ଅର୍ଣ୍ଣବଙ୍କ ବିରୋଧରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସର ଏତଲା

ଅର୍ଣ୍ଣବଙ୍କ ବିରୋଧରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସର ଏତଲା

ଅର୍ଣ୍ଣବଙ୍କ ବିରୋଧରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସର ଏତଲା
ଭୁବନେଶ୍ୱର : ରିପ୍ଲବିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଏତଲା ଦେଇଛନ୍ତି । ଅର୍ଣ୍ଣବଙ୍କ ବିରୋଧରେ ଆଇପିସିର ଧାରା ୧୧୭, ୧୨୦ବି, ୧୫୩ଏ, ୨୯୫ଏ, ୨୯୮, ୫୦୦, ୫୦୪, ୫୦୫ ଓ ୫୦୬ ଆଧାରରେ ମାମଲା ରୁଜୁ କରିବାକୁ ସେ ଦାବି କରିଛନ୍ତି । ନିଜ ଏତଲାରେ ସେ ଦର୍ଶାଇଛନ୍ତିଯେ, ଅର୍ଣ୍ଣବ ନିଜ ଚ୍ୟାନେଲରେ ପାଲଘର ଭିଡ଼ହିଂସା ଉପରେ କରୁଥିବା ବିତର୍କରେ ସୋନିଆ ଗାନ୍ଧୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିବା ସହ ଆକ୍ଷେପ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅର୍ଣ୍ଣବ ସାମ୍ପ୍ରଦାୟିକ ହିଂସାକୁ ମଧ୍ୟ ପ୍ରୋତ୍ସାହିତ କରିଥିଲେ । କୌଣସି ମୌଲବୀ ଓ ପାଦ୍ରିଙ୍କ ଉପରେ ଆକ୍ରମଣ ହୋଇଥିଲେ ଇଟାଲୀ ବାଲି ସୋନିଆ ଗାନ୍ଧୀ ଓ ତାଙ୍କ ଦଳର କର୍ମୀମାନେ ତୀବ୍ର ବିରୋଧ କରିଥା’ନ୍ତେ । କିନ୍ତୁ ଏବେ ମହାରାଷ୍ଟ୍ରରେ ତାଙ୍କ ସରକାର ଚାଲିଥିବାରୁ ଚୁପ ବସିଛନ୍ତି । ହିନ୍ଦୁମାନଙ୍କୁ ମାରୁଛି ବୋଲି କହି ସେ ପ୍ରଶଂସା ପାଇବାକୁ ଇଟାଲୀକୁ ରିପୋର୍ଟ ମଧ୍ୟ ପଠାଇଥା’ନ୍ତେ । ଏଭଳି ବିବୃତି ଦେଇ ଅର୍ଣ୍ଣବ ମୁସଲିମ ଓ ଖ୍ରୀଷ୍ଟିୟାନଙ୍କ ପ୍ରତି ଦ୍ୱେଷ ସୃଷ୍ଟି କରିବାର ପ୍ରୟାସ କରିଛନ୍ତି । କରୋନା ମୁକାବିଲା ପାଇଁ ସାରା ଦେଶ ଏକାଠି ଲଢ଼ୁଥିବାବେଳେ ଅର୍ଣ୍ଣବ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ପାଇଁ ପ୍ରୋତ୍ସାହିତ କରିଛନ୍ତି । ବିତର୍କରେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପ୍ରତି ଅନାବଶ୍ୟକ ଓ ଭିତିହୀନ ବିବୃତି ମଧ୍ୟ ଦେଇଛନ୍ତି । ଅର୍ଣ୍ଣବଙ୍କ ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲେବି ସେ ନିଜ ମନ୍ତବ୍ୟକୁ ନେଇ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି କି କ୍ଷମା ମାଗିନାହାନ୍ତି । ତାଙ୍କର ବକ୍ତବ୍ୟ ରାଜନୈତିକ ଉଦେ୍ଧଶ୍ୟ ପ୍ରଣୋଦିତ । ସେହିପରି ତାଙ୍କର ବକ୍ତବ୍ୟ ଦ୍ୱାରା ସଂଖ୍ୟାଲଘୁ ସମ୍ପ୍ରଦାୟ ସ୍ୱାଭାବିକ ଭାବେ ଅସୁରକ୍ଷିତ ମନେ କରୁଛନ୍ତି । ସମ୍ବିଧାନରେ ଧର୍ମନିରପେକ୍ଷତାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ସୁପ୍ରିମକୋର୍ଟ ମଧ୍ୟ ଧର୍ମନିରପେକ୍ଷତା ଆମ ସମ୍ବିଧାନର ମୂଳ ଭିତି ବୋଲି କହିଛନ୍ତି । ଭାରତର ଜଣେ ନାଗରିକ ଭାବେ ସେ ଏହି ଏତଲା ଦେଇଛନ୍ତି ବୋଲି ଶ୍ରୀ ଚୌଧୁରୀ ଓ ତାଙ୍କର ସମର୍ଥକମାନେ ଦର୍ଶାଇଛନ୍ତି । ଲକଡାଉନ ପାଇଁ ଶ୍ରୀ ଚୌଧୁରୀ ଏବେ ବୟାଳିଶ ମୌଜାରେ ରହୁଥିବାରୁ କଟକ ସଦର ଥାନାରେ ସେ ଏତଲା ଦାଏର କରିଛନ୍ତି । ଶ୍ରୀ ଚୌଧୁରୀଙ୍କ ସହ ଜୋନ ସଭାପତି ଗଣେଶ୍ୱର ପରିଡ଼ା, ପୂର୍ବତନ ସରପଞ୍ଚ ରାମ ଗୋଚ୍ଛାୟତ ,କଟକ ଜିଲ୍ଲା ସମ୍ପାଦକ ରଂଜନ କୁମାର ସେନାପତି, ବିଭୂତିଭୂଷଣ ଜେନା, ଜିଲ୍ଲା ସଂଖ୍ୟାଲଘୁ ସେଲର ମହମ୍ମଦ ମେହତାଜ, ଚନ୍ଦ୍ରକାନ୍ତ ନାୟକ, ନିରଂଜନ ସାହୁ, ମିହିର କୁମାର ଦାସ, ସିଦେ୍ଧଶ୍ୱର ପତି, ଦେବେନ୍ଦ୍ର କୁମାର ବେହେରା, ପାର୍ଥସାରଥି ପାଣିଗ୍ରାହୀ, ବିଜୟ ମଲ୍ଲିକ, ନରେନ୍ଦ୍ର ମଲ୍ଲିକ, କାବୁଲା ଭୋଇ, ଅକ୍ଷୟ କୁମାର ପୃଷ୍ଟି, ଭୁବନେଶ୍ବର ମହିଳା କଂଗ୍ରେସ ସଭାପତି ଗୀତାଞ୍ଜଳି ମହାନ୍ତିଙ୍କ ନେତୃତ ରେ ଡିସିସି ଭିପି ଆଶିଷ ମଲ୍ଲିକ, ଅଶୋକ ଦାସ ,ମନୋରଞ୍ଜନ ଜେନା ପ୍ରମୁଖ କଟକ ସଦର ଥାନା ଯାଇ ଏତଲା ଦେଇଛନ୍ତି । ଅପରପକ୍ଷରେ ଭୁବନେଶ୍ୱରରେ କାର୍ଯ୍ୟକାରୀ ସଭାପତି ରଶ୍ମୀ ମହାପାତ୍ରଙ୍କ ନେତୃତ୍ୱରେ ଉପସଭାପତି ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ସମ୍ପାଦକ ସଂଜୀବ ପୂଜାପଣ୍ଡା, ଶ୍ରୀୟାସ୍ମିତା ପଣ୍ଡା, ରମାକାନ୍ତ ସାହୁ ପ୍ରମୁଖ ଲିଙ୍ଗରାଜ ଥାନାରେ ଏତଲା ଦାଏର କରିଥିବା ବେଳେ ଛାତ୍ର ନେତା ରାଜୀବ କୁମାର ପଟ୍ଟନାୟକ, ରଂଜିତ ପାତ୍ର, ୟାସିର ନୱାଜ ପ୍ରମୁଖ ମଧ୍ୟ କ୍ୟାପିଟାଲ ଥାନାରେ ଏତଲା ଦାଏର କରିଛନ୍ତି ।