ଚଳିତ ଥର ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ଅନୁଷ୍ଠିତ ହେଉଥିବାରୁ ଲକ୍ଷ୍ମୀନୃସିଂହ ବେଶକୁ ବାଦ ଦିଆଯାଇଛି
ଆଜି ପଞ୍ଚୁକର ତ୍ରୟୋଦଶୀ ତିଥିରେ ମହାପ୍ରଭୁ ଆଡିକିଆ ବା ତ୍ରିବିକ୍ରମ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଚଳିତ ଥର ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ଅନୁଷ୍ଠିତ ହେଉଥିବାରୁ ଲକ୍ଷ୍ମୀନୃସିଂହ ବେଶକୁ ବାଦ ଦିଆଯାଇଛି । ତେବେ ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ବଢ଼ିବା ପରେ ମହାପ୍ରଭୁଙ୍କୁ ତ୍ରିବିକ୍ରମ ବେଶରେ ସଜ୍ଜିତ କରାଯାଇଥିଲା। ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯିବା ସହ ସୋଲ, କନା, ବେତ, ଜମ୍ବୁରା ଓ କଇଁଥ ଅଠାରେ ନିର୍ମିତ ହେବା ପରେ ଚୂଳରେ ସ୍ବର୍ଣ୍ଣ ନିର୍ମିତ କିଆ ଖୋସା ଯାଇଥାଏ। ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ଥିବାରୁ ଭକ୍ତମାନେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ସେପଟେ ଶ୍ରୀମନ୍ଦିର ସିଂହଦ୍ଵାର ବ୍ୟାରିକେଡ୍ ବାହାରେ ଭକ୍ତଙ୍କ ଠେଲାପେଲା,,, ସେବାୟତଙ୍କ ଦ୍ୱାରା ଯାତ୍ରୀଙ୍କୁ ଅବାଧରେ ପ୍ରବେଶ ଓ ପୋଲିସ୍ ହାତଗୁଞ୍ଜା ନେଇ ଶ୍ରଦ୍ଧାଳୁଙ୍କୁ ଛାଡୁଥିବା ଆଶଙ୍କା କରି ଶୃଙ୍ଖଳା ପାଇଁ ଲାଗିଲା ସିସିଟିଭି। ଆସନ୍ତାକାଲି ସୁନାବେଶ ପାଇଁ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ କରାଯିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି |