ଓଡ଼ିଶାର ଶ୍ରୀୟା ଭାରତର ପ୍ରଥମ କେ-ପପ୍ ଷ୍ଟାର
ଓଡ଼ିଶାର ଶ୍ରୀୟା ଭାରତର ପ୍ରଥମ କେ-ପପ୍ ଷ୍ଟାର

ନୂଆଦିଲ୍ଲୀ: ଓଡ଼ିଶାର ୧୮ ବର୍ଷୀୟ ଶ୍ରୀୟା ଲେଙ୍କା ପ୍ରଥମ ଭାରତୀୟ ଭାବେ କେ-ପପ ଷ୍ଟାର ହେବାର ଗୌରବ ହାସଲ କରିଛନ୍ତି। ଶ୍ରୀୟା କୋରିଆର ପ୍ରସିଦ୍ଧ ପପ୍ ବ୍ୟାଣ୍ଡ ବ୍ଲାକସ୍ୱାନରେ ସାମିଲ ହୋଇଛନ୍ତି। ତାଙ୍କ ସହ ବ୍ରାଜିଲର ଗାବ୍ରିଏଲା ଡାଲସିନ୍ଙ୍କୁ ବି ଚୟନ କରାଯାଇଛି।
ବ୍ଲାକସ୍ୱାନର ଡିଆର ମ୍ୟୁଜିକ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଶ୍ରୀୟା ଲେଙ୍କା ଓ ଡାଲସିନ୍ ଶେଷରେ ବ୍ଲାକସ୍ୱାନର ସଦସ୍ୟ ଭାବେ ଚୟନ ହୋଇଛନ୍ତି। ଗତ ୬ ମାସ ହେଲା ଏମାନେ ବିଶ୍ୱସ୍ତରୀୟ ଅଡିସନରେ ଭାଗ ନେଇଥିଲେ। ନିଜ ଦକ୍ଷତା ପ୍ରଦର୍ଶନ କରି ଉଭୟ ବ୍ଲାକସ୍ୱାନରେ ସାମିଲ ହେବାକୁ ଯୋଗ୍ୟତା ଅର୍ଜନ କରିଥିବା ଡିଆର ମ୍ୟୁଜିକ କହିଛି।
ବ୍ଲାକସ୍ୱାନରେ ଏବେ ୬ ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ୟଙ୍ଗହେଉନ, ଫାଟୋଉ, ଜୁଡୀ, ଲେଆ, ଶ୍ରୀୟା ଓ ଗାବି। ଓଡ଼ିଶାର ରାଉରକେଲା ସହରରେ ଜନ୍ମ ଗ୍ରହଣ କରିଥିବା ଶ୍ରୀୟା ଲେଙ୍କା ଗତ ବର୍ଷ ଡିସେମ୍ବରରେ ସିଓଲରେ ହେବାକୁ ଥିବା ଅନ୍ତିମ ପର୍ୟ୍ୟାୟ ଟ୍ରେନିଂ ପାଇଁ ମନୋନୀତ ହୋଇଥିଲେ। ଟ୍ରେନିଂ ପରେ ସେ ବ୍ୟାଣ୍ତ ପାଇଁ ଚୟନ ହୋଇଛନ୍ତି।
ନଭେମ୍ବର ୨୦୨୦ରେ ଏହି ଗ୍ରୁପର ସବୁଠାରୁ ପୁରୁଣା ସଦସ୍ୟ ହେମେ ବ୍ୟାଣ୍ଡକୁ ବାଏବାଏ କହିଥିଲେ। ତାଙ୍କ ସ୍ଥାନରେ ନୂଆ ସଦସ୍ୟଙ୍କୁ ନେବା ପାଇଁ ଡିଆର ମ୍ୟୁଜିକ୍ ଗତବର୍ଷ ମେ’ ମାସରେ ବିଶ୍ୱସ୍ତରୀୟ ଅଡିସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଶ୍ରୀୟା ଓ ୧୯ ବର୍ଷ ବୟସ୍କ ବ୍ରାଜିଲର ଡାଲସିନ ଅଡିସନ ଦେଇଥିଲେ। ୟୁଟ୍ୟୁବରେ ଅଡିସନ ଦେଇଥିବା ୪ ହଜାର ଆଶାୟୀଙ୍କ ମଧ୍ୟରୁ ଡିଆର ମ୍ୟୁଜିକ ଶ୍ରୀୟା ଓ ଡାଲିକନଙ୍କୁ ଚୂଡ଼ାନ୍ତ ତାଲିମ ପାଇଁ ମନୋନୀତ କରିଥିଲା।