ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଢିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଢିବେ ପ୍ରଧାନମନ୍ତ୍ରୀ । ଏକଥାକୁ ସେ ନିଜେ କହିଛନ୍ତି । ନୂଆଦିଲ୍ଲୀ ପ୍ରଗତି ମୈଦାନରେ ‘ଭାରତ ମଣ୍ଡପମ୍’ ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପରି ଦମ୍ଭୋକ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଷମତାକୁ ଆସିବା ପରେ ଭାରତର ଅର୍ଥନୀତି ବିଶ୍ୱର ତୃତୀୟ ସ୍ଥାନରେ ପହଞ୍ଚିବ ବୋଲି ମଧ୍ୟ ମୋଦୀ କହିଛନ୍ତି ।
ତୃତୀୟ ପାଳି ସରକାରରେ ଭାରତ ବିଶ୍ୱ ଅର୍ଥନୀତିର ଟପ୍-୩ ତାଲିକାରେ ସାମିଲ ହେବ । ଭାରତ ସହ ଆଉ ଦୁଇ ଦେଶ ରହିବ । ଏହା ଦେଶବାସୀଙ୍କୁ ମୋଦିର ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି । ପ୍ରଥମ ପାଳିରେ ଭାରତର ଅର୍ଥନୀତି ବିଶ୍ୱର ଦଶମ ସ୍ଥାନରେ ଥିଲା । ଦ୍ୱିତୀୟ ପାଳିରେ ଏହା ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥନୀତି ପାଲଟିଛି । ଟ୍ରାକ୍ ରେକର୍ଡ ଅନୁସାରେ ଏହି ଗ୍ୟାରେଟି ଦେଉଛନ୍ତି ବୋଲି କହିଛନ୍ତି । ତେବେ ବିରୋଧୀଙ୍କୁ ଏହି ଅବସରରେ ସମାଲୋଚନା କରି କହିଛନ୍ତି, ଭଲ କାମକୁ ଅଟକାଇବା ଓ ଏହା ଉପରେ ନାକାରାତ୍ମକ କମେଣ୍ଟ ଦେବା କିଛି ଲୋକଙ୍କର ଅଭ୍ୟାସ ।
ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଟରନ୍ୟାସନାଲ ଏକ୍ଜିବିସନ-କମ୍-କନ୍ଭେନ୍ସନ ସେଣ୍ଟର କମ୍ପ୍ଲେକ୍ସର ଉଦ୍ଘାଟନ କରିବା ସହ ଏହାର ନୂଆ ନାଁ ଦେଇଛନ୍ତି ‘ଭାରତ ମଣ୍ଡପମ୍’ । ୧୨୩ ଏକର ଜମିରେ ଏହି ନବୀକୃତ ଆଇଇସିସି କମ୍ପ୍ଲେକ୍ସକୁ ଏକ ଜାତୀୟ ପ୍ରକଳ୍ପ ଭାବେ ପ୍ରାୟ ୨,୭୦୦ କୋଟି ଟଙ୍କାରେ ବିକଶିତ କରାଯାଇଛି । ଏହାର ଉଦ୍ଘାଟନୀ ସମାରୋହରେ କ୍ୟାବିନେଟ୍ ମନ୍ତ୍ରୀ, ବିଭିନ୍ନ ଶିଳ୍ପସଂସ୍ଥାର ମୁଖ୍ୟ, ଚଳଚ୍ଚିତ୍ର ବ୍ୟକ୍ତିତ୍ବ ଓ ଅନ୍ୟମାନଙ୍କ ସହ ପ୍ରାୟ ୩୦୦୦ ଲୋକ ଯୋଗ ଦେଇଥିଲେ ।