ଗାନ୍ଧୀ ପରିବାର ବାହାରୁ କିଏ ହୋଇଛନ୍ତି କଂଗ୍ରେସ ସଭାପତି
ଗାନ୍ଧୀ ପରିବାର ବାହାରୁ କିଏ ହୋଇଛନ୍ତି କଂଗ୍ରେସ ସଭାପତି
admin
Jul 4, 2019 - 05:35
Updated: Jul 4, 2019 - 05:35
ନୂଆଦିଲ୍ଲୀ : କଂଗ୍ରେସ ସଭାପତି ପଦରୁ ରାହୁଲ ଇସ୍ତଫା ଘୋଷଣା ପରେ ଏବେ ଗାନ୍ଧି ପରିବାର ପକ୍ଷରୁ ବାହାରୁ ସଭାପତି ନିଯୁକ୍ତି ଦେବା ପାଇଁ କସରସ ଆରମ୍ଭ ହୋଇଯାଇଛି । ଦୁଇ ଦଶନ୍ଧି ପରେ ଏବେ କଂଗ୍ରେସ ପୁଣି ଅଣ ଗାନ୍ଧି ପରିବାର ବାହାରୁ ସଭାପତି ପାଇବାକୁ ଯାଉଛି । ତେବେ ଦଳର ଇତିହାସକୁ ଦେଖିଲେ ୧୯୪୭ ରୁ ଆଜି ପର୍ଯ୍ୟନ୍ତ କଂଗ୍ରେସର ମୋଟ ୧୮ ଜଣ ସଭାପତିଙ୍କ ମଧ୍ୟରୁ କେବଳ ୫ ଜଣ ଗାନ୍ଧି ପରିବାରରୁ ହୋଇଛନ୍ତି । ଅନ୍ୟ ପକ୍ଷରେ ୧୩ ଜଣ ସଭାପତି ଗାନ୍ଧି ପରିବାର ବାହାରୁ ନିର୍ବାଚିତ ହୋଇଛନ୍ତି । ତେବେ ସମୋନଙ୍କ କାର୍ଯ୍ୟକାଳ ଅବଧି କମ ରହିଥିବା ବେଳେ ଗାନ୍ଧି ପରିବାରର ହାତରେ ହିଁ ଦଳର ନିୟନ୍ତ୍ରଣ ଅଧିକ ସମୟ ରହିଛି । ଗାନ୍ଧି ପରିବାର ବାହାରୁ ସଭାପତି ନିର୍ବାଚିତ ହୋଇଥିବା ନେତାମାନେ ମଧ୍ୟ ଦଳ ପାଇଁ ସଫଳତା ଆଣିଥିବାର ଅନେକ ନଜିର ରହିଛି ।
୧୯୪୭: ଦେଶ ସ୍ୱାଧୀନ ହେବା ପରେ ଜେବି କୃପାଲାନି କଂଗ୍ରେସର ସଭାପତି ହୋଇଥିଲେ । ତାଙ୍କ ଉପରେ ମହାତ୍ମା ଗାନ୍ଧୀଙ୍କ ଯଥେଷ୍ଟ ଭରସା ରହିଥିଲା ।
୧୯୪୮-୪୯ : ଏହି ସମୟ ମଧ୍ୟରେ କଂଗ୍ରେସ ସଭାପତି ପଦରେ ରହିଥିଲେ ପି.ସୀତାରମେୟା ।
୧୮୫୦: ଏହି ବର୍ଷ ପୁରୁଷୋତ୍ତମ ଦାସ ଟଣ୍ଡନ କଂଗ୍ରେସର ସଭାପତି ହୋଇଥିଲେ । ନାସିକ ଅଧିବେଶନରେ ସେ ଅଧ୍ୟକ୍ଷତା କରିଥିଲେ । ହିନ୍ଦୀକୁ ସରକାରୀ ଭାଷାର ମାନ୍ୟତା ଦେବା ପାଇଁ ଟଣ୍ଡନ ଦୃଢ଼ ଦାବି ଉପସ୍ଥାପନ କରିଥିଲେ ।
୧୯୫୫-୧୯୫୯: ୟୁଏନ ତେବର ଏହି ସମୟରେ କଂଗ୍ରେସର ସଭାପତି ପଦରେ ରହିଥିଲେ । ସେ ତାଙ୍କ କାର୍ଯ୍ୟକାଳରେ ଅମୃତସର, ଇନ୍ଦୋର, ଗୌହାଟି ଏବଂ ନାଗପୁର ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ । ୧୯୫୯ ରେ ଇନ୍ଦିରା ଗାନ୍ଧୀ ଦଳର ସଭାପତି ହୋଇଥିଲେ ।
୧୯୬୦-୧୯୬୩: ନିଲମ ସଂଜୀବ ରେଡି ଏହି ସମୟରେ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ । ସେ ବେଙ୍ଗାଲୁରୁ, ଭାବନଗର ଏବଂ ପାଟନା ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ । ପରବର୍ତ୍ତୀ ସମୟରେ ନିଲମ ସଂଜୀବ ରେଡି ଦେଶର ଷଷ୍ଠ ରାଷ୍ଟ୍ରପତି ହୋଇଥିଲେ । ୧୯୬୪-୬୭ : ଏହି ସମୟ ମଧ୍ୟରେ ଭାରତୀୟ ରାଜନୀତିର କିଂଗମେକର ଭାବେ ପରିଚିତ କାମରାଜ କଂଗ୍ରେସ ସଭାପତି ହୋଇଥିଲେ । ସେ ଭୁବନେଶ୍ୱର, ଦୁର୍ଗାପୁର ଏବଂ ଜୟପୁର ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ । ୧୯୬୮-୧୯୬୯: ଏସ୍ ନିଜଲିଙ୍ଗସ୍ଫା ଏହି ସମୟରେ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ । ୧୯୭୦-୭୧: ବାବୁ ଜଗଜୀବନ ରାମ କଂଗ୍ରେସ ସଭାପତି ରହିଥିଲେ । ୧୯୭୨-୧୯୭୪ : ଶଙ୍କର ଦୟାଲ ଶର୍ମା ଭାରତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଶର୍ମା ଭାରତର ରାଷ୍ଟ୍ରପତି ହୋଇଥିଲେ ।
୧୯୭୫-୧୯୭୭ : ଦେବକାନ୍ତ ବରୁଆ କଂଗ୍ରେସ ସଭାପତି ନିର୍ବାଚିତ ହୋଇଥିଲେ । ଏହି ସମୟରେ ଦେଶରେ ‘ଏମର୍ଜେନ୍ସି’ ଲାଗୁ ହୋଇଥିଲା । ବରୁଆ ହିଁ ‘ଇଣ୍ଡିଆ ଇଜ୍ ଇନ୍ଦିରା ଏବଂ ଇନ୍ଦିରା ଇଜ୍ ଇଣ୍ଡିଆ’ ସ୍ଲୋଗାନ ଦେଇଥିଲେ । ୧୯୭୭-୧୯୭୮ : ଏହି ସମୟରେ କଂଗ୍ରେସ ସଭାପତି ରହିଥିଲେ ବ୍ରହ୍ମାନନ୍ଦ ରେଡ୍ଡି । ୧୯୯୨-୧୯୯୬: ରାଜୀବ ଗାନ୍ଧିଙ୍କ ହତ୍ୟା ପରେ ପି.ଭି ନରସିଂହ ରାଓ ୧୯୯୨ ରୁ ୧୯୯୬ ପର୍ଯ୍ୟନ୍ତ କଂଗ୍ରେସ ସଭାପତି ରହିଥିଲେ । ୧୯୯୬ -୧୯୯୮ : ସୀତାରାମ କେଶରୀ କଂଗ୍ରେସର ସଭାପତି ରହିଥିଲେ । ୧୯୯୮ ରୁ ୨୦୧୭ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ଦଳର ସଭାପତି ରହିଥିଲେ ଏବଂ ପରେ ତାଙ୍କ ପୁତ୍ର ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ହେଲେ ।