ଜାଲ୍ ସାର୍ଟିଫିକେଟରେ ଚାକିରି, ବିଦା ହେଲେ ୪ ଶିକ୍ଷକ
ପୁରୀ: ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିବା ଘଟଣାରେ ପୁରୀ ଜିଲ୍ଲାରେ ବହିଷ୍କୃତ ହୋଇଛନ୍ତି ୪ ଶିକ୍ଷକ । ଏହି ୪ ଶିକ୍ଷକ ସ୍କୁଲର କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍କୁଲରେ ଶିକ୍ଷକତା କରୁଥିବା ଜଣାଯାଇଛି।
ସେମାନେ ହେଲେ କୃଷ୍ଣପ୍ରସାଦ ବ୍ଳକ୍ ଖିରିସାହି ପିୟୁପିଏସ ସ୍କୁଲର ସତ୍ୟସୁନ୍ଦର ବିଶ୍ୱାଳ, ସରକାରୀ ପିପିଏସ ବିରିପଦର ସ୍କୁଲର ସୁରେଶ ଚନ୍ଦ୍ର ପଲେଇ, ଓରା ସିପିଏସର ସୌଦାମିନୀ ପ୍ରଧାନ ଏବଂ ଚର୍ଚ୍ଚିକା ୟୁ ଜିଓପି ସ୍କୁଲର ନନ୍ଦ କିଶୋର ସେଠୀ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ବିଏଡ ସାର୍ଟିଫିକେଟ ଫେକ୍ ବୋଲି ଜଣା ପଡ଼ିଥିବା ବେଳେ ସତ୍ୟସୁନ୍ଦର ବିଶ୍ୱାଳଙ୍କର ବିଏସସି ସାର୍ଟିଫିକେଟ ଫେକ୍ ଥିବା ଜଣାଯାଇଛି।
ଏହି ୪ ଶିକ୍ଷକଙ୍କ ନାଁରେ ଅଭିଯୋଗ ଆସିବା ପରେ ପ୍ରାୟ ବର୍ଷେ ହେବ ସେମାନଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଯାଇଥିଲା। ଏବେ ଯାଞ୍ଚର ଫଳାଫଳ ଆସିଛି। ଏନେଇ ତଥ୍ୟ ସାମନାକୁ ଆସିବା ପରେ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ବିଶ୍ଵଜିତ ଘୋଷ ସେମାନଙ୍କୁ ଚାକିରିରୁ ବିଦା କରିଛନ୍ତି। ଏଥିସହ ଏନେଇ କ୍ରାଇମବ୍ରାଞ୍ଚକୁ ବି ଚିଠି କରି ଅବଗତ କରିଛନ୍ତି।