ପ୍ରତିଦିନ ବିଦ୍ୟୁତ୍ କାଟର ସାମ୍ନା କରୁଛି ଭାରତ
ନୂଆଦିଲ୍ଲୀ: ଦେଶରେ ୮୫ ପ୍ରତିଶତ ଲୋକ ପ୍ରତିଦିନ ବିଦ୍ୟୁତ୍ କାଟର ସାମ୍ନା କରୁଛନ୍ତି। ଦିନକୁ ଥରେ ଏବଂ ଏକାଧିକ ଥର ସେମାନଙ୍କ ଘରେ ବିଜୁଳି କଟୁଛି। ଜେନେରେଟର କିମ୍ବା ଇନଭର୍ଟର ନଥିବାରୁ ବିଦ୍ୟୁତ୍ କାଟ୍ ହେଲେ ଲୋକଙ୍କୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଲୋକାଲସର୍କଲ୍ସ ନାମକ ସଂସ୍ଥା ପକ୍ଷରୁ ଦେଶର ୨୭୨ଟି ଜିଲ୍ଲାର ୨୫ ହଜାରରୁ ଅଧିକ ଲୋକଙ୍କୁ ନେଇ ଉକ୍ତ ସର୍ଭେ ହୋଇଥିଲା। ପ୍ରତିଦିନ ଘରେ କେତେଥର ବିଜୁଳି କାଟ ହେଉଥିବା ସଂପର୍କରେ ପଚରାଯାଇଥିବା ଏକ ପ୍ରଶ୍ନରେ ୬୩ ପ୍ରତିଶତ ବା ପ୍ରତି ୧୦ ଜଣରେ ୬ ଜଣ କହିଛନ୍ତି ଦିନକୁ ଥରକରୁ ଦୁଇ ଥର ପର୍ଯ୍ୟନ୍ତ ସେମାନଙ୍କ ଘରେ ବିଜୁଳି କାଟ ହେଉଛି। ଏଥିସହିତ ୨୨ ପ୍ରତିଶତ ଲୋକ କହିଛନ୍ତି ଦିନକୁ ୩ରୁ ୫ ଥର ପର୍ଯ୍ୟନ୍ତ ସେମାନେ ବିଦ୍ୟୁତ୍ କାଟଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ତେବେ ୯ ପ୍ରତିଶତ ଲୋକ କହିଛନ୍ତି ସେମାନଙ୍କ ନିକଟରେ ୨୪ ଘଣ୍ଟିଆ ବିକଳ୍ପ ବିଜୁଳି ବ୍ୟବସ୍ଥା ବା ପାୱାର ବ୍ୟାକଅପ୍ ଥିବାରୁ ସେମାନେ ଏ ନେଇ କିଛି ଜାଣିପାରନ୍ତି ନାହିଁ। କିନ୍ତୁ ୬ ପ୍ରତିଶତ ଲୋକ କିଛି କହିପାରିବେ ନାହିଁ ବୋଲି ମତ ଦେଇଛନ୍ତି। ସେହିଭଳି ଦିନକୁ କେତେ ସମୟ ବିଜୁଳି କଟୁଛି ସଂପର୍କିତ ପ୍ରଶ୍ନରେ ସର୍ଭେରେ ଭାଗ ନେଇଥିବା ଲୋକମାନେ ଏହା ଦୁଇ ଘଣ୍ଟା ପର୍ଯ୍ୟନ୍ତ ବୋଲି କହିଛନ୍ତି। ୩୭ ପ୍ରତିଶତ ଲୋକଙ୍କ କହିବାନୁଯାୟୀ ସେମାନେ ୨ରୁ ୮ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି କାଟ୍ର ସମ୍ମୁଖୀନ ହେଉଛନ୍ତି। ସର୍ଭେରେ ଭାଗ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୬୭ ପ୍ରତିଶତ ପୁରୁଷ ହୋଇଥିବାବେଳେ ୩୩ ପ୍ରତିଶତ ମହିଳା। ସର୍ଭେରେ ଭାଗ ନେଇଥିବା ପାଖାପାଖି ୪୬ ପ୍ରତିଶତ ପ୍ରଥମ ଶ୍ରେଣୀ ଜିଲ୍ଲାର ହୋଇଥିବା ବେଳେ ୩୩ ପ୍ରତିଶତ ଦ୍ବିତୀୟ ଶ୍ରେଣୀ ଜିଲ୍ଲାର ଏବଂ ୨୧ ପ୍ରତିଶତ ଲୋକ ତୃତୀୟ ଓ ଚତୁର୍ଥ ଶ୍ରେଣୀ ଜିଲ୍ଲାର।




admin 