଣ୍ଣାୟକ ବହୁମତ ମିଳିବ । ଏହା ଆପଣମାନେ ୪ ଜୁନରେ ଜାଣିବାକୁ ପାଇବେ । ନରେନ୍ଦ୍ର ମୋଦି ଏବେ ଆଉଟ୍ ଗୋଇଙ୍ଗ୍ ପ୍ରଧାନମନ୍ତ୍ରୀ । କାରଣ ଗତ ୧୦ବର୍ଷରେ ଆମ ଦେଶର ସାମାଜିକ ଓ ଅର୍ଥନୈତିକ ସ୍ଥିତି ଯେଭଳି ହୋଇଛି, ସେଥିପ୍ରତି ଜନସାଧାରଣ ଅତିଷ୍ଠ ହୋଇପଡିଛନ୍ତି । ଦେଶର ପ୍ରତ୍ୟେକ ରାଜ୍ୟରେ ତୃଣମୂଳସ୍ତରରେ କୃଷକ, ଯୁବବର୍ଗ ଓ ମହିଳାମାନଙ୍କ ମଧ୍ୟରେ ମୋଦି ସରକାର ବିରୋଧରେ ଲହର ସୃଷ୍ଟି ହୋଇଛି । ତେଣୁ ବର୍ତମାନ ମୋଦିଙ୍କ ଭାଷାରେ ଲହର ନୁହେଁ, ଜହର ଖେଳୁଛି । ସେହିପରି ଓଡ଼ିଶାରେ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଏଠାରେ ବିଜେଡି ଓ ବିଜେପି ମେଂଟ ବନାମ କଂଗ୍ରେସ ଲଢ଼େଇ ହେଉଛି । ତେଣୁ ଏହି ଜନବିରୋଧୀ ଅଘୋଷିତ ମେଂଟ ବିରୋଧରେ ଓଡ଼ିଶାବାସୀଙ୍କ ଆଗରେ ମାତ୍ର ଗୋଟିଏ ବିକଳ୍ପ ରହିଛି । ତାହା ହେଲା କଂଗ୍ରେସ । ଆଉ କଂଗ୍ରେସ ସର୍ବଦା ସାଧାରଣ ଜନତାଙ୍କ ସହିତ ରହିଆସିଛି ବୋଲି ରାଜ୍ୟସଭା ସାଂସଦ ତଥା ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ।
ଓଡ଼ିଶା ଗସ୍ତ ଅବସରରେ ମଙ୍ଗଳବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରମେଶ କହିଲେ ଯେ, ବର୍ତମାନ କେବଳ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ଓଡ଼ିଆ ଭାଷା ଓ ଅସ୍ମିତାର କଥା କହୁଛନ୍ତି । ବାସ୍ତବରେ ଓଡ଼ିଆ ଭାଷା ଓ ଅସ୍ମିତା ପାଇଁ ସେମାନଙ୍କର କୌଣସି ଆନ୍ତରିକତା ନାହିଁ । ସଂସଦରେ ଓଡ଼ିଆ ଭାଷାକୁ ନେଇ ୨୦୨୦ ମାର୍ଚ୍ଚ ୧୬ରେ ମୁଁ ପ୍ରସଙ୍ଗ ଉଠାଇଥିଲି । ମୋଦି ସରକାରଙ୍କ କାର୍ଯ୍ୟକାଳରେ ସଂସ୍କୃତ ଭାଷା ପାଇଁ  ୬,୫୦୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଓଡ଼ିଆ ଭାଷା ପାଇଁ ଟଙ୍କାଟିଏ ମଧ୍ୟ ଦିଆଯାଇନାହିଁ । କିନ୍ତୁ ମନମୋହନ ସିଂହଜୀଙ୍କ ସମୟରେ ୬ଟି ଭାଷା ସଂସ୍କୃତ, ତାମିଲ, ମାଲାୟଲମ, କନ୍ନଡ, ତେଲୁଗୁ ଏବଂ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଇଥିଲା । ୨୦୧୪ ଫେବୃଆରୀ ୨୦ରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବାବେଳେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲା । ମାତ୍ର ଏହା ପରେ ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଆ ଭାଷାକୁ କୌଣସି ପ୍ରୋତ୍ସାହନ ଦିଆଗଲା ନାହିଁ । ଆଶ୍ଚର୍ଯ୍ୟର କଥା ଓଡ଼ିଶାରୁ ନିର୍ବାଚିତ ହୋଇଯାଇଥିବା ସାଂସଦମାନେ ମଧ୍ୟ ଏ  ପ୍ରସଙ୍ଗ ଉଠାଇଲେ ନାହିଁ । ବର୍ତମାନ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଓ ବିଜେଡି ବିରୋଧରେ ଲୋକ ଦେଖାଣିଆ ଭାଷଣ ଦେଉଛନ୍ତି । ବିଜେଡି ନେତାମାନେ ମଧ୍ୟ ପ୍ରଚାର ମଇଦାନରେ ବିଜେପିକୁ ସମାଲୋଚନା କରୁଛନ୍ତି । ତେବେ ଏସବୁ କେବଳ ଓଡ଼ିଶାବାସୀଙ୍କୁ ଭଣ୍ଡାଇବା ପାଇଁ ଚାଲିଛି । ଯଦି ମୋଦି ସରକାରଙ୍କର ବିଜେଡି ସହିତ ବୁଝାମଣା ନାହିଁ, ତେବେ ଓଡ଼ିଶାରେ ହୋଇଥିବା ସବୁଠାରୁ ବଡ଼ ଖଣି ଦୁର୍ନୀତି ଓ ଚିଟ୍ଫଣ୍ଡ୍ ଦୁର୍ନୀତିର ସିବିଆଇ ତଦନ୍ତକୁ କାହିଁକି ଚାପି ଦିଆଯାଇଛି ବୋଲି ଶ୍ରୀ ରମେଶ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ସଂସଦରେ ସବୁବେଳେ ବିଜେଡି ବିଜେପିକୁ ସମର୍ଥନ ଦେଇଆସିଛି । ଗତ ୧୦ବର୍ଷ ମଧ୍ୟରେ ସଂସଦରେ ଆଦିବାସୀ, କୃଷକ ଓ ସଂରକ୍ଷଣ ବିରୋଧରେ ଯେଉଁସବୁ ଆଇନ୍ ଆସିଛି, ସବୁଥିରେ ବିଜେଡି ସମର୍ଥନ ଦେଇଛି । ଏପରିକି ବିଜେପିର ଜଣେ ନେତାଙ୍କୁ ବିଜେଡି ରାଜ୍ୟସଭାକୁ ନିର୍ବାଚିତ କରିଛି । ତେଣୁ ବିଜେପି ଓ ବିଜେଡି ଅଲଗା ବୋଲି କହିବା ସମ୍ପୂର୍ଣ୍ଣ ଭୁଲ ।
ସେହିପରି ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ଶ୍ରୀ ରମେଶ କହିଲେ ଯେ ଦେଶରେ ଏମିତି କେହି ମୁଖ୍ୟମନ୍ତ୍ରୀ ନାହାନ୍ତି, ଯିଏକି ଦୀର୍ଘ ୨୪ବର୍ଷ ମଧ୍ୟରେ ପଦଟିଏ ହେଲେ କହିନାହାନ୍ତି । ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ କ୍ଷେତ୍ରରେ ନୀରବ ରହିବା ଏ ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ଶୁଭଙ୍କର ନୁହେଁ । ବାଜପେୟୀଙ୍କ ସମୟ ହେଉ କି ମୋଦିଙ୍କ ସମୟ ସବୁବେଳେ ବିଜେଡି ବିଜେପିକୁ ସମର୍ଥନ ଦେଇଛି । ଯେତେବେଳେ ସଂସଦରେ କୃଷକ ବିରୋଧୀ ଆଇନ, ଆଦିବାସୀ ବିରୋଧୀ ଆଇନ ଓ ଜମି ଅଧିକାର ବିରୋଧରେ ଆଇନ ଆସିଲା ସେତେବେଳେ ବିଜେଡି ସାଂସଦମାନେ କାହିଁକି ବିରୋଧ କଲେ ନାହିଁ? ସାମାଜିକ, ଆର୍ଥିକ ଜାତି ଜନଗଣନାକୁ ବିଜେଡି ସରକାର ସମର୍ଥନ କରିବେ କି ନାହିଁ ବୋଲି ଶ୍ରୀ ରମେଶ ପ୍ରଶ୍ନ କରିଛନ୍ତି । ବାବା ସାହେବ ଆମ୍ବେଦକର ଭାରତୀୟ ସମ୍ବିଧାନରେ ଦର୍ଶାଇଛନ୍ତି ଯେ ସାମାଜିକ ନ୍ୟାୟ ଆରକ୍ଷଣ ଆଧାରରେ ହିଁ ହୋଇଥାଏ । ଏହାକୁ କଂଗ୍ରେସ ସର୍ବଦା ଗୁରୁତ୍ୱ ଦେଇଆସିଛି ।୧୯୯୨ରେ ସୁପ୍ରିମକୋର୍ଟ ଦଳିତ, ଆଦିବାସୀ ଓ ଓବିସି ବର୍ଗଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କଥା କହିଥିଲେ । କଂଗ୍ରେସ ଏହାର ଇସ୍ତାହାରରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛି । ଦେଶର ଏକମାତ୍ର ରାଜ୍ୟ ଭାବେ ତାମିଲନାଡୁ ୬୯ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛି । ହେଲେ ଓଡ଼ିଶାରେ ବିଜେଡି ସରକାର ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ଓ ପେସା ଆଇନକୁ ବନ୍ଦ କରିଦେଇଛନ୍ତି । ଆଦିବାସୀଙ୍କ ଜମି ହଡ଼ପ କରିବା ସହ ଖଣି, ପାଣି ଆଦି ପ୍ରାକୃତିକ ସମ୍ପଦକୁ ବିକ୍ରି କରିଦେଇଛନ୍ତି । ହେଲେ ଏହା ବିରୋଧରେ ସିବିଆଇ କିମ୍ବା ଇଡି ତଦନ୍ତ ହେଉନାହିଁ । ତେଣୁ ଓଡ଼ିଶାର ଆଦିବାସୀ, ଦଳିତ ଓ ପଛୁଆ ବର୍ଗ, ମହିଳା, ବେକାର ଯୁବକ ଯୁବତୀ ଓ ଗରିବ ଶ୍ରେଣୀର ଲୋକମାନେ ବିଜେଡି ସରକାରକୁ ଚଳିତ ନିର୍ବାଚନରେ ଉପଯୁକ୍ତ ଜବାବ ଦେବାକୁ ଶ୍ରୀ ରମେଶ ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ କଂଗ୍ରେସର ଇସ୍ତାହାର ସମ୍ପର୍କରେ ସୂଚନା ଦେଇ ସେ କହିଲେ ଯେ କଂଗ୍ରେସ ୫ ନ୍ୟାୟ ଓ ୨୫ ଗ୍ୟାରେଂଟିକୁ ନେଇ ନିର୍ବାଚନ ଲଢ଼ୁଛି । ଏହା ନାରୀ ନ୍ୟାୟ, କୃଷକ ନ୍ୟାୟ, ଯୁବା ନ୍ୟାୟ, ଶ୍ରମିକ ନ୍ୟାୟ ଓ ଭାଗିଦାରୀ ନ୍ୟାୟ ଉପରେ ଆଧାରିତ । କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ଗରିବ ପରିବାରର ଜଣେ ମହିଳାଙ୍କୁ ବାର୍ଷିକ ୧ଲକ୍ଷ ଟଙ୍କା ପ୍ରଦାନ ସହ ସମସ୍ତ ସ୍ନାତକ ଡିଗ୍ରୀଧାରୀଙ୍କ ପ୍ରଥମ ନିଯୁକ୍ତି ପକ୍କା କରାଯିବ । ଏଥିସହ ବିଧାନସଭା କ୍ଷେତ୍ରରେ ମଧ୍ୟ କଂଗ୍ରେସ ସ୍ୱତନ୍ତ୍ର ଭାବେ ଅଲଗା ଇସ୍ତାହାର ପ୍ରସ୍ତୁତ କରିଛି । ତେଣୁ ଓଡ଼ିଶାବାସୀ ଉଭୟ ଲୋକସଭା ଓ ବିଧାନସଭା ଆସନରେ କଂଗ୍ରେସକୁ ବିଜୟୀ କରିବାକୁ ସେ ଅନୁରୋଧ କରିଛନ୍ତି । 
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଡ. ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ, ଏଆଇସିସି ମିଡିଆ ସଂଯୋଜକ ପ୍ରଭାତ କୁମାର ଓ ରିତୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।