ଚାଇନା ଖୋଲିଲା ତାଲା
ଚାଇନା ଖୋଲିଲା ତାଲା
admin
Mar 25, 2020 - 06:48
Updated: Mar 25, 2020 - 06:48
ବେଜିଂ : ସାରା ବିଶ୍ୱରେ ତାଲା ପକାଇ ଦେଇଥିବା ଚାଇନା ଏବେ ନିଜର ତାଲା ଖୋଲିବା ଆରମ୍ଭ କରିଛି । ଧିରେଧିରେ ଚାଇନାରୁ କରୋନା ଭାଇରସ ଉଭେଇ ଯାଇଥିବାରୁ ଚାଇନା ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶେଷକରି ହୁବାଇ ପ୍ରଦେଶରେ ଲକ ଡାଉନକୁ ଚାଇନା ସରକାର ଉଠାଇ ନେଇଛନ୍ତି । ତେବେ ଉହାନ ସହରର ସ୍ଥିତିକୁ ଚାଇନା ସରକାର ଅନୁଧ୍ୟାନ କରୁଛନ୍ତି । ସେଠାରେ ଅପ୍ରେଲ ୮ ପର୍ଯ୍ୟନ୍ତ ଲକ ଡାଉନ ରହିବ ବୋଲି ଘୋଷଣା କରାଯାଇଛି । ଉହାନ ପ୍ରଦେଶକୁ ଚାଇନା ସରକାର ଗତ ଜାନୁଆରୀ ୨୩ରୁ ସମ୍ପୂର୍ଣ୍ଣ ବନ୍ଦୀ କରିଦେଇଥିଲେ । ଏପରିକି ସହରକୁ ପ୍ରବେଶ କରିବା ବା ବାହାରିବା ଉପରେ କଡ଼ା କଟକଣା ଲଗାଯାଇଥିଲା । ଚାଇନାରେ କରୋନା ଯୋଗୁଁ ୩୨ ଶହରୁ ଉଦ୍ଧ୍ୱର୍ ଲୋକଙ୍କ ମୃତୁ୍ୟ ହୋଇଥିବାବେଳେ କେବଳ ଉହାନ ସହରରେ ୨୫ ଶହ ଲୋକଙ୍କ ମୃତୁ୍ୟ ଘଟିଥିଲା । ଏବେ ଏହି ଚାଇନିଜ ଭାଇରସ ବିଶ୍ୱର ୧୯୦ରୁ ଉଦ୍ଧ୍ୱର୍ ଦେଶକୁ ବ୍ୟାପିସାରିଛି । ଚାଇନା ଭଳି ଭାରତ ମଧ୍ୟ ଜନବହୁଳ ରାଷ୍ଟ୍ର । ଭାରତରେ ଏହି ଭାଇରସ ବ୍ୟାପିବା ଆରମ୍ଭ କରିଥିବାବେଳେ ଏଥିପ୍ରତି ଭାରତ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ସାରା ଦେଶକୁ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ।
ତେବେ ସେ ଯାହାହେଉନା କାହିଁକି ଚାଇନାର କଳ କାରଖାନା ଚାଲୁ ରହିଲେବି ରପ୍ତାନୀ ଓ ଆମଦାନୀ କଟକଣା ଯୋଗୁଁ ଚାଇନାର ଅର୍ଥନୀତି ନିଶ୍ଚିତ ଭାବେ ପ୍ରଭାବିତ ହେବ । ଅର୍ଥନୀତିଜ୍ଞଙ୍କ ଆକଳନ ଅନୁଯାୟୀ ଆଗାମୀ ଛଅମାସ ପର୍ଯ୍ୟନ୍ତ ବିଶ୍ୱର କୌଣସି ରାଷ୍ଟ୍ର ଚାଇନା ସାମଗ୍ରୀ ବ୍ୟବହାର କରିନପାରନ୍ତି । ଫଳରେ ବିଶ୍ୱର ଦ୍ୱିତୀୟ ବୃହତମ ଅର୍ଥନୀତି ବିପର୍ଯ୍ୟସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଅପରପକ୍ଷରେ ଆମେରିକାରେ ଏହା ବ୍ୟାପିବା ଆରମ୍ଭ କରିଛି । ଆମେରିକାର ୫୦୦ରୁ ଉଦ୍ଧ୍ୱର୍ ଲୋକ ମୃତୁ୍ୟବରଣ କରିସାରିଛନ୍ତି । ଫଳରେ ସାରା ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଆଡ଼କୁ ଗତି କରୁଥିବା ଅର୍ଥନୀତିଜ୍ଞମାନେ ମତପୋଷଣ କରିଛନ୍ତି ।