ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନେତାଙ୍କ ପ୍ରାର୍ଥୀପତ୍ର ଦାଖଲ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନେତାଙ୍କ ପ୍ରାର୍ଥୀପତ୍ର ଦାଖଲ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନେତାଙ୍କ ପ୍ରାର୍ଥୀପତ୍ର ଦାଖଲ
ଭୁବନେଶ୍ୱର,୨୬ ମାର୍ଚ୍ଚ - ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ଶେଷଦିନ ଥିବାରୁ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ନାମାଙ୍କନ ଦାଖଲ ପୂର୍ବରୁ ନେତାମାନେ ମନ୍ଦିର ଯାଇ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଥିଲା । ସୁନ୍ଦରଗଡ ଲୋକସଭା ଆସନରେ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ , ବିଜେଡି ପ୍ରାର୍ଥିନୀ ସୁନୀତା ବିଶ୍ୱାଳ ପ୍ରମୁଖ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ତଳସରା ବିଧାନସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପ୍ରଫୁଲ ମାଝୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତିି । ଏହି ନେତାମାନେ ନାମାଙ୍କନ ଦାଖଲ କରିବା ପୂର୍ବରୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହାପରେ ନିଜ ସମର୍ଥକମାନଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନପତ୍ର ଦାଖଲ କରିଥିଲେ । ଏହି ଅବସରରେ ଶ୍ରୀ ଓରାମ୍ କହିଛନ୍ତି ଯେ ମୋର କାର୍ଯ୍ୟକାଳ ଭିତରେ ସୁନ୍ଦରଗଡର ଅନେକ ବିକାଶ କରିଛି । ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ ରହିଛି, ଜନତାଙ୍କ ଆଶୀର୍ବାଦରୁ ମୁଁ ନିର୍ବାଚନ ବୈତରଣୀ ପାର ହେବି । ଆଉଥରେ ସୁନ୍ଦରଗଡ ଆସନରୁ ବିଜୟୀ ହେବି ବୋଲି ଆଶା ରଖିଛି । ମୋ ବିରୁଦ୍ଧରେ ସବୁ ବେଳେ ଟାଣୁଆ ନେତା ଲଢିଛନ୍ତିି । ବିଗତ ଦିନରେ ହେମାନନ୍ଦ ବିଶ୍ୱାଳ , ଜର୍ଜ ତିର୍କୀ , ଦିଲ୍ଲୀପ ତିର୍କୀଙ୍କ ଭଳି ଟାଣୁଆ ନେତା ମୋ ବିରୁଦ୍ଧରେ ଲଢିଛନ୍ତି । ମୁଁ କାହାରିକୁ କମଜୋର ବୋଲି ଭାବି ନାହିଁ । ମୁଁ ବି କମଜୋର ନାହିଁ । ଲୋକଙ୍କ ପାଇଁ ନିଷ୍ଠାପର ସହିତ କାମ କରିବି । ସେମାନେ ଯାହା ବିଚାର କରିବେ । ଯାହା କିଛି କାମ ବାକି ଅଛି ତାକୁ କରାଯିବ ବୋଲି ସେ କହିଛନ୍ତି । ସେହିପରି ବିଜେଡି ପ୍ରାର୍ଥିନୀ ଶ୍ରୀମତୀ ବିଶ୍ୱାଳ କହିଛନ୍ତି ଯେ ମୋର ସ୍ୱପ୍ନ ସୁନ୍ଦରଗଡରେ କିପରି ଉତମ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ମିଳୁ । ସୁନ୍ଦରଗଡରେ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଓ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ କୁ ପ୍ରାଥମିକତା ଦେବି । ସେ ଆହୁରି କହିଛନ୍ତି ଯେ ମୋର ଲଢେଇ ଜୁଏଲ ଓରାମ୍ କିମ୍ବା ଜର୍ଜ ତିର୍କୀଙ୍କ ସହ ନୁହେଁ ମୋର ଲଢେଇ ବେରୋଜଗାରୀ ,ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ବିରୋଧରେ । ସେହିପରି ଆସିକା ଲୋକସଭା ଆସନରୁ ସିପିଆଇ ସାଂସଦ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସର ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପାଇଁ ସନ୍ତୋଷ ସିଂ ସାଲୁଜା ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉଭୟ କଂଗ୍ରେସ ପ୍ରାର୍ଥୀ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ ସିଂଦେଓଙ୍କ ଉପସ୍ଥିତିରେ ଟିଟିଲାଗଡ ନିର୍ବାଚନ ଅଧିକାରୀଙ୍କ ନିକଟରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଂଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ନେତା ଅଜୟ ଦାସ ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ବିଏସପିରୁ ବିଭୀଷଣ ନାଗ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଟିଟିଲାଗଡ ନିର୍ବାଚନ ମଣ୍ଡଳୀରୁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ବିଜେଡି ପ୍ରାର୍ଥୀ ତଥା ବର୍ତମାନର ବିଧାୟିକା ଟୁକୁନି ସାହୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ, ବଲାଙ୍ଗୀର, କନ୍ଧମାଳ, ସୁନ୍ଦରଗଡ ଓ ଆସିକା ଲୋକସଭା ଓ ଏହିସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବ ।