ମୁକିମଙ୍କୁ ଏଆଇସିସିର ନାଁ, ଦୌଡ଼ରେ ଜୟଦେବ, ଶରତ ଓ ରାମଚନ୍ଦ୍ର

ମୁକିମଙ୍କୁ ଏଆଇସିସିର ନାଁ, ଦୌଡ଼ରେ ଜୟଦେବ, ଶରତ ଓ ରାମଚନ୍ଦ୍ର

ମୁକିମଙ୍କୁ ଏଆଇସିସିର ନାଁ, ଦୌଡ଼ରେ ଜୟଦେବ, ଶରତ ଓ ରାମଚନ୍ଦ୍ର
ଭୁବନେଶ୍ୱର : ବଦଳିବେ କି ପିସିସି ସଭାପତି ? ଏଭଳି ପ୍ରଶ୍ନ ଏବେ କଂଗ୍ରେସ ଅଳିନ୍ଦରେ ଉଙ୍କି ମାରୁଛି । ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ ଗୋଟିଏ ଗୋଷ୍ଠୀ ଜୋରଦାର ଉଦ୍ୟମ ମଧ୍ୟ କରି ଆସୁଛି । ତେବେ ନିରଞ୍ଜନଙ୍କ ବଦଳରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୁକିମଙ୍କୁ ସଭାପତି କରିବାକୁ ଯେଉଁ ଗୋଷ୍ଠୀ ଉଦ୍ୟମ କରୁଥିଲେ ସେମାନଙ୍କୁ ଶକ୍ତ ଝଟକା ଲାଗିଛି । ଏଆଇସିସି ପକ୍ଷରୁ ମୁକିମଙ୍କୁ ରେଡ଼ ସିଗନାଲ ମିଳିଥିବା କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ହେଉଛି । ଅର୍ଥାତ ମୁକିମଙ୍କୁ ସଭାପତି କରିବା ପାଇଁ ଏଆଇସିସି ଆଗ୍ରହୀ ନଥିବା କୁହାଯାଉଛି । ଅପରପକ୍ଷରେ ନିରଞ୍ଜନଙ୍କ ମୁଡ଼ ବି କଳି ହେଉନାହିଁ । ଗୋଟିଏ ପଟେ ସେ ପିସିସି ସଭାପତି ଦାୟିତ୍ୱରେ ରହିବାକୁ ଚାହୁଁନାହାନ୍ତି ବୋଲି ତାଙ୍କର କେତେକ ସମର୍ଥକ ଖୋଲାଖୋଲି କହିବୁଲୁଛନ୍ତି । ନିରଞ୍ଜନ ବି ସାଂଗଠନିକ ପୁନର୍ବିନ୍ୟାସ ନେଇ ସେତେଟା ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁନାହିଁ । ଏମିତିକି ସେ ନିଜେ ପିସିସି ସଭାପତି ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । କିନ୍ତୁ ସୋନିଆ ଚାହିଁବାରୁ ପୁଣି ଥରେ ତାଙ୍କୁ ପିସିସି ସଭାପତି ଭାବେ ଅବସ୍ଥାପିତ କରାଯାଇଛି । ରାଜ୍ୟ କଂଗ୍ରେସରେ ଏଭଳି ଅଙ୍କକଷା ଚାଲିଥିବାବେଳେ ଅତୀତରେ ଅନେକ ବାର ଡାର୍କ ହର୍ସ ଭାବେ ଉଭା ହୋଇଥିବା ଜୟଦେବ ଜେନା ପିସିସି ସଭାପତି ହେବା ପାଇଁ ରଣନୀତି କରୁଥିବା ଜଣେ ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କରିଛନ୍ତି । ଜୟଦେବ ବହୁବାର ପିସିସି ସଭାପତି ମଧ୍ୟ ରହିଆସିଛନ୍ତି । ଅପରପକ୍ଷରେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ପିସିସି ସଭାପତି ରେସରେ ରହିଛନ୍ତି । ଗୋଟିଏ ଗୋଷ୍ଠୀ ତାଙ୍କ ପାଇଁ ମଧ୍ୟ ଭିତିରିଆ ଲବି ଆରମ୍ଭ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଂଟିଆଙ୍କ ନାମକୁ ନେଇ ବି ଚର୍ଚ୍ଚା ହେଉଛି । ଦିଲ୍ଲୀ ରାଜନୀତିରେ ରାମଚନ୍ଦ୍ରଙ୍କର ବେଶ ଧାକ ରହିଛି । ଏଆଇସିସିରେ ଗୋଟି ଚାଳନାରେ ସେ ବେଶ ମାହିର । ରାଜ୍ୟ କଂଗ୍ରେସ ନେତାଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିବାବେଳେ ରାମଚନ୍ଦ୍ରଙ୍କୁ ପିସିସି ସଭାପତି କରିବାକୁ ମଧ୍ୟ ଦଳେ କଂଗ୍ରେସ ନେତା ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ନିରଞ୍ଜନ ପଟ୍ଟନାୟକ ଏବେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ସୋନିଆ ଗାନ୍ଧୀ ଅସୁସ୍ଥ ଥିବାରୁ ସେ ତାଙ୍କୁ ଭେଟିବେ ବୋଲି ଜଣାପଡ଼ିଛି । ଅବଶ୍ୟ ଏହି ସୁଯୋଗ ତାଙ୍କୁ ମିଳିବ କି ନାହିଁ ଜଣାପଡ଼ିନାହିଁ । ସେହିପରି କଂଗ୍ରେସ ଜିଲ୍ଲା ସଭାପତିମାନଙ୍କ ଏକ ତାଲିକା ମଧ୍ୟ ନିରଞ୍ଜନ ପ୍ରସ୍ତୁତ କରିସାରିଥିବାବେଳେ ଦିଲ୍ଲୀରେ ଓଡ଼ିଶା ଦାୟିତ୍ୱରେ ଥିବା ନେତା ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ସେ ଆଲୋଚନା କରିପାରନ୍ତି । ସେହିପରି ମୁକିମଙ୍କୁ ସେ କଟକ ନଗର କଂଗ୍ରେସ ସଭାପତି କରିବାକୁ ଚାହିଁଥିଲେ ମଧ୍ୟ ଏହି ଦାୟିତ୍ୱ ନେବାକୁ ମୁକିମ ରୋକଠୋକ ଭାବେ ମନା କରିଦେଇଥିବା ଜଣାପଡ଼ିଛି ।