ନାଭାଲ ଟାଟା ହକି ଏକାଡେମି ଉଦ୍‌ଘାଟିତ

ନାଭାଲ ଟାଟା ହକି ଏକାଡେମି ଉଦ୍‌ଘାଟିତ

ନାଭାଲ ଟାଟା ହକି ଏକାଡେମି ଉଦ୍‌ଘାଟିତ
ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସର ତଳ ମହଲାରେ ପ୍ରତୀକ୍ଷିତ ନାଭାଲ ଟାଟା ହକି ଏକାଡେମି (ଏନ୍‌ଟିଏଚ୍‌ଏ) ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅପରାହ୍ନରେ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରି ଦେଶ ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଏକାଡେମି ଆଗାମୀ ସମୟରେ ଓଡ଼ିଶା ତଥା ଓଡ଼ିଶା ବାହାରର ଉଦୀୟମାନ ହକି ତାରକାଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦେବା ସହ ସେମାନଙ୍କୁ ଅନ୍ତର୍ଜାତୀୟ ଖେଳାଳି ଭାବେ ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ତୁଲାଇବ। ଟାଟା ଷ୍ଟିଲ, ଟାଟା ଟ୍ରଷ୍ଟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ସ୍ଥାପିତ ହୋଇଥିବା ଏହି ଏକାଡେମି ପ୍ରଥମେ ୨୪ ଜଣ ବାଳିକା ଖେଳାଳିଙ୍କୁ ନେଇ ଆରମ୍ଭ ହୋଇଛି। ଦ୍ବିତୀୟ ବର୍ଷଠାରୁ ଏହାକୁ ବାଳକଙ୍କ ପାଇଁ ମଧ୍ୟ ସଂପ୍ରସାରିତ କରାଯିବ। ଟାଟା ଝାଡ଼ଖଣ୍ଡରେ ଏଭଳି ଏକ ହକି ଏକା‌ଡେମିକୁ ସଫଳତାର ସହ ଚଳାଉଛି। ତେବେ ଓଡ଼ିଶା ଏକାଡେମି ଆହୁରି ଉନ୍ନତ ଏବଂ ଆଧୁନିକ ଧରଣର ହେବ ବୋଲି ଟାଟା ପକ୍ଷରୁ ଦାବି କରାଯାଇଛି। ଏକାଡେମି ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ଯୋଗାଇ ଦେଇଥିଲା ବେଳେ ଟାଟା ଏହାର ବୈଷୟିକ ଏବଂ ପରିଚାଳନାଗତ ଦିଗ ଦେଖିବ। ଆସନ୍ତା ୩ ବର୍ଷ ମଧ୍ୟରେ କଂପାନି ଏଥିଲାଗି ପାଖାପାଖି ୩୦ କୋଟି ଟଙ୍କା ବ୍ୟୟ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଡେମିକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଁ ବହୁତ ଖୁସି। ଏହା ଓଡ଼ିଶା ହକିକୁ ସଫଳତାର ନୂଆ ସ୍ତରକୁ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ନିର୍ଦେଶକ ଆର୍‌ ଭିନିଲକ୍ରିଷ୍ଣା, ଟାଟା ଷ୍ଟିଲ୍‌ ସିଇଓ ଏବଂ ଏମଡି ଟିଭି ନରେନ୍ଦ୍ରନ୍, ଟାଟା ଷ୍ଟିଲ୍‌ କର୍ପୋରେଟ୍ ସେବା ଉପସଭାପତି ଚାଣକ୍ୟ ଚୌଧୁରୀ, ଟାଟା ଟ୍ରଷ୍ଟ୍‌ସର ବରିଷ୍ଠ ଉପଦେଷ୍ଟା ବୁରଜିସ୍ ତାରାପୋରବାଲା ପ୍ରମୁଖ ଉପସ୍ଥିତ ଥିଲେ।