କଟକ ଦିନିକିଆ ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

କଟକ ଦିନିକିଆ ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

କଟକ ଦିନିକିଆ ପାଇଁ  କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏକଦିବସୀୟ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହେବ । ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ଆଜି କମିସନରେଟ୍ ପୁଲିସ ମୁଖ୍ୟାଳୟରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ କର୍ମକର୍ତ୍ତାଙ୍କ ସହ କମିସନରେଟ୍ ପୁଲିସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ସୁରକ୍ଷା ଓ ଶୃଙ୍ଖଳାକୁ ନେଇ ଆଲୋଚନା କରିଥିଲେ । ଏଥର ୪୦ହଜାର ଟିକେଟ ବିକ୍ରି ହେବା ସମ୍ଭାବନା ରହିଛି । ଡିସେମ୍ବର ୫ରୁ ଅନଲାଇନରେ ଟିକେଟ୍ ଉପଲବ୍ଧ ହେବ ଏବଂ ୧୯ରୁ ଅଫଲାଇନ ଅର୍ଥାତ୍ ସ୍ୱତନ୍ତ୍ର କାଉଣ୍ଟରରେ ଟିକେଟ୍ ବିକ୍ରି ହେବ । ଭିଡ଼କୁ ଏଡ଼ାଇବା ପାଇଁ ଅଧିକ କାଉଣ୍ଟର ଖୋଲିବା ପାଇଁ ଓସିଏକୁ ପରାମର୍ଶ ଦିଆଯାଇଛି । ପ୍ରଥମ ଥର ପାଇଁ ଟିକେଟ୍ରେ ୧୮ ପ୍ରତିଶତ ଜିଏସ୍ଟି ଲାଗିବାକୁ ଯାଉଥିବାରୁ ଟିକଟ ଦର ବଢ଼ିବା ଥୟ ହୋଇଛି । ଅନ୍ୟପଟେ ଟିକେଟ୍ ଜାଲି ଓ ବ୍ୟାପକ ବିଶୃଙ୍ଖଳା ହେଉଥିବାରୁ ଟିକେଟରେ ଡିସିପିଙ୍କ ଦସ୍ତଖତ ରଖିବା ପାଇଁ ନିଷ୍ପତ୍ତି ହୋଇଛି । ବାରବାଟୀରେ ୨୦୧୫ ମସିହାରେ ଦକ୍ଷିଣ ଆଫ୍ରିକା ସହ ହୋଇଥିବା ୨୦-୨୦ ମ୍ୟାଚରେ ବିଶୃଙ୍ଖଳା ସାରା ବିଶ୍ୱରେ ଓଡ଼ିଶାକୁ ନିନ୍ଦିତ କରିଥିଲା । ଏହାପରେ ୨୦୧୭ ମସିହାରେ ଶେଷ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ୨ ବର୍ଷ ପରେ ଏହି ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଅନ୍ୟପଟେ ନିକଟ ଅତୀତରେ ବିଶ୍ୱକପ୍ ହକି ଆୟୋଜନରେ ମିଳିଥିବା ବିପୁଳ ସଫଳତା ରାଜ୍ୟକୁ ଗର୍ବିତ କରିଛି । ତେଣୁ ସଫଳତାର ସହ ଆୟୋଜନର ଧାରାକୁ ବଜାୟ ରଖିବା ପାଇଁ କମିସନରେଟ୍ ପୁଲିସ ଉଦ୍ୟମ କରିବ । ଏହାକୁ ସେହି ହକି ବିଶ୍ୱକପ୍ ସ୍ତରରେ ଆୟୋଜନ କରିବା ଏକ ଆହ୍ୱାନ ବୋଲି ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ଲୋକେ ଖେଳ ଦେଖିବା ବେଳେ ସାଧାରଣତଃ ପାଣି, ଟଏଲେଟ, ଡଷ୍ଟବିନ ସମସ୍ୟା ଦେଖା ଯାଇଥାଏ । ଏଣୁ ଏଥର ଏଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହି ସମୟରେ ଖାଦ୍ୟ ଦର ଉପରେ ନିୟନ୍ତ୍ରଣ ରହୁ ନ ଥିବାରୁ ଏଥର କେତେକ ପ୍ରସିଦ୍ଧ ସଂସ୍ଥାଙ୍କୁ ଖାଦ୍ୟ ବିକ୍ରିର ସୁଯୋଗ ଦିଆଯିବ । ସେମାନେ ଧାର୍ଯ୍ୟ ଦର ନେବେ ଓ ଖାଦ୍ୟର ଗୁଣବତ୍ତା ବଜାୟ ରହିବ । ଅଧିକ ଦର ଅଭିଯାଗ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିଷ୍ପତ୍ତି ହୋଇଛି । ଖେଳାଳି ଓ କର୍ମକର୍ତ୍ତାମାନେ ଭୁବନେଶ୍ୱର ମେ ଫେୟାର ଓ ଅନ୍ୟାନ୍ୟ ହୋଟେଲରେ ରହିବେ । ଖେଳାଳିମାନେ ରହିବା ସମୟରେ ସେମାନଙ୍କର ନିରାପତ୍ତା ଦାୟିତ୍ୱରେ ଭୁବନେଶ୍ୱର ଡିସିପି ରହିବେ । ଷ୍ଟାଡିୟମ ଶୃଙ୍ଖଳା ଦାୟିତ୍ୱରେ କଟକ ଡିସିପି ଓ ଟ୍ରାଫିକ ଶୃଙ୍ଖଳା ଦାୟିତ୍ୱରେ ଟ୍ରାଫିକ ଡିସିପି ରହିବେ ବୋଲି ଘୋଷଣା କରାଯାଇଛି । ଆବଶ୍ୟକ ମୁତାବକ ପୁଲିସ ଫୋର୍ସ ଏହି ସବୁ ସୁରକ୍ଷା ପାଇଁ ଯୋଗାଇ ଦିଆଯିବ ବୋଲି କମିସନର କହିଛନ୍ତି । ଏ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ବିଭିନ୍ନ ସମୟରେ ମ୍ୟାଚ ଟିକେଟକୁ ନେଇ ବିଶୃଙ୍ଖଳା ହେବା ନଜିର ରହିଛି । ତୃତୀୟ ପକ୍ଷ ଏହାକୁ ରାଜ୍ୟ ବାହାରେ ତିଆରି କରିଥାଏ । ବେଳେ ବେଳେ ଷ୍ଟାଡିୟମରେ ସିଟ୍ଠାରୁ ଅଧିକା ଟିକେଟ୍ ଆସି ଯାଇଥାଏ । ଏଣୁ ସମସ୍ୟା ହୋଇଥାଏ । ଷ୍ଟାଡିୟମରେ ଜାଗା ନଥିବାରୁ ଦର୍ଶକ ହଟହଟା ହୋଇଥାନ୍ତି । ଏଣୁ ଏଥିପାଇଁ ଏଥର ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି । ଖାଦ୍ୟ ଦରକୁ ନେଇ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଟିକେଟ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁଥିବାରୁ ଟିକେଟ ଦର ବଢ଼ିବ । ଏହା ପରେ ସମୟ ସମୟରେ ପ୍ରସ୍ତୁତି ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଡିସିପି ଅନୁପ ସାହୁ, କଟକ ଡିସିପି ଅଖିଳେଶ୍ୱର ସିଂହ, ଟ୍ରାଫିକ୍ ଡିସିପି ସାଗରିକା ନାଥ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।