କାନ୍ଦି ପକାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

କାନ୍ଦି ପକାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାୟପୁର: ଛତିଶଗଡ଼ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଦାୟିତ୍ଵରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଇସ୍ତଫା ଦେବା ପରେ ଦଳର ବରିଷ୍ଠ ନେତା ମୋହନ ମରକମଙ୍କୁ ନୂଆ ସଭାପତି ବଛାଯାଇଛି। ଏଥିପାଇଁ ଶନିବାର ଦାୟିତ୍ଵ ହସ୍ତାନ୍ତରଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ପିସିସି ସଭାପତି ତଥା ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନୂଆ ସଭାପତି ମରକମଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ। ତେବେ ଏହି ଅବସରରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। ଦାୟିତ୍ଵ ହସ୍ତାନ୍ତର ସମୟରେ ପୋଡିୟମରେ ଉଦବୋଧନ ଦେବା ବେଳେ ମୁଖ୍ୟମନ୍ତ୍ରୀ ବଘେଲ କାନ୍ଦି ପକାଇଥିଲେ। କାର୍ଯ୍ୟକ୍ରମରେରେ ବରିଷ୍ଠ କଂଗ୍ରେସ ନେତା ପି.ଏଲ. ପୁନିଆ ଉପସ୍ଥିତ ଥିଲେ। ବଘେଲ ଉଦବୋଧନ ଦେଇ ଦଳର ସମସ୍ତ ନେତା, ଯେଉଁମାନେ ତାଙ୍କ ସହିତ କାର୍ୟ୍ୟ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ରାଜ୍ୟରେ ଦଳ ପାଇଁ ସେମାନଙ୍କ ଅବଦାନକୁ ସବୁଦିନ ମନେ ରଖିବେ ବୋଲି କହିଥିଲେ। ସେ ଆହୁରି କହିଥିଲେ, ୨୦୧୩ରେ ରାଜ୍ୟ ବିଧାନସଭା ନିର୍ବାଚନରେ ଆମେ ପରାଜିତ ହେବା ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋତେ ରାଜ୍ୟ ପିସିସି ସଭାପତି ଭାବେ ନିଯୁକ୍ତ କରିଥିଲେ। ୨୦୧୪ ଲୋକସଭା ନିର୍ବାଚନ ଅଳ୍ପଦିନ ରହିଥିଲା। ୨୦୧୪ ଲୋକସଭା ନିର୍ବାଚନରେ ଆମେ ଲଢ଼େଇ ଜାରି ରଖିଥିଲୁ ଏବଂ ଶେଷରେ ରାଜ୍ୟରେ କ୍ଷମତା ଦଖଲ କଲୁ। ଏହା ସହିତ ସେ ନୂଆ ସଭାପତି କରକମଙ୍କୁ ପ୍ରଶଂସା କରିବା ସହ ସେ ଜଣେ କଠିନ ପରିଶ୍ରମୀ ଏବଂ ସରଳ ବ୍ୟକ୍ତି ବୋଲି କହିଥିଲେ।