ନର୍ସିଂ ଅଫିସର ଓ ନର୍ସିଂ ଶିକ୍ଷକ ଉଚ୍ଚଶିକ୍ଷା ପାଇଁ ଗଲେ ମିଳିବ ପାରିଶ୍ରମିକ:ଶାଳିନୀ ପଣ୍ଡିତ

ନର୍ସିଂ ଅଫିସର ଓ ନର୍ସିଂ ଶିକ୍ଷକ ଉଚ୍ଚଶିକ୍ଷା ପାଇଁ ଗଲେ ମିଳିବ ପାରିଶ୍ରମିକ:ଶାଳିନୀ ପଣ୍ଡିତ

ଭୁବନେଶ୍ୱର: ନର୍ସିଂ ଅଫିସର ଓ ନର୍ସିଂ ଶିକ୍ଷକଙ୍କ ପାଇଁ ଖୁସି ଖବର । ଏଣିକି ଉଚ୍ଚଶିକ୍ଷା ପାଇଁ ଷ୍ଟଡି ଲିଭ୍‌ ବାବଦକୁ ସେମାନେ ପାରିଶ୍ରମିକ ପାଇବେ। ସେମାନଙ୍କ ଦୀର୍ଘଦିନର ଦାବି ପୂରଣ କରିଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ବିଭାଗ ନିର୍ଦ୍ଦେଶନାମା ପ୍ରକାଶ କରିଛି । ଏଭଳି ବଡ଼ ନିଷ୍ପତ୍ତି ନେବାରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ପ୍ରମୁଖ ଭୂମିକା ରଖିଛି ।

ରାଜ୍ୟରେ ଦୁଇ ପ୍ରକାର ସରକାରୀ ନର୍ସିଂ କର୍ମଚାରୀ ଅଛନ୍ତି । ଡାକ୍ତରଖାନାରେ ନର୍ସିଂ ଅଫିସର କାର୍ୟ୍ୟ ତୁଲାଉଛନ୍ତି । ସେମାନେ ଜିଏନ୍‌ଏମ୍‌ ଡିଗ୍ରୀ ହାସଲ ପରେ ହସ୍ପିଟାଲରେ କାର୍ୟ୍ୟ କରୁଛନ୍ତି । ସେମାନେ ବିଏସ୍‌ସି ଡ୍ରିଗୀ ହାସଲ ପାଇଁ ଡେପୁଟେସନ୍‌ରେ ଗଲେ, ଷ୍ଟଡି ଲିଭ୍‌ ବାବଦ ଅର୍ଥ ମିଳୁନଥିଲା । ଏବେ ନୂଆ ନିର୍ଦ୍ଦେଶନାମା ଅନୁସାରେ ସେମାନେ ଅର୍ଥ ପାଇବେ । କାରଣ ସେମାନେ ବିଭିନ୍ନ ମେଡିକାଲ କଲେଜରେ ପାଠ ପଢ଼ିବା ସମୟରେ ରୋଗୀଙ୍କୁ ସେବା ଯୋଗାଇଥାନ୍ତି । ସେହିପରି ଯେଉଁମାନେ ନର୍ସିଂ କଲେଜରେ ଶିକ୍ଷକତା କରୁଛନ୍ତି, ସେମାନେ ବିଏସ୍‌ସି ନର୍ସିଂ ଡିଗ୍ରୀ ପରେ ପଢ଼ାଉଛନ୍ତି । ସେମାନେ ଯଦି ଏମ୍‌ଏସସି ନର୍ସିଂ ପଢ଼ିବାକୁ ଷ୍ଟଡି ଲିଭ୍‌ରେ ଯିବେ, ତେବେ ଅର୍ଥ ପାଇବେ । ଏହା ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ମନୋବଳ ବଢ଼ାଇବ ବୋଲି ନର୍ସିଂ ଅଫିସର ଓ ଶିକ୍ଷକମାନେ କହିଛନ୍ତି ।