ଓଡ଼ିଆ ଅସ୍ମିତାର ପ୍ରସଙ୍ଗରେ ଗୃହ ମୁଲତବି

ଓଡ଼ିଆ ଅସ୍ମିତାର ପ୍ରସଙ୍ଗରେ ଗୃହ ମୁଲତବି

ଗୃହ ଆରମ୍ଭରୁ ହିଁ ମୁଲତବି । ହଁ ଆଜ୍ଞା, ବଜେଟ ଅଧିବେଶନର ଆଜି ହେଉଛି ଦିତୀୟ ଦିନ । କିନ୍ତୁ ଗତ କାଲି ଭଳି ମଧ୍ୟ ଓଡ଼ିଆ ଅସ୍ମିତାର ପ୍ରସଙ୍ଗକୁ ଉଠାଇ ସରକାରଙ୍କୁ ଘେରିଛନ୍ତି ଉଭୟ ବିରୋଧୀ ବିଜେଡି ଏବଂ କଂଗ୍ରେସ । ଏଏସଓଙ୍କୁ ରାଜ୍ଯପାଳଙ୍କ ପୁଅ ମାଡ଼ ମାରିବା ପ୍ରସଙ୍ଗରେ ଗୃହ ଅଚଳ । ଖାଲି ସେତିକି ନୁହେଁ ରାଜ୍ଯପାଳଙ୍କ ପୁଅ ବୋଲି ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ପ୍ରଶ୍ନ କରିଛି ବିରୋଧୀ । ରାଜ୍ଯପାଳଙ୍କ ପୁଅଙ୍କୁ ଗିରଫ କରିବାକୁ ଗୃହରେ ଦାବି ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ । ଗତକାଲି ଭଳି ଗୃହର ମଧ୍ୟ ଭାଗରେ ବିରୋଧୀ ବିଜେଡି ସଦସ୍ୟ ପ୍ରତିବାଦ କରିଛନ୍ତି । ପ୍ରମିଳା ଅଭିଯୋଗ କରିଛନ୍ତି, ଗତ ୭ ତାରିଖରେ ରାଜ୍ୟପାଳଙ୍କ ପୁଅ ASOଙ୍କୁ ମାଡ଼ ମାରିଲେ । ହେଲେ ତଦନ୍ତ କରାଗଲାନି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ASOଙ୍କ ସହ କଣ ଆଲୋଚନା କଲେ ତାହା ଜଣାପଡିଲାନି । ଓଲଟି ASOଙ୍କ ବଦଳି କରିଦିଆଗଲା । ଖାଲି ସେତିକି ନୁହେଁ ଘଟଣାରେ ଆଇନ ମନ୍ତ୍ରୀ ଦାୟିତ୍ବହୀନ ମନ୍ତବ୍ଯ ଦେଉଛନ୍ତି କହିଛି ବିଜେଡି । ଆଇନ ମନ୍ତ୍ରୀ କହୁଛନ୍ତି, ଜିଲ୍ଲାପାଳ ଘଟଣାର ତଦନ୍ତ କରୁଛନ୍ତି । କେଉଁଠି ଫୌଜଦାରୀ ମାମଲା ଜିଲ୍ଲାପାଳ ତଦନ୍ତ କରନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା । ଯଦି ଜିଲ୍ଲାପାଳ ତଦନ୍ତ କରୁଛନ୍ତି ତାହେଲେ SP, IIC କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି ? ଏଏସଓଙ୍କୁ କି ପ୍ରକାର ସୁରକ୍ଷା ଓ ନ୍ଯାୟ ଦିଆଯାଇଛି ମୁଖ୍ଯମନ୍ତ୍ରୀ ସେ ସମ୍ପର୍କରେ ଗୃହରେ ବିବୃତି ରଖନ୍ତୁ । ଓଡ଼ିଆ ଅସ୍ମିତାର କଥା କହି ଆସିଥିବା ସରକାର କେମିତି ଓଡ଼ିଆଙ୍କୁ ସୁରକ୍ଷା ଦେଉଛି ତାହା ଜଳଜଳ ହୋଇଦିଶୁଛି ବୋଲି କହିଥିଲେ ପ୍ରମିଳା । ଖାଲି ସେତିକି ନୁହେଁ ସରକାର ରାଜ୍ଯପାଳଙ୍କ ପୁଅକୁ ଘଣ୍ଟ ଘୋଡ଼ାଉଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ଯ ମଧ୍ୟ । ଏଏସଓଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ମାଡ ମାରିବା ଘଟଣା ଏବେ ରାଜ୍ୟ ଏବଂ ଜାତୀୟ ଗଣମାଧ୍ୟମରେ ଖାଲି ଖବର ପ୍ରକାଶ ପାଇଛି ତାହା ନୁହେଁ, ଏହି ପ୍ରସଙ୍ଗ ବିଧାନସଭାର ଏକ ମୁଖ୍ୟ ପ୍ରସଙ୍ଗ ହୋଇସାରିଛି । ତେବେ ୟାକୁ ନେଇ ପ୍ରସଙ୍ଗ କରାଯିବନା ଏଏସଓଙ୍କୁ କେବେ ନ୍ୟାୟ ମିଳିବ, ତାକୁ କେବଳ ଅପେକ୍ଷା ।