ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା, ସିବିଆଇ ତଦନ୍ତ ଆରମ୍ଭ
ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା, ସିବିଆଇ ତଦନ୍ତ ଆରମ୍ଭ
ନୂଆଦିଲ୍ଲୀ: ‘ଅଖିଳ ଭାରତୀୟ ଆଖଡ଼ା ପରିଷଦ୍’ର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା ଗ୍ରହଣ କରିବା ପରେ ଆଜି ‘ସିବିଆଇ’ ତଦନ୍ତ ଆରମ୍ଭ କରିଛି। ସୋମବାର ଦିନ ବାଘମ୍ବରୀ ଗଦ୍ଦୀସ୍ଥିତ ଆପଣା କକ୍ଷରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ମୃତ୍ୟୁ ଘଟଣାର ‘ସିବିଆଇ’ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିସ କରିବାରୁ ସିବିଆଇ ଉତ୍ତରପ୍ରଦେଶ ପାଖରୁ ମାମଲା ନେଇ ‘ଏଫ୍ଆଇଆର୍’ ଫାଇଲ୍ କରିଛି।
ତଦନ୍ତ ନିମନ୍ତେ ‘ସିବିଆଇ’ର ଦିଲ୍ଲୀ ମୁଖ୍ୟାଳୟରୁ ଏକ ୬ଜଣିଆ ଟିମ୍ ପ୍ରୟାଗରାଜ ଅଭିମୁଖେ ଯାଇଥିବା କଥା ବିଷେଶସୂତ୍ରରୁ ଜଣାପଡ଼ିଛି। ସିବିଆଇର ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ଏହି ମାମଲାର ତଦନ୍ତ କରିବ। ଉତ୍ତର ପ୍ରଦେଶ ପୁଲିସ କରିଥିବା ତଦନ୍ତ ଅନୁସାରେ, ସୋମବାର ଦିନ ମଧ୍ୟହ୍ନ ଭୋଜନ ପରେ ୭୨ ବର୍ଷିୟ ମହନ୍ତ ତାଙ୍କ କକ୍ଷକୁ ପ୍ରବେଶ କରିଥିବା ଦେଖାଯାଇଥିଲା। ସନ୍ଧ୍ୟାବେଳେ ଶିଷ୍ୟମାନେ ତାଙ୍କ କବାଟ ବାଡ଼େଇବାରୁ ଭିତରୁ କୌଣସି ଜବାବ ମିଳି ନ ଥିଲା। ତାଙ୍କ ମୋବାଇଲ୍ ଫୋନ୍କୁ ବାରମ୍ବାର କଲ୍ କରିବା ସତ୍ତ୍ବେ ଉତ୍ତର ନ ମିଳିବାରୁ ଶିଷ୍ୟମାନେ କବାଟ ତାଡ଼ି କୋଠରି ମଧ୍ୟକୁ ପ୍ରବେଶ କରିଥିଲେ। ଭିତରେ ନରେନ୍ଦ୍ର ଗିରି କୋଠରି ସିଲିଂରୁ ଫାଶୀ ଦେବା ଅବସ୍ଥାରେ ଝୁଲି ରହିଥିବା ଦେଖିଥିଲେ।
ଏହାଛଡ଼ା, କୋଠରି ମଧ୍ୟରୁ ତାଙ୍କ ହସ୍ତଲିଖିତ ଚିଠି (ସୁଇସାଇଡାଲ୍ ନୋଟ୍) ମିଳିଥିଲା। ସେଥିରେ ମହନ୍ତ ମହାରାଜ ତାଙ୍କ ଇଚ୍ଛା ଏବଂ ତାଙ୍କୁ ହଇରାଣ କରୁଥିବା ଗୁଡ଼ାଏ ବ୍ୟକ୍ତିଙ୍କ ନାଁ ଲେଖିଥିଲେ। ମହନ୍ତ ଗିରିଙ୍କ ଆତ୍ମହତ୍ୟାର କାରଣ ବୋଲି ଚର୍ଚ୍ଚା ହେଉଥିବା ସନ୍ଦୀପ ତିୱାରିଙ୍କ ସମେତ ଆନନ୍ଦ ଗିରି ଓ ଆଧ୍ୟା ପ୍ରସାଦ ନାମକ ଦୁଇ ଶିଷ୍ୟଙ୍କୁ ଉତ୍ତର ପ୍ରଦେଶ ପୁଲିସ ଗିରଫ କରିଥିଲା।




admin 