ଫୋକସରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ

ଫୋକସରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ

ଫୋକସରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ
ଢେଙ୍କାନାଳ: ଢେଙ୍କାନାଳ ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ଜନସାଧାରଣ ନୂଆମୁହଁ ଖୋଜୁଥିବା ବେଳେ ରାଜ୍ୟ ସରକାର ମଧ୍ୟ ଯୁବଗୋଷ୍ଠୀକୁ ପ୍ରାଧାନ୍ୟ ଦେବା ପାଇଁ ଭିତିରିଆ ରଣନୀତି ପ୍ରସ୍ତୁତ କରିଛନ୍ତି ।ଲଗାତର ୩ ଥର ନିର୍ବାଚିତ ହୋଇଥିବା ସାଂସଦ ତଥାଗତ ସତପଥୀ ଚଳିତ ଥର ରାଜନୀତିରୁ ସନ୍ନ୍ୟାସ ନେଉଥିବା ଘୋଷଣା କରିଛନ୍ତି । ତାଙ୍କ ପରେ ଏହି ଆସନ ପାଇଁ କିଏ ଉଚିତ ପ୍ରାର୍ଥୀ, ସେଥିପାଇଁ ରାଜନୈତିକ ନେତୃବୃନ୍ଦଙ୍କ ମଧ୍ୟରେ ଅଙ୍କକଷା ଚାଲିଛି । ତିନି ପ୍ରମୁଖ ଦଳ ବିଜେଡି କଂଗ୍ରେସ ଓ ବିଜେପିରେ ପ୍ରାର୍ଥୀ ଚୟନ ପ୍ରକିୟା ଆରମ୍ଭ କରିଛନ୍ତି । ସାଂସଦ ତଥାଗତ ସତପଥୀ ରାଜନୈତିକ ଜୀବନରୁ ଅବସର ନେଉଥିବା ଘୋଷଣା କରିବା ରାଜ୍ୟ ରାଜନୀତି ଏବଂ ଜିଲ୍ଲାସ୍ତରରେ ବ୍ୟାପକ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ତାଙ୍କ ପରେ କିଏ ଏହି ପଦବି ହାତେଇବେ ସେଥିପାଇଁ ଜନସାଧାରଣ ଏବଂ ସମୀକ୍ଷକମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ସାଂସଦ ପାଇଁ ବିଜେଡି ପକ୍ଷରୁ ଦଳର ରାଜ୍ୟ ସଂପାଦକ ତଥା ପୂର୍ବତନ ବିଧାୟକ ସୁଧୀର କୁମାର ସାମଲଙ୍କ ନାମ ଆଶାୟୀଙ୍କ ତାଲିକାରେ ସର୍ବାଗ୍ରେ ରହିଛି । ସେ କଂଗ୍ରେସର ଜିଲ୍ଲା ସଭାପତି ଥିବାବେଳେ କର୍ମୀମାନଙ୍କୁ ସଂଗଠିତ କରି ରଖିଥିଲେ ।୨୦୧୪ ମସିହା ନିର୍ବାଚନରେ ସେ ସାଂସଦ ପଦବି ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇ ୨ ଲକ୍ଷ ୧୩ ହଜାର ୨୪୦ଟି ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ସେତେବେଳେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଂଚଳକୁ ସେ କଂଗ୍ରେସ ଗଡରେ ପରିଣତ କରିଥିଲେ । ୨୦୧୭ ମସିହାରେ ସୁଧୀର କଂଗ୍ରେସ ଛାଡି ବିଜେଡିରେ ମିଶିବା ପରେ ବହୁ ସଂଖ୍ୟାରେ କର୍ମର ଓ ସମର୍ଥକ ତାଙ୍କ ସହ ବିଜେଡିରେ ସାମିଲ୍ ହୋଇଥିଲେ ।ଏଥିସହ ବିଜେଡି ପକ୍ଷରୁ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ,ଇସ୍ପାତ ଓ ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସାଂସଦ ଟିକେଟ ଆଶା ରଖିଥିବା ଚର୍ଚ୍ଚା ହୋଇଛି । ରାଜ୍ୟ ସରକାରଙ୍କର ଟାଣୁଆ ମନ୍ତ୍ରୀ ଭାବେ ସେ ନିଜକୁ ପରିଚିତ କରାଇଥିବା ବେଳେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ମଧ୍ୟ ସଂଗଠନ ସୁଦୃଢ କରିଛନ୍ତି । ସେହିପରି ପର୍ଜଙ୍ଗ ବିଧାୟକ ତଥା ରାଜ୍ୟ ବାଣିଜ୍ୟ, ପରିବହନ ମନ୍ତ୍ରୀ ଡା. ନୃସିଂହ ସାହୁ ମଧ୍ୟ ସାଂସଦ ଟିକେଟ ପାଇଁ ଉପରେ ମହଲରେ ଲବି କରୁଥିବା ତାଙ୍କ ନିକଟତର କର୍ମୀ ମହଲରୁ ଜଣାପଡିଛି । ୨୦୧୪ ବିଧାନସଭା ନିର୍ବାଚନରେ ପର୍ଜଙ୍ଗ ବିଧାନସଭା ମଣ୍ଡଳୀରୁ ୬୦ ହଜାରୁ ଅଧିକ ଭୋଟ ପାଇଁ ବିଧାୟକ ହୋଇ ପରବର୍ତୀ କାଳରେ ରାଜ୍ୟସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ଏହି ପଦବି ପାଇଁ ଆଶା ବାନ୍ଧିଛନ୍ତି କାମାକ୍ଷାନଗର ନିକଟ ମାର୍ଥାପୁର ଅଂଚଳର ସତ୍ୟଜିତ୍ ମିଶ୍ର(୪୦) । ସେ ୧୮ ବର୍ଷ ଧରି ସାମ୍ବାଦିକତା କରିଥିଲେ । ମୁଖ୍ୟମନ୍ତ୍ରୀ ଆସ୍ଥାଭାଜନ ହୋଇ ସେ ୨୦୧୭ ମାର୍ଚ୍ଚ ୩୧ ତାରିଖରେ ବିଜେଡିରେ ସାମିଲ ହୋଇଛନ୍ତି । ମିଡିଆରେ ସେ ସରକାରଙ୍କ ସମସ୍ତ ପ୍ରଚାର ସଫଳତାର ସହ କରିଛନ୍ତି । ମିଡିଆରେ ସେ ସରକାରଙ୍କ ସମସ୍ତ ପ୍ରଚାର ସଫଳତାର ସହ କରିଛନ୍ତି । ସେ ବର୍ତମାନ ବିଜେଡିର ରାଜ୍ୟ ପ୍ରବକ୍ତା ଭାବେ କାର୍ଯ୍ୟକରୁଛନ୍ତି । ସରକାର ଯୁବକମାନଙ୍କୁ ଅଗ୍ରାଧିକାର ଦେଉଥିବାରୁ ସାଂସଦ ପଦବି ପାଇଁ ସେ ଆଶାୟୀ ଅଛନ୍ତି । ସର୍ବପୁରାତନ ଦଳ କଂଗ୍ରେସରୁ ସାଂସଦ ପ୍ରାର୍ଥୀ ରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବ୍ରିଗେଡିୟର ରାଜା କାମାକ୍ଷା ପ୍ରସାଦ ସିଂହଦେଓଙ୍କ ନାମ ଏଆଇସିସିସଇସିକୁ ଯାଇଛି । ସେ ୧୦ ବର୍ଷରୁ ଅଧିକ ସମୟ ରାଜନୀତି ଠାରୁ ଦୂରେଇ ରହିବା ପରେ ଚଳିତ ଥର ପୁଣି ଥରେ ନିର୍ବାଚନ ମୈଦାନଙ୍କୁ ଓହ୍ଳାଇଛନ୍ତି । ବ୍ରିଗେଡିୟର ଶ୍ରୀ ସିଂହଦେଓ ଜାତୀୟ କଂଗ୍ରେସରୁ ୫ ଥର ଓ ସ୍ୱତନ୍ତ୍ର ପାର୍ଟିରୁ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । କେନ୍ଦ୍ର ସରକାରଙ୍କର ପ୍ରତିରକ୍ଷା, ସୂଚନା ଓ ପ୍ରସାରଣ ଖାଦ୍ୟ ପ୍ରକ୍ରିୟାକରଣ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ପଦରେ ରହି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ଶ୍ରୀ ସିଂହଦେଓ ଶେଷଥର ଗତ ୨୦୦୦ ମସିହା ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେତେବେଳେ ବିଜେପିର ବାଜପେୟୀଙ୍କ ହାୱା ବୋହୁଥିବା ବେଳେ ବିଜେପି ଓ ବିଜେଡି ମେଂଟ ଥିଲା ଏବଂ ମେଂଟ ପ୍ରାର୍ଥୀ ତଥାଗତଙ୍କୁ ହରାଇ ଶ୍ରୀ ସିଂହଦେଓ ପ୍ରାୟ ୩ ହଜାର ଭୋଟରେ ବିଜୟ ହାସଲ କରିଥିଲେ । ତେବେ ୨୦୦୪ ମସିହାରେ ବିଜେପି ବିଜେଡି ମେଂଟ ପକ୍ଷରୁ ତଥାଗତ ଶତପଥୀ ପୁନର୍ବାର ପ୍ରାର୍ଥୀ ହୋଇ ଲକ୍ଷାଧିକ ଭୋଟରେ କେ.ପି ଙ୍କୁ ଧରାଶାୟୀ କରିଥିଲେ । ଏହାପରେ ଶ୍ରୀ ସିଂହଦେଓ ରାଜନୀତିରୁ ନିଜକୁ ଦୂରେଇ ରଖିଥିବା ବେଳେ ବର୍ତମାନ କଂଗ୍ରେସର ପକ୍ଷରୁ ଟିକେଟ ଦୌଡରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ । ସେ ଦଳର ଜଣେ ବରିଷ୍ଠ କର୍ମୀ ହୋଇଥିବାବେଳେ ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରି ଟିକେଟ୍ ମିଳିଲେ ସାଂସଦ ପଦପାଇଁ ଲଢିବେ ବୋଲି ତାଙ୍କ ପାଖ କର୍ମୀମହଲରୁ ସୂଚନା ମିଳିଛି । ସେହିପରି କଂଗ୍ରେସ ପକ୍ଷରୁ ରାମଚନ୍ଦ୍ର ଖୁଂଟିଆ ଏବଂ କାମାକ୍ଷାନଗରର ଶାନ୍ତନୁ କୁମାର ସାହୁଙ୍କ ନାମ ମଧ୍ୟ ହାଇକମାଣ୍ଡଙ୍କ ପାଖକୁ ପଠାଯାଇଥିବା ଚର୍ଚ୍ଚା ହୋଇଛି । ବିଜେପି ପକ୍ଷରୁ ପ୍ରାର୍ଥୀ ହେବାକୁ ପୂର୍ବତନ ରାଜସଭ୍ୟ ସାଂସଦ ରୂଦ୍ରନାରାୟଣ ପାଣି ଟିକେଟ ପାଇଁ ଟିକେଟ ପାଇଁ ଆଶାୟୀ ଅଛନ୍ତି । ୧୯୯୦ରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ଲୋକସଭା ଆସନ ପାଇଁ ସେ ବିଜେପିରୁ ଏକାଧିକ ଥର ପ୍ରାର୍ଥୀ ହୋଇ ଅସଫଳ ହୋଇଛନ୍ତି । ୧୯୯୯ ମସିହାରେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇ ମଧ୍ୟ ଲୋକସଭା ଆସନ ପାଇପାରିନଥିଲେ । ତେବେ ୨୦୦୪ ମସିହା ପରେ ଶ୍ରୀ ପାଣି ବିଜେପିରୁ ରାଜ୍ୟସଭା ସାଂସଦ ହୋଇଥିବା ବେଳେ ୨୦୦୬ ରୁ ୧୦୧୨ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟସଭା ସାଂସଦ ଭାବେ ନିଜର ସ୍ଥିତିକୁ ସୁଦୃଢ କରିଛନ୍ତି । ସେ ୨୦୧୪ ନିର୍ବାଚନରେ ୩ ଲକ୍ଷ ୧୫ ହଜାର ୯୩୫ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେହିପରି ବିଜେପି ପକ୍ଷରୁ ଅନ୍ୟ ଜଣେ ଆଶାୟୀ ହେଉଛନ୍ତି ଢେଙ୍କାନାଳ ରାଜପରିବାରର ବୋହୂ ତଥା ଯୁବଶିଳ୍ପୋଦ୍ୟୋଗୀ ରାଜୀବ ଲୋଚନ ସିଂହଦେଓ । ସେ ଜଣେ ଗୃହିଣୀ ତଥା କୃଷିଜୀବୀ ମହିଳା । ଗତ ୨ ବର୍ଷ ହେଲା ସେ ବିଜେପିରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସାଂସଦ ଭାବେ ଲଢିବାକୁ ପ୍ରଚାର କରିବା ସହ ବିଭିନ୍ନ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି ।