ଫଡ଼ନାବିସଙ୍କ ବୟାନକୁ ନେଇ ବିବାଦ
ଫଡ଼ନାବିସଙ୍କ ବୟାନକୁ ନେଇ ବିବାଦ
admin
Dec 2, 2019 - 06:46
Updated: Dec 2, 2019 - 06:46
ମୁମ୍ବାଇ : ବିରୋଧୀ ଦଳ ନେତା ହେବା ପରେ ଫଡ଼ନାବିସ୍ ଦେଇଥିବା ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତି ପୁଣି ସରଗରମ ହୋଇଉଠିଛି । ଫଡ଼ନାବିସ୍ କହିଛନ୍ତି, ନିର୍ବାଚନରେ ବିଜେପି ବୃହତ ଦଳ ଭାବେ ଉଭା ହୋଇଥିଲା । ଅକ୍ଟୋବର ୨୧ ରେ ହୋଇଥିବା ନିର୍ବାଚନରେ ଆମର ଷ୍ଟ୍ରାଇକ ହାର ୭୦% ଥିଲା । କିନ୍ତୁ ନିର୍ବାଚନରେ ୪୦% ମାର୍କ ହାସଲ କରିଥିବା ଦଳ ସରକାର ଗଠନ କଲା । ଯୋଗ୍ୟତା ଉପରେ ଗଣତି ବିଜୟୀ ହେଲା । ଗଣତନ୍ତ୍ରର ଏକ ଅଂଶ ଭାବେ ଆମେ ଏହାକୁ ଗ୍ରହଣ କରୁଛୁ ।
ଟ୍ୱିଟ୍ କରି ଫଡ଼ନାବିସ୍ ମହାବିକାଶ ଅଘୋଡ଼ା ମହାମେଣ୍ଟକୁ ଚାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି, ମୁଁ ଆଉଥରେ ଫେରିବି ବୋଲି କହିଥିଲି । କିନ୍ତୁ କେବେ ସୁଦ୍ଧା ଫେରିବି ତାହା କହିବାକୁ ଭୁଲିଯାଇଥିଲି । କିନ୍ତୁ ମୁଁ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ମୁଁ ନିଶ୍ଚିତ ଫେରିବି । ଏଥିପାଇଁ ଆପଣମାନଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ । ବିଗତ ୫ ବର୍ଷରେ ମୁଁ ଅନେକ ପ୍ରକଳ୍ପ ଘୋଷଣା କରିଥିଲି । ଅନେକ ପ୍ରକଳ୍ପରେ କାମ କରିବା ଆରମ୍ଭ କରିଦେଇଥିଲି । ସେଗୁଡ଼ିକ ଉଦଘାଟନ କରିବା ଲାଗି ମୁଁ ପୁଣି ଫେରିପାରେ । ଏହା ହୁଏତ କେହି ଜାଣିନଥିବେ ବୋଲି ଫଡ଼ନାବିସ୍ କହିଛନ୍ତି ।
ଫଡ଼ନାବିସ୍ ଏହି ଟପ୍ପଣୀ ଉପରେ ପ୍ରତିକି୍ରୟା ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ମୁଁ ତାଙ୍କୁ ମୋର ଜଣେ ବନ୍ଧୁ ହିସାବରେ ଦେଖେ । ମୁଁ ତାଙ୍କୁ ବିରୋଧୀ ଦଳ ନେତା ଭାବେ ବିବେଚନା କରୁନାହିଁ । ତାଙ୍କର ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ । ମୁଁ ଫେରିବି ବୋଲି କଦାପି କଦାପି କହିନାହିଁ । କିନ୍ତୁ ଗୃହ ମଧ୍ୟକୁ ମୁଁ ଆସିଲି । ମହାରାଷ୍ଟ୍ର ଜନତାଙ୍କୁ କହି ରଖିବାକୁ ଚାହେଁ ଯେ ମୁଁ ରାତାରାତି କିଛି କରିପାରିବି ନାହିଁ । ମୁଁ ଲୋକମାନଙ୍କ ପାଇଁ ଅହର୍ନିଶୀ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ।
ଶିବସେନା ନେତା ସଞ୍ଜୟ ରାଉତ ଦଳୀୟ ମୁଖପତ୍ର ଲେଖିଛନ୍ତି ଯେ, ଆବଶ୍ୟକତାଠାରୁ ଅଧିକ ଆତ୍ମ ବିଶ୍ୱାସ ଏବଂ ଦିଲ୍ଲୀ ଉପରେ ସବୁବେଳେ ନିର୍ଭର କରିବା କାରଣରୁ ଫଡ଼ନାବିସଙ୍କ ରାଜନୀତି ଶେଷ ହୋଇଛି । ପିଲାଳିଆ ମନ୍ତବ୍ୟ ଦେବା ଯୋଗୁଁ ଫଡ଼ନାବିସ୍ ଆଜି ବିରୋଧୀ ନେତା ବନିଛନ୍ତି । ବିଧାନସଭା ନିର୍ବାଚନ ବେଳେ ସେ କହିଥିଲେ, ରାଜ୍ୟରେ କୌଣସି ବିରୋଧୀ ଦଳ ନେତା ରହିବେ ନାହିଁ । ଶରଦ ପାୱାରଙ୍କ ସମୟ ସରିଆସୁଥିବା ମଧ୍ୟ ଫଡ଼ନାବିସ୍ କହିଥିଲେ । କିନ୍ତୁ ତାଙ୍କ କଥା ଭୁଲ ପ୍ରମାଣିତ ହୋଇଛି ଏବଂ ସେ ବିରୋଧୀ ଦଳ ନେତା ଆସନରେ ବସିଛନ୍ତି ।