ପୀଡ଼ିତା ନାବାଳିକା ପରିଚୟ ପ୍ରକାଶ କଲେ ଦଣ୍ଡ

ପୀଡ଼ିତା ନାବାଳିକା ପରିଚୟ ପ୍ରକାଶ କଲେ ଦଣ୍ଡ

ପୀଡ଼ିତା ନାବାଳିକା ପରିଚୟ ପ୍ରକାଶ କଲେ ଦଣ୍ଡ
ଭୁବନେଶ୍ୱର : ନାବାଳିକାମାନଙ୍କୁ ସୁରକ୍ଷା ଦେବା ପାଇଁ ଆସିଛି ପୋକ୍ସୋ ଆଇନ । ଏହି ଆଇନର ଦଫା ୨୩ ବଳରେ ଯୌନ ନିର୍ଯାତନାର ଶିକାର ହୋଇଥିବା ନାବାଳିକା ପରିଚୟ ଗୋପନ ରଖାଯିବ । ଏହି ଆଇନର ଧାରା ୪୪ ବଳରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ (ଏନସିପିସି) ଆଇନର ତର୍ଜମା /ଅନୁଧ୍ୟାନ କରୁଛନ୍ତି । କିନ୍ତୁ ଦେଖାଯାଉଛି କେତେକ କ୍ଷେତ୍ରରେ ଖୋଦ୍ ପୁଲିସ ପୀଡ଼ିତା ନାବାଳିକାର ପରିଚୟ ପ୍ରକାଶ କରୁଛି । କିଛି ଗଣମାଧ୍ୟମରେ ମଧ୍ୟ ପରିଚୟ ପ୍ରକାଶ କରାଯାଉଛି । ଯାହା ନାବାଳିକାର ଭବିଷ୍ୟତ ଜୀବନକୁ ପ୍ରଭାବିତ କରୁଛି । ଏଭଳି ଜାଣିବା ପରେ ଏନସିପିସି କଠୋର ହୋଇଛନ୍ତି । କୌଣସି ପରିସ୍ଥିତିରେ ନାବାଳିକାର ନାମ ଓ ପରିଚୟ ପ୍ରକାଶ କରାଯାଇ ପାରିବ ନାହିଁ । ଏହାକୁ ସୁନିଶ୍ଚିତ କରିବାକୁ ପୁଲିସ ଡିଜିଙ୍କୁ ଚିଠି ଲେଖା ଯାଇଛି । ନାମ ଗୋପନ ରଖିବା ପାଇଁ ପୁଲିସ ଅଧିକାରୀମାନଙ୍କୁ କି ଆଦେଶ ଦିଆଯାଇଛି କିମ୍ବା କ'ଣ ପଦକ୍ଷେପ ନିଆଯାଇଛି, ତାହା ଜାନୁଆରି ୩୦ ତାରିଖ ସୁଦ୍ଧା ଜଣାଇବାକୁ କୁହାଯାଇଛି । ଏନ୍ସିପିସି ଲେଖିଛନ୍ତି ଯେ, ପୀଡ଼ତା ନାବାଳିକାର ନାମ, ଫଟୋ, ଘର, ଥାନା, ସ୍କୁଲ, ପରିବାର ବିବରଣୀ, ପଡେ଼ାଶୀ ତଥା ଏଭଳି କିଛି ବି ଯାହାକୁ ଅନୁଧ୍ୟାନ କଲେ ନାବାଳିକାର ପରିଚୟ ଜାଣି ହୋଇଯିବ ତାହା କୌଣସି ପରିସ୍ଥିତିରେ ପ୍ରକାଶ କରାଯିବ ନାହିଁ । ଏପରିକି ଏପରି ତଥ୍ୟ କୌଣସି ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ପ୍ରକାଶ କରାଯାଇ ପାରିବ ନାହିଁ କିମ୍ବା ଏହାକୁ ନେଇ କୌଣସି ମତମନ୍ତବ୍ୟ ଦିଆଯାଇ ପାରିବ ନାହିଁ । ଏହାର ଉଲ୍ଲଂଘନ ହେଲେ ସେଥିପାଇଁ ସମ୍ପୃକ୍ତ ସଂସ୍ଥା ବା ବ୍ୟକ୍ତି ଦାୟୀ ରହିବେ । ତେବେ ଯଦି ଏହାକୁ ବିଚାର କରୁଥିବା କୋର୍ଟ ଅନୁଭବ କରିବେ ଯେ ପରିଚୟ ପ୍ରକାଶିତ ହେଲେ ସମ୍ପୃକ୍ତ ନାବାଳିକାର ସ୍ୱାର୍ଥ ସାଧନ ହୋଇପାରିବ, ତେବେ ଯାଇ କୋର୍ଟଙ୍କ ଆଦେଶ ବଳରେ ହିଁ ତାହା ପ୍ରକାଶଯୋଗ୍ୟ ହେବ । ନିଷେଧାଦେଶ ସତ୍ତ୍ୱେ ଏଭଳି ତଥ୍ୟ ଯଦି କୌଣସି ଗଣମାଧ୍ୟମରେ ପ୍ରକାଶ ପାଏ, ତେବେ ସମ୍ପୃକ୍ତ ଗଣମାଧ୍ୟମର ମାଲିକ ଓ ପ୍ରକାଶକ ଦାୟୀ ରହିବେ । ଏଥିପାଇଁ ୬ ମାସରୁ ଏକ ବର୍ଷ ଜେଲ୍ ଯାଇପାରନ୍ତି । ରିପୋର୍ଟ ଲେଖିଥିବା ବା ପ୍ରସ୍ତୁତ କରିଥିବା ସାମ୍ବାଦିକ ଓ ଫଟୋଗ୍ରାଫରର ଚାକିରି ଯିବ । ପୁଲିସ ନାବାଳିକାର ପ୍ରକାଶ କରିଥିବା ପ୍ରମାଣ ମିଳିଲେ ଅଧିକାରୀ ବି ଦଣ୍ଡିତ ହେବେ । ଏହାକୁ ଗୁରୁତ୍ୱର ସହ ନେଇ ପୁଲିସ ଡିଜି ରିପୋର୍ଟ ଉପସ୍ଥାପନ କରିବା ପାଇଁ ଆଦେଶ ହୋଇଛି । ଯଦି ପୂର୍ବରୁ ଏହାକୁ ନେଇ ନିଦେ୍ର୍ଧଶନାମା ଜାରି ହୋଇ ନାହିଁ, ତେବେ ଏବେ ସମସ୍ତଙ୍କୁ ନିଦେ୍ର୍ଧଶ ଦିଆଯିବା ଉଚିତ । କୌଣସିଠାରେ ଯଦି ଏସବୁର ଉଲ୍ଲଂଘନ ହେଉଥିବ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ରିପୋର୍ଟ ଦାଖଲ କରନ୍ତୁ ବୋଲି ଚିଠିରେ ଉଲ୍ଲେଖ ରହିଛି ।