୨୪ ଘଣ୍ଟିଆ ପାଣି ପାଇଁ ବୁଝାମଣାପତ୍ର ସ୍ୱାକ୍ଷର

୨୪ ଘଣ୍ଟିଆ ପାଣି ପାଇଁ ବୁଝାମଣାପତ୍ର ସ୍ୱାକ୍ଷର

୨୪ ଘଣ୍ଟିଆ ପାଣି ପାଇଁ ବୁଝାମଣାପତ୍ର ସ୍ୱାକ୍ଷର
ସରକାର ଓ ୟୁନିସେଫ୍ ହାତ ମିଳାଇଲେ, ମିଟର ବ୍ୟବସ୍ଥା ହେବ, ଦାୟିତ୍ୱରେ ରହିବେ ଏସ୍ଏଚଜି ମା' ଭୁବନେଶ୍ୱରର ୫ଟି ଓ ପୁରୀର ୨ଟି ଅଞ୍ଚଳରୁ ଆରମ୍ଭ ହେବ ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ୨୪ ଘଣ୍ଟା ପାଇପ୍ ଯୋଗେ ପାଣି ଯୋଗାଇ ଦେବା ନିମନ୍ତେ ଆଜି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ୟୁନିସେଫ୍ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭୁବନେଶ୍ୱରର ୫ଟି ଅଞ୍ଚଳ ଓ ପୁରୀର ୨ଟି ଅଞ୍ଚଳରେ ପାଇଲଟ୍ ପ୍ରକଳ୍ପ ଭାବେ ଏହା କାର୍ଯ୍ୟକାରୀ ହେବ । ମାର୍ଚ୍ଚ ୨୦୨୦ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି । "ଡ୍ରିଙ୍କ୍ ଫର୍ ଟ୍ୟାପ୍ ମିସନ' ନାମକ ଏହି କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ୨୪ ଘଣ୍ଟା ପାଣି ଯୋଗାଇ ଦିଆଯିବ । ଏହା ସହିତ ଶତପ୍ରତିଶତ ମିଟର ବ୍ୟବସ୍ଥା କରାଯାଇଛି । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା (ମା') ମାନେ ନିୟୋଜିତ ହେବେ । ସେମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରାଯିବ । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସବୁ ଘରକୁ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ସରକାର ପ୍ରାଥମିକତା ଦେଇଛନ୍ତି । ବିଶୁଦ୍ଧ ପାନୀୟ ଜଳ ହିଁ ଏକ ସୁସ୍ଥ ଓ ସମାଜ ଗଠନରେ ସହାୟକ ହୋଇଥାଏ । ତେଣୁ ୟୁନିସେଫର ବୈଷୟିକ ସହାୟତାରେ ଆରମ୍ଭ ହେଉଥିବା ଏହି ପ୍ରକଳ୍ପ ଲକ୍ଷ୍ୟ ପୂରଣରେ ବିଶେଷ ସହାୟକ ହେବ ବୋଲି ନବୀନ କହିଥିଲେ । ଏହି ପ୍ରକଳ୍ପରେ ପୁରୀ, ଭୁବନେଶ୍ୱରର ୨୨ ହଜାର ପରିବାରର ଏକ ଲକ୍ଷ ୨୦ ହଜାର ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ । ପରବର୍ତ୍ତୀ ସମୟରେ ରାଜ୍ୟର ସବୁ ଅଞ୍ଚଳକୁ ଏହି କାର୍ଯ୍ୟକ୍ରମ ସଂପ୍ରସାରଣ କରାଯିବ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର ଓ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ଓ ୟୁନିସେଫ୍ ପ୍ରତିନିଧି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।