ଅନଲାଇନ କ୍ଲାସ ବେଳେ ଘୂରିବୁଲିଲା ଅଶ୍ଳୀଳ ଭିଡିଓ

ଅନଲାଇନ କ୍ଲାସ ବେଳେ ଘୂରିବୁଲିଲା ଅଶ୍ଳୀଳ ଭିଡିଓ

ଅନଲାଇନ କ୍ଲାସ ବେଳେ ଘୂରିବୁଲିଲା ଅଶ୍ଳୀଳ ଭିଡିଓ
ଲକଡାଉନ ପାଇଁ କିଛି ସ୍କୁଲ କର୍ତ୍ତୃପକ୍ଷ ଅନଲାଇନରେ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି । ଏକ ଘରୋଇ ସ୍କୁଲରେ ଏଭଳି ଅନଲାଇନ ପାଠ ପଢ଼ା ବେଳେ ଅଘଟଣ ହୋଇଛି । କେହି ଜଣେ ଦୁର୍ବୃତ୍ତ ଏହି ଅନଲାଇନ ସାଇଟରେ ପଶି ହଠାତ ଅଶ୍ଳୀଳ ଭିଡ଼ିଓ ଛାଡ଼ି ଦେଇଛି । ଫଳରେ ପାଠ ପଢ଼ୁଥିବା ଶହ ଶହ ଛାତ୍ରଛାତ୍ରୀ ଓ ସ୍କୁଲର ଏକାଧିକ ଶିକ୍ଷକ ଉକ୍ତ ଭିଡିଓ ଦେଖିବା ସହିତ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାଟି ଘଟିଛି ଚାଉଳିଆ ଥାନା ଅନ୍ତର୍ଗତ ଏକ ପ୍ରତିଷ୍ଠିତ ସ୍କୁଲରେ । ଏ ନେଇ ଥାନାରେ ଏତଲା ଦାୟର ହୋଇଛି । ଗଲା ୨୨ ଦିନ ହେବ କଟକରେ ଲକଡାଉନ ହେଲାଣି । ଏଥିପାଇଁ ସ୍କୁଲ କଲେଜ ଏବେ ସମ୍ପୂର୍ଣ୍ଣ ବନ୍ଦ । ପିଲାଙ୍କ ପାଠ ପଢ଼ା ଏକପ୍ରକାର ଅଧାରେ ଅଟକି ରହିଛି । ତେଣୁ କିଛି ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ନୂଆ କୋର୍ସକୁ ନେଇ ଅନଲାଇନରେ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି । ନିର୍ଦ୍ଦିଷ୍ଟ ଏକ ୱେବସାଇଟ ଜରିଆରେ ପିଲାମାନେ ଘରେ ରହି ଲାପଟପ ଓ ମୋବାଇଲରେ ଯୋଗେ ପାଠ ପଢ଼ିପାରୁଛନ୍ତି । ଏହି କ୍ରମରେ ଚାଉଳିଆଗ ଥାନା ଅନ୍ତର୍ଗତ ଏକ ସ୍କୁଲର ଦ୍ୱାଦଶ ଶ୍ରେଣୀର ପିଲାଙ୍କର ଅନଲାଇନ ପାଠପଢ଼ା ଗତ କିଛି ଦିନ ହେବ ଆରମ୍ଭ ହୋଇଛି । ତେବେ ଦୁଇ ଦିନ ତଳର ଘଟଣା । ଦ୍ୱାଦଶ ପାଠ ପଢ଼ା ଚାଲିଥାଏ । ପିଲାମାନଙ୍କୁ ଦିଆଯାଇଥିବା ୟୁଜର ଆଇଡି ଓ ପାସୱାର୍ଡ ଜରିଆରେ ନିଜ ନିଜ ଘରେ ବସି ପାଠ ପଢ଼ୁ୍‌ଥାନ୍ତି । ସ୍କୁଲର ଜଣେ ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଉଥାନ୍ତି । ଏହି ସମୟରେ ହଠାତ ସବୁ ପିଲାଙ୍କ ମୋବାଇଲ ଓ କମ୍ପ୍ୟୁଟର ସ୍କ୍ରିନରେ ଏକ ଅଶ୍ଳୀଳ ଭିଡିଓ ଚାଲିବାକୁ ଲାଗିଲା । କେହି କିଛି ବୁଝିବା ଆଗରୁ ଭିଡ଼ିଓଟି ଚାଲିଲା । ତେବେ ଅଶ୍ଳୀଳ ଭିଡିଓଟି ହଠାତ ପାଠପଢ଼ା ଭିତରେ ଆସିବାରୁ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଅଡୁଆରେ ପଡ଼ିଗଲେ । ତୁରନ୍ତ ପିଲାମାନେ ନିଜର କମ୍ପ୍ୟୁଟର ସ୍କ୍ରିନ ବନ୍ଦ କରିଦେଲେ । ଯେଉଁ ଶିକ୍ଷକ ପାଠ ପଢ଼ାଉଥିଲେ ସେ ମଧ୍ୟ କମ୍ପ୍ୟୁଟର ଲଗ ଆଉଟ କରିଦେଲେ । ତେବେ କିଛି ସମୟ ପରେ ଜଣାପଡ଼ିଲାକି କେହି ଦୁର୍ବୃତ୍ତ ଫେକ ଆଇଡି ପ୍ରସ୍ତୁତ କରି ଏଭଳି କାଣ୍ଡ କରିଛି । ମାତ୍ର ସେ କିଏ ବୋଲି ଜଣାପଡ଼ିନାହିଁ । ଘଟଣାଟି ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଲା । ପୁନର୍ବାର ଆଉ ଅନଲାଇନ ପାଠ ପଢ଼ା ନଯାଉ ବୋଲି କିଛି ଅଭିଭାବକ ଦାବି କଲେ । ଏହା ମଧ୍ୟରେ ସ୍କୁଲ କର୍ତ୍ତୃପକ୍ଷ ସ୍ଥିର କଲେ କି ଏ ନେଇ ଥାନାରେ ଅଭିଯୋଗ କରାଯିବ । ଏହା ପରେ ଚାଉଳିଆଗଞ୍ଜ ଥାନାରେ ଲିଖିତ ଅଭିଯୋଗ କରାଗଲା । ଅଭିଯୋଗ ପାଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପଛରେ କିଏ ରହିଛି ତାହା ଜାଣିବା ପାଇଁ କ୍ରାଇମବ୍ରାଞ୍ଚଠାରୁ ସହଯୋଗ ମଧ୍ୟ ଲୋଡ଼ାଯାଇଛି । ତେବେ ସ୍କୁଲର କେହି ପିଲା ୟୁଜର ଆଇଡି ଓ ପାସୱାର୍ଡ କାହାକୁ ଦେବାରୁ ଏଭଳି ଘଟଣା ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି ।