୫-ଟିକୁ ତାରାଙ୍କ ପ୍ରଶଂସା

୫-ଟିକୁ ତାରାଙ୍କ ପ୍ରଶଂସା

୫-ଟିକୁ ତାରାଙ୍କ ପ୍ରଶଂସା
ଭୁବନେଶ୍ୱର: ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦିନ ଠାରୁ ବିରୋଧୀ କଂଗ୍ରେସ ଓ ବିଜେପି ବିରୋଧ କରିଆସୁଥିଲେ । ରାଜ୍ୟ ସରକାର କେବଳ ବାହାବା ନେବାକୁ ଏହି କାର୍ଯ୍ୟକ୍ରମ କରିଥିବା ସେମାନେ କହୁଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ଦୁର୍ନୀତିଖୋର ସରକାର କର୍ମଚାରୀଙ୍କୁ ଛଟେଇ କରାଯାଇଛି । ଖାଲି ସେତକ ନୁହେଁ ଏହି କାର୍ଯ୍ୟକ୍ରମ ପାଇଁ ଲାଞ୍ଚ ନେଇ ଅୟସରେ ଜୀବନଯାପନ କରୁଥିବା କର୍ମଚାରୀଙ୍କ ନିଜ ହଜିଯାଇଛି । ତେବେ ଏହା ସତ୍ୱେ ଏହାକୁ ବିରୋଧ କରାଯାଇଆସୁଥିଲା । ତେବେ ଏବେ ଯେଉଁ ଖବର ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରେ । କାରଣ ଏହି କାର୍ଯ୍ୟକ୍ରମକୁ ବିରୋଧ କରୁଥିବା ନେତା ଏବେ ଏହାକୁ ପ୍ରଶଂସା କରିବାକୁ ଲାଗିଲେଶି । ହଁ ଆଜ୍ଞା ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ଜଣେ କଂଗ୍ରେସ ବିଧାୟକ ପ୍ରଶଂସା କରିଛନ୍ତି । ସେ ହେଉଛନ୍ତି ତାରା ପ୍ରସାଦ ବାହିନୀପତି । ବିଧାନସଭା ଅଧିବେଶନରେ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶଂସା କରିଛନ୍ତି । ୫-ଟି କାର୍ଯ୍ୟକାରୀ ପରେ ୫ଟି ସଚିବ ଡାକ୍ତରଖାନା ବୁଲି ରୋଗୀଙ୍କ ମତ ନେବା ଦ୍ୱାରା କୋରାପୁଟରେ ସ୍ୱାସ୍ଥ୍ୟସେବା ସୁଧୁରୁଛି । ଏହା ଦ୍ୱାରା ସାଧାରଣ ଲୋକେ ଉପକୃତ ହେଉଛନ୍ତି ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି । ରାଜ୍ୟରେ ୫ଟି କାର୍ଯ୍ୟକାରୀ ପରେ କୋରାପୁଟ ଡାକ୍ତରଖାନାରେ ରୋଗୀ ଉତ୍ତମ ସ୍ୱାସ୍ଥ୍ୟସେବା ପାଉଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଧନ୍ୟବାଦ ଜଣାଇଛନ୍ତି । ୫ଟି ଟିମ୍ ସାରା ରାଜ୍ୟର ଡାକ୍ତରଖାନା ବୁଲି ସ୍ୱାସ୍ଥ୍ୟସେବା ସମ୍ପର୍କିତ ମତ ନେବା ଦ୍ୱାରା ସାଧାରଣ ଲୋକେ ଉପକୃତ ହେଉଛନ୍ତି ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି । ପ୍ରକାଶ ଯେ, ଗାନ୍ଧୀ ଜୟନ୍ତୀରୁ ୫-ଟି କାର୍ଯ୍ୟକ୍ରମ ଏବଂ ମୋ ସରକାର ଥାନା ଓ ହସ୍ପିଟାଲରେ ଲାଗୁ କରାଯାଇଥିଲା । ଲୋକଙ୍କ ପାଖରେ ସେବା ପହଞ୍ଚାଇବା ସହ ସେମାନଙ୍କୁୁ ଠିକ ସମୟରେ ସେବା ଦେବାର ଏହାର ପ୍ରମୁଖ ଲକ୍ଷ୍ୟ ଥିଲା । ସରକାରୀ କାର୍ଯ୍ୟାଳୟରେ ସମସ୍ତ ସୁବିଧା ଯୋଗାଇଦେବା ସହ ଥାନାକୁ ଆସୁଥିବା ଲୋକଙ୍କର ଫୋନ ନମ୍ବର ରଖାଯାଇ ପରବର୍ତ୍ତୀ ସମୟରେ ସେମାନଙ୍କ ଫିଡବ୍ୟାକ ନିଆଯାଉଥିଲା । ଦୁର୍ନୀତି ବିରୋଧରେ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଏକ ବଡ଼ ଅସ୍ତ୍ରଭାବେ ଉଭା ହୋଇଛି । ଏହି କାର୍ଯ୍ୟକ୍ରମ ଲାଗୁ ହେବା ପରେ ୫-ଟି ସଚିବ ଓ ବିଭିନ୍ନ ବିଭାଗର ଅଧିକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ସେମାନେ ବିଭିନ୍ନ ବ୍ଲକ ମୁଖ୍ୟାଳୟ ପରିଦର୍ଶନ କରିବା ସହ ଛୋଟଛୋଟ ସହର ମଧ୍ୟ ବୁଲିଥିଲେ । ଯେଉଁଠି ତ୍ରୁଟି ପରିଲକ୍ଷିତ ହେଉଥିଲା ସେଠି ସୁଧାରୁଥିଲେ ଏବଂ ଯେଉଁଠି ଅବହେଳା ଦେଖୁଥିଲେ ସେଠାରେ କାର୍ଯ୍ୟାନୁଷ୍ଠାନ ନେଉଥିଲେ ।