ଦେଶବ୍ୟାପୀ ହେବ ଏନଆରସି

ଦେଶବ୍ୟାପୀ ହେବ ଏନଆରସି

ଦେଶବ୍ୟାପୀ ହେବ ଏନଆରସି
ନୂଆଦିଲ୍ଲୀ: ସାରା ଦେଶରେ ଲାଗୁ ହେବ ଜାତୀୟ ନାଗରିକ ପଞ୍ଜିକା ବା ଏନଆରସି । ଏହା କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ରାଜ୍ୟ ସଭାରେ ସ୍ୱପନ ଦାସଗୁପ୍ତାଙ୍କ ପ୍ରଶ୍ନରେ ଉତ୍ତର ରଖି ଅମିତ ଶାହା ଏହା କହିଛନ୍ତି । ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶରେ ଆସାମରେ ଏନଆରସି କରାଯାଇଥିଲା । ଦେଶବ୍ୟାପୀ ଏନଆରସି ହେବ । ତେବେ ଏନେଇ କୌଣସି ଧର୍ମର ଲୋକ ଭୟଭୀତ ହେବା ଅନୁଚିତ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି । ବୁଧବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ କହିଛନ୍ତି ଯେ କଶ୍ମୀରରେ କର୍ଫ୍ୟୁ ନାହିଁ ଏବଂ ସ୍ୱାଭାବିକତା ଫେରି ଆସିଛି। ରାଜ୍ୟସଭାରେ ଷ୍ଟାଟସ୍‌ ରିପୋର୍ଟ ଉପସ୍ଥାପନ କରି ଅମିତ ଶାହା ଉପତ୍ୟକାରେ ଇଣ୍ଟର୍‌ନେଟ୍‌ ନିଷେଧକୁ ସମର୍ଥନ କରିଛନ୍ତି। ସେ କହିଲେ ସ୍ଥାନୀୟ ପ୍ରଶାସନ ଅନ୍ୟାନ୍ୟ ନିଷ୍ପତ୍ତିର ସମୀକ୍ଷା କରିବ। ଇଣ୍ଟର୍‌ନେଟ୍‌ ସର୍ଭିସ୍‌ ସମ୍ପର୍କରେ ଜମ୍ମୁ ଓ କଶ୍ମୀର କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। କଶ୍ମୀର ଅଞ୍ଚଳରେ ପାକିସ୍ତାନର କାର୍ୟ୍ୟକଳାପ ମଧ୍ୟ ଚାଲିଛି। ତେଣୁ ସୁରକ୍ଷାକୁ ଦୃଷ୍ଟି ରଖି ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଅନୁସାରେ ନିଷ୍ପତ୍ତି ଗ୍ରହଣ କରିବ। ଅମିତ ଶାହା ଆହୁରି କହିଲେ କି, ଜମ୍ମୁ ଓ କଶ୍ମୀରର କୌଣସି ଥାନା ଅଞ୍ଚଳରେ କର୍ଫ୍ୟୁ ନାହିଁ। ଯଥେଷ୍ଟ ପରିମାଣର ଔଷଧ ମିଳୁଛି, କୌଣସି ସମସ୍ୟା ନାହିଁ। ଭ୍ରାମ୍ୟମାଣ ଔଷଧ ଗାଡ଼ି ବୁଲାଇବା ଆରମ୍ଭ ହୋଇଛି। ପ୍ରଶାସନ ସ୍ୱାସ୍ଥ୍ୟସେବା କଥା ବୁଝୁଛି। କଂଗ୍ରେସ ସଦସ୍ୟମାନେ କଶ୍ମୀର ପରିସ୍ଥିତି ସଂକ୍ରାନ୍ତରେ ହଟ୍ଟଗୋଳ କରିବାରୁ ଅମିତ ଶାହା କହିଲେ, ଜାତୀୟ ନିରାପତ୍ତା ଇଣ୍ଟର୍‌ନେଟ୍‌ ଠାରୁ ଊର୍ଦ୍ଧ୍ୱରେ। ଜମ୍ମୁ ଓ କଶ୍ମୀରରେ କେବେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ପଚରାଯିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଲେ ଯେ କଶ୍ମୀରରେ ପରିସ୍ଥିତି ସ୍ୱାଭାବିକ ହୋଇ ସାରିଛି।