ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ।

ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ।

ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ।
ସେ ପତିତପାବନ । ସେ ଲୀଳାମୟୀ । ସେ କୋଟି ଓଡିଆର ମଉଡମଣି । ଭକ୍ତ ଭାବରେ ବନ୍ଧା ଭାବଗ୍ରାହୀ । ତାଙ୍କ ଲୀଳାଖଳାରେ ସେ ସାରା ଜଗତକୁ ବାନ୍ଧିଛନ୍ତି । ଭକ୍ତ ପାଇଁ ମର୍ତ୍ୟମଣ୍ଡଳରେ ସେ ଦେଖଉଛନ୍ତି ମାନବୀୟ ଲୀଳା । ପତିତ ଉଦ୍ଧାର ପାଇଁ ପ୍ରତିବର୍ଷ ପ୍ରଭୁ ରଥାରୂଢ ହୁଅନ୍ତି । ହେଲେ ଏବର୍ଷ ଘୋଷଯାତ୍ରା ସବୁ ବର୍ଷ ଠାରୁ କିଛି ଭିନ୍ନ ଢଙ୍ଗରେ ହେଉଛି । ଯାହା ସ୍ୱର୍ଣ୍ଣକ୍ଷରରେ ଲୀପିବଦ୍ଧ ହୋଇ ରହିବ । ମହାମାରୀ କରୋନାର ସଙ୍କଟ ସମୟରେ ରଥଯାତ୍ରା ବନ୍ଦ ହେବାର ନିଷ୍ପତି ଏକ ପ୍ରକାର ଚୂଡାନ୍ତ ହୋଇଥିଲେ ମଧ୍ୟ ପ୍ରଭୁଙ୍କ ଅଲୌକିକ ଲୀଳା ଦେଖିଲା ସାରା ବିଶ୍ୱ । ଆଜି ଶ୍ରୀ ଜିଉଙ୍କ ୩ରଥ ବଡଦଣ୍ଡରେ ଗଡିବ । ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ । ମହାପ୍ରଭୁ ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହୋତ୍ସବ ହିଁ ଶ୍ରେଷ୍ଠ ବୋଲି ସ୍କନ୍ଧ ପୁରାଣର ପୁରୁଷୋତମ ମାହାତ୍ମ୍ୟରେ କୁହାଯାଇଛି । ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ, ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ । ରଥରେ ଥିବା ସମୟରେ ଓ ରଥରେ ଯାତ୍ରା ସମୟରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ମହାପୁଣ୍ୟ ଲାଭ ହୁଏ । ରଥଯାତ୍ରାଠାରୁ ଅଧିକ ଶାସ୍ତ୍ରସମ୍ମତ ଉତ୍ସବ ଆଉ କିଛି ନାହିଁ । ଏହାର ମାହାତ୍ମ୍ୟ ଅବର୍ଣ୍ଣନୀୟ ବୋଲି ସ୍ୱୀକାର କରାଯାଇଛି । ଏ ସମୟରେ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିବା, ତାଙ୍କ ରଥଦାଣ୍ଡରେ ଧୂଳି ମୁଣ୍ଡରେ ବୋଳିହେବା, ବେଦମନ୍ତ୍ର, ପୌରାଣିକ ସ୍ତୁତି ଆଦି ପାଠ କରିବା, ଜୟଧ୍ୱନି କରିବା, ଶ୍ରୀଜଗନ୍ନାଥଙ୍କ ଲୀଳା କୀର୍ତନ ଆଦି ପୂଣ୍ୟକର୍ମ କରିବାକୁ ସ୍କନ୍ଧ ପୁରାଣରେ ବିଧାନ ରହିଛି ।