କେଜ୍ରିୱାଲ ଗିରଫ

କେଜ୍ରିୱାଲ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଗୁରୁବାର ସନ୍ଧ୍ୟାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ରେଡ କରିଥିବା ବେଳେ ପ୍ରାୟ ଦୁଇ ଘଣ୍ଟା ପରେ ତାଙ୍କୁ ଗିରଫ କରିଛି।
ଅବକାରୀ ଦୁର୍ନୀତି ସହ ଜଡ଼ିତ ମାମଲାରେ ଇଡି ଟିମ୍ ସର୍ଚ୍ଚ ଓ୍ବାରେଣ୍ଟ୍ ସହ କେଜ୍ରିୱାଲଙ୍କ ବାସଭବନରେ ଗୁରୁବାର ସନ୍ଧ୍ୟରେ ପହଞ୍ଚି ପଚରା ଉଚୁରା କରୁଥିଲା। ଦୁଇ ଘଣ୍ଟାର ଜେରା ପରେ ଇଡିର ଅଧିକାରୀମାନେ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି। ଗିରଫ ପରେ ତାଙ୍କୁ ଇଡି ତା’ର ମୁଖ୍ୟାଳୟକୁ ନେଇଛି। ଗିରଫ ପୂର୍ବରୁ ଇଡି ଅରବିନ୍ଦ କେଜ୍ରିୱାଲଙ୍କ ମୋବାଇଲ ଫୋନ ଜବତ କରିଥିଲା । ଇଡି କହିଛି କି, ଜେରା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯାଂଚ ଟିମକୁ ସହଯୋଗ କରି ନଥିଲେ । ଯାହା ପରେ ଇଡି ତାଙ୍କୁ ଗିରଫ କରି ହେପାଜତକୁ ନେଇଛି।
ଦିଲ୍ଲୀ ଅବକାରୀ ନୀତିକୁ ନେଇ  କେଜ୍ରିୱାଲଙ୍କୁ ଇଡି ୯ଥର ସମନ ଜାରି କରିଥିଲା କିନ୍ତୁ କେଜ୍ରିୱାଲ ଇଡିରେ ହାଜର ହୋଇନଥିଲେ। ଇଡି କାଳେ ଗିରଫ କରିନେବ, ସେହି ଆଶଙ୍କାରେ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ଦିଲ୍ଲୀ ହାଇକୋର୍ଟ ତାଙ୍କ ଯାଚିକାକୁ ଖାରଜ କରିଥିଲେ।
ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନ ଖାରଜ କରିବା କ୍ଷଣି ଇଡିର ୧୨ ଜଣିଆ ଟିମ ତାଙ୍କ ଘରେ ପହଞ୍ଚି ଯାଇଥିଲା। ଇଡିର ଅଧିକାରୀମାନେ ତାଙ୍କ ଘର ସର୍ଚ୍ଚ କରୁଥିବା ବେଳେ ବୟାନ ମଧ୍ୟ ରେକର୍ଡ କରିଥିଲେ। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟର ଧାରା ୫୦ ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ପ୍ରଥମେ କେଜ୍ରିୱାଲ ଓ ତାଙ୍କ ପରିବାର ଲୋକଙ୍କ ଫୋନକୁ ମଧ୍ୟ ଇଡି ଜବତ କରି ନିଆଯାଇଥିଲା। ଏହାପରେ ଦୁଇ ଘଣ୍ଟା କାଳ ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା। ପ୍ରାୟ ୨ ଘଣ୍ଟାର ଜେରା ପରେ କେଜ୍ରିୱାଲଙ୍କୁ ଇଡି ବାନ୍ଧିଛି।