ନରସିଂହ ହୋଇପାରନ୍ତି ପିସିସି ସଭାପତି

ନରସିଂହ ହୋଇପାରନ୍ତି ପିସିସି ସଭାପତି

ନରସିଂହ ହୋଇପାରନ୍ତି ପିସିସି ସଭାପତି
ଭୁବନେଶ୍ୱର : ଶୀର୍ଷକଟି ନିଶ୍ଚିତ ଭାବେ ସମସ୍ତଙ୍କୁ ଚକିତ କରିଦେଉଥିବ । ପିସିସି ସଭାପତି ରେସରେ ନଥିବା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କିଭଳି ଭାବେ ସଭାପତି ହେବେ ସେହି ପ୍ରଶ୍ନ ଅନେକଙ୍କ ମନକୁ ନିଶ୍ଚିତ ଭାବେ ଆନେ୍ଦାଳିତ କରୁଥିବ । ପିସିସି ସଭାପତି ଦୌଡ଼ରେ ଏବେ ବହୁ ନେତା ରହିଛନ୍ତି । ଶରତ ପଟ୍ଟନାୟକଙ୍କ ଠାରୁ ନେଇ ମହମ୍ମଦ ମୁକିମଙ୍କ ଯାଏଁ, କେତେକ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ବି ଚାଲିଛି । ତେବେ ଏଆଇସିସି ସଭାପତି ସୋନିଆ ଗାନ୍ଧୀ ଓଡ଼ିଶା ପାଇଁ ଭିନ୍ନ ରଣନୀତି କରିବାକୁ ଯାଉଛନ୍ତି । ରାଜ୍ୟରେ କଂଗ୍ରେସକୁ ପୁଣି ସଶକ୍ତ କରିବା ପାଇଁ ରିସ୍କ ନେବାକୁ ଯୋଜନା କରୁଥିବା ଜାଣିବାକୁ ମିଳିଛି । ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୟଦେବ ଜେନା ହୁଅନ୍ତୁ କି ନିରଞ୍ଜନ ପଟ୍ଟନାୟକ, କେପି ସିଂହଦେଓ ହୁଅନ୍ତୁ ଅବା ପ୍ରସାଦ ହରିଚନ୍ଦନ ଏମାନେ କେହି ସଫଳ ହୋଇନାହାନ୍ତି । କଂଗ୍ରେସ ସରକାରକୁ ଆସିବା ତ ଦୂରର କଥା, ଦଳୀୟ କର୍ମୀଙ୍କ ମଧ୍ୟରେ ଜିତିବାର ମାନସିକତା ବି ଦୃଢ଼ ହୋଇପାରିନାହିଁ । ଛତିଶଗଡ଼ ହେଉକି ମଧ୍ୟପ୍ରଦେଶ, ବିଜେପିର ଏକାଧିପତ୍ୟକୁ କଂଗ୍ରେସ ମାତ ଦେଇସାରିଛି । ଯଦି ପଡେ଼ାଶୀ ରାଜ୍ୟମାନଙ୍କରେ କଂଗ୍ରେସ ସଫଳ ହୋଇପାରିଲା ତେବେ ଓଡ଼ିଶାରେ କାହିଁକି ନୁହେଁ । ଏନେଇ ସୋନିଆ ଏକ ସର୍ଭେ ମଧ୍ୟ କରିଛନ୍ତି । ସୋନିଆଙ୍କ ସର୍ଭେ ଅନୁଯାୟୀ, ଏବେବି ଓଡ଼ିଶାରେ କଂଗ୍ରେସର ଭିତି ରହିଛି । ଦଳର କର୍ମୀ ବି ରହିଛନ୍ତି । ତୃଣମୂଳସ୍ତରର ବହୁ କଂଗ୍ରେସ ନେତା ଓ କର୍ମୀ ଦଳକୁ ଯାବୁଡ଼ି ଧରିଛନ୍ତି । ବିଜେଡ଼ି ଓ ବିଜେପିର ପ୍ରଲୋଭନରେ ସେମାନେ ବଶବର୍ତୀ ହୋଇନାହାନ୍ତି । ତେବେ ପିସିସି ସ୍ତରରେ ଯାହାଙ୍କୁ ବି ସଭାପତି ଦାୟିତ୍ୱ ଦିଆଗଲା ସେମାନେ କିନ୍ତୁ ଦଳକୁ ସକ୍ରିୟ କରିବା ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିପାରିନାହାନ୍ତି । ସେହିପରି ଜଣେ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଗଲେ ଅନ୍ୟ କେତେକ ତାଙ୍କୁ ବିରୋଧ କରୁଥିବା ଦେଖିବାକୁ ମିଳୁଛି । ଯାହାର କୁପ୍ରଭାବ ତୃଣମୂଳସ୍ତରରେ ପଡ଼ୁଛି । ଏହିସବୁକୁ ଆଖିଆଗରେ ରଖି ନରସିଂହଙ୍କୁ ସଭାପତି କରିବା ପାଇଁ ସୋନିଆ ଯୋଜନା କରିଥିବା ଜାଣିବାକୁ ମିଳିଛି । ନରସିଂହ ସଭାପତି ହେଲେ ତାଙ୍କୁ ବରିଷ୍ଠ ନେତାମାନେ ବିରୋଧ କରିବେ ନାହିଁ । କାହିଁକିନା ନରସିଂହ ରାଜ୍ୟ କଂଗ୍ରେସର କୌଣସି ବରିଷ୍ଠ ନେତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନୁହଁନ୍ତି । ଅନ୍ୟମାନଙ୍କ ଭଳି ସେ ଗୋଷ୍ଠୀରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଖୁବଶୀଘ୍ର ନରସିଂହଙ୍କୁ ଦିଲ୍ଲୀରୁ ଡାକରା ମିଳିବ ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା ନିଜ ନାମ ଗୋପନ ରହିବା ସର୍ତରେ ପ୍ରକାଶ କରିଛନ୍ତି ।