ଇରାନ୍ କମାଣ୍ଡର ସୁଲେମାନୀ ନିହତ

ଇରାନ୍ କମାଣ୍ଡର ସୁଲେମାନୀ ନିହତ

ଇରାନ୍ କମାଣ୍ଡର ସୁଲେମାନୀ ନିହତ
ଇରାକ୍ ମିଲିସିଆ କମାଣ୍ଡର ଆବୁ ମେହଦି ସମେତ ଆଉ ୭ ମୃତ, ମଧ୍ୟପ୍ରାଚ୍ୟରେ ଆଲୋଡ଼ନ; ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା, ରୁଷିଆ ଓ ଚୀନର ନିନ୍ଦା; ବ୍ରିଟେନ, ଜର୍ମାନୀ, ଇସ୍ରାଏଲର ସମର୍ଥନ, ଆମେରିକା ଭୟଙ୍କର ପରିଣାମ ଭୋଗିବ: ଇରାନ ବାଗଦାଦ: ଇରାନର ସବୁଠାରୁ ଶକ୍ତିଶାଳୀ କମାଣ୍ଡର ଜେନେରାଲ କ୍ୱାସିମ ସୁଲେମାନୀ ଶୁକ୍ରବାର ବାଗ୍ଦାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ନିହତ ହୋଇଛନ୍ତି । ଆମେରିକା ବାୟୁସେନା ସୁଲେମାନୀଙ୍କୁ ଟାର୍ଗେଟ୍ କରି ଡ୍ରୋନରୁ ୩ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଏଥିରେ ସୁଲେମାନୀଙ୍କ ସମେତ ଆଉ ୮ ଜଣ ନିହତ ହୋଇଥିବା ଜଣାପଡ଼ିଛି । ନିହତଙ୍କ ମଧ୍ୟରେ ଇରାକର ଉଗ୍ରବାଦୀ ସଂଗଠନ କତାଇବ୍ ହିଜ୍ବୁଲ୍ଲାର କମାଣ୍ଡର ଅବୁ ମେହଦି ଏବଂ ଇରାନ୍ ସେନାର ୩ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ପ୍ରାଣ ହରାଇଥିବା ଇରାକ୍ ସରକାର ସ୍ପଷ୍ଟ କରିଛନ୍ତି । ଏଭଳି ଅପ୍ରତ୍ୟାଶିତ ଆକ୍ରମଣ ସମଗ୍ର ମଧ୍ୟପ୍ରାଚ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ସମଗ୍ର ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆୟାତୋଲ୍ଲା ଖାମିନୀଙ୍କ ପରେ ଇରାନର ଦ୍ୱିତୀୟ ଶକ୍ତିଶାଳୀ ନେତା ଭାବେ ପରିଚିତ ଜେନେରାଲ ସୁଲେମାନୀ ହେଉଛନ୍ତି ଇରାନ ରିଭୋଲ୍ୟୁସନାରି ଗାର୍ଡର ପ୍ରମୁଖ ବିନ୍ଧାଣି ଏବଂ ସବୁଠୁ ଶକ୍ତିଶାଳୀ କୁଦ୍ସ ସେନାର ମୁଖ୍ୟ । ମଧ୍ୟପ୍ରାଚ୍ୟରେ ଇରାନର ସବୁତକ ସାମରିକ କାର୍ଯ୍ୟାନୁଷ୍ଠାନର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ସୁଲେମାନୀ ତାଙ୍କର ଆମେରିକା ବିରୋଧୀ ଆଭିମୁଖ୍ୟ ପାଇଁ ପରିଚିତ ଥିଲେ । ତେଣୁ ତାଙ୍କୁ ହତ୍ୟା କରିବା ପାଇଁ ଆମେରିକା ବହୁଦିନରୁ ଚେଷ୍ଟା ଚଳାଇଥିଲା । ଶୁକ୍ରବାର ସକାଳେ ଜେନେରାଲ ସୁଲେମାନୀ ଏବଂ ଅନ୍ୟ ଅଧିକାରୀମାନେ ୨ଟି କାର୍ରେ ବାଗଦାଦ ବିମାନବନ୍ଦରକୁ ଯାଉଥିବା ବେଳେ ବିମାନବନ୍ଦର ସଂଲଗ୍ନ ରାସ୍ତାରେ ସେମାନଙ୍କ ଉପରେ ଡ୍ରୋନ୍ରୁ ଲଗାତାର ୩ଟି କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା ।