ଆଜି ଠାରୁ ବିଧାନସଭା ଅଧିବେଶନ

ଆଜି ଠାରୁ ବିଧାନସଭା ଅଧିବେଶନ

ଆଜି ଠାରୁ ବିଧାନସଭା ଅଧିବେଶନ
ଭୁବନେଶ୍ୱର : ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ । ଏହା ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ତାରିଖ ଯାଏ ଚାଲିବ । ଏଥିରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି । ୨୮ ତାରିଖରେ ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ଅଧିବେଶନର ପ୍ରଥମ ଦିନ ଅର୍ଥାତ ମଙ୍ଗଳବାର ଦିନ ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ଉଦ୍ବୋଧନ ଦେବା ସହ ଅଧିବେଶନ ଆରମ୍ଭ ହେବ । ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇ ୨୬ ଓ ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ୨୬ ତାରିଖରେ ଉପବାଚସ୍ପତି ନିର୍ବାଚନ ନେଇ ଘୋଷଣା ହେବ ଓ ୨୭ ତାରିଖରେ ନିର୍ବାଚନ ହେବ । ଶାସକ ବିଜେଡି ପକ୍ଷରୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଉପବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ତେଣୁ ଶ୍ରୀ ସିଂହ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି । ୨୮ ତାରିଖରେ ନୂଆ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଗତ ଫେବୃୟାରୀ ମାସରେ ତତକାଳୀନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ, ଯେଉଁ ଥିରେ କି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବ୍ୟୟବରାଦ କରାଯାଇଥିଲା । ସାଧାରଣ ନିର୍ବାଚନ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇପାରିନଥିଲା । ୨୮ ତାରିଖରେ ବଜେଟ୍ ଉପସ୍ଥାପନ ହେଲା ପରେ ଅଗଷ୍ଟ ୧ ଓ ୨ ତାରିଖରେ ବଜେଟ୍ ଉପରେ ଆଲୋଚନା ହେବ । ଅଗଷ୍ଟ ୩ ରୁ ୧୧ ତାରିଖ ଯାଏଁ ବିଧାନସଭା ବନ୍ଦ ରହିବ । ୧୨ ତାରିଖରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ସେହିଦିନ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ । ୧୫ ତାରିଖରୁ ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ । ଜୁଲାଇ ୩୧ ତାରିଖ ରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ ଆଗତ ହୋଇ ପାରିତ ହେବ । ଅଧିବେଶନ ସମୟରେ ଅଗଷ୍ଟ ୩,୬ ଓ ୮ ତାରିଖରେ ବେସରକାରୀ କାର୍ଯ୍ୟ ଦିବସ ରହିଛି । ଗତ ବିଧାନସଭା ତୁଳନାରେ ଚଳିତ ବିଧାନସଭା ବିଭିନ୍ନ ଦୃଷ୍ଟିରୁ ଭିନ୍ନ ରହିବ । ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ଭାବେ ଲଗାତର ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ଗୃହକୁ ପ୍ରବେଶ କରିବେ । ତାଙ୍କର ପୂର୍ବ ଚାରିପାଳିରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା । କିନ୍ତୁ ଏଥର ପ୍ରଥମ ଥର ପାଇଁ ବିଜେପି ମୁଖ୍ୟ ବିରୋଧୀ ଦଳ ଆସନରେ ବସିବ । ତେଣୁ ଶାସକ ଦଳ ବିରୋଧରେ ବିଜେପି କିପରି ରଣନୀତି ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିବ । ସେହିପରି କଂଗ୍ରେସ ତୃତୀୟ ସ୍ଥାନକୁ ଆସିଥିଲେ ବି ଦଳରେ ଅଭିଜ୍ଞ ବିଧାୟକଙ୍କ ସଂଖ୍ୟା କମ୍ ନାହିଁ । ତେଣୁ ବିରୋଧୀ ଦଳ ଭାବେ କଂଗ୍ରେସର ଭୂମିକା ବି ପ୍ରଭାବୀ ରହିବ ବୋଲି ରାଜନୈତିକ ମହଲରେ ଆକଳନ କରାଯାଇଛି ।