ବିଜେଡ଼ି ପାଇଁ ସଂଗଠନ କରୁଛନ୍ତି ଦାମ !

ବିଜେଡ଼ି ପାଇଁ ସଂଗଠନ କରୁଛନ୍ତି ଦାମ !

ବିଜେଡ଼ି ପାଇଁ ସଂଗଠନ କରୁଛନ୍ତି ଦାମ !
ଭୁବନେଶ୍ୱର : ଡାକ୍ତର ଦାମୋଦର ରାଉତ ଏବେ କେଉଁ ଦଳରେ ? ପାରାଦୀପ ରାଜନୀତି ଅଳିନ୍ଦରେ ଏବେ ସେଇ ପ୍ରଶ୍ନ ଘୂରିବୁଲୁଛି । ଉପରକୁ ଦାମ ବରିଷ୍ଠ ବିଜେପି ନେତା କହୁଥିଲେ ମଧ୍ୟ ପାରାଦୀପ ବିଜେଡ଼ି ରାଜନୀତିକୁ ଏବେ ସେ ନିୟନ୍ତ୍ରଣ କରୁଥିବା ଚର୍ଚ୍ଚା ହେଉଛି । ଗାଏମୋଟ କହିଲେ ବିଜେପି ନୁହେଁ ବରଂ ବିଜେଡ଼ି ରାଜନୀତି ଉପରେ ସେ ଦୃଷ୍ଟିନିବଦ୍ଧ କରୁଥିବା ଦେଖିବାକୁ ମିଳୁଛି । ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦାମ ରାଉତ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଗତ ନିର୍ବାଚନରେ ସେ ବାଲିକୁଦା ଏରସମାରୁ ଲଢ଼ି ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି । କଥାକଥାକେ ବିଜେପିର ଓକିଲାତି କରୁଥିବାବେଳେ ବିଜେଡ଼ିକୁ ସମାଲୋଚନା କରିବାର ସୁଯୋଗ ବି ହାତଛଡ଼ା କରୁନାହାନ୍ତି । ତେବେ ଏସବୁ ଯେ, ଏକ ନାଟକ ବୋଲି ପାରାଦୀପ ରାଜନୀତିକୁ ନିକଟରୁ ଅନୁଶୀଳନ କରୁଥିବା ରାଜନୀତିକ ପର୍ଯ୍ୟବେକ୍ଷକମାନେ ମତବ୍ୟକ୍ତ କରନ୍ତି । ଦାମ ଓ ତାଙ୍କ ପୁଅ ସମ୍ବିତ ରାଉତରାୟ ଏବେ ଭିନ୍ନଭିନ୍ନ ଦଳରେ ରହିଛନ୍ତି । ଦାମ ବିଜେପିରେ ମିଶିବା ପରେ ସମ୍ବିତ ନିଜର ଟିମ ଗଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସାମ୍ପ୍ରତିକ ରାଜନୀତିକ ପରିସ୍ଥିତିକୁ ଅନୁଶୀଳନ କଲେ ସମ୍ବିତ ବିଧାୟକ ହୋଇଥିଲେବି ବିଜେଡ଼ି ରାଜନୀତିରେ ଦାମଙ୍କ ବେଶ ଦଖଲ ରହୁଥିବା ପରିଲକ୍ଷିତ ହୋଇଛି । ଅବଶ୍ୟ ଗତ ନିର୍ବାଚନରେ ଦାମ ନିଜ ପୁଅକୁ ବିଜୟୀ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । ଏମିତିକି ସେ ବାଲିକୁଦାରୁ ଲଢ଼ୁଥିଲେ ବି ପୁଅକୁ ବିଜୟୀ କରିବା ନିମନ୍ତେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ । ଯେଉଁଥିପାଇଁ ସେ ତୃତୀୟ ସ୍ଥାନରେ ରହିଥିଲେ ବୋଲି କୁହାଯାଉଛି । ନିକଟରେ ଡାକ୍ତର ରାଉତ କୁଜଙ୍ଗ ପଂଚାୟତ ସମିତି ବୈଠକ ପୂର୍ବରୁ ବ୍ଲକ ଅଧ୍ୟକ୍ଷ, ବିଡିଓ ଓ ତହସିଲଦାରଙ୍କ ସହ ରୁଦ୍ଧ ଦ୍ୱାର ବୈଠକ କରିଥିଲେ । ଯାହାକୁ ନେଇ ପାରାଦୀପ ରାଜନୀତିରେ ବେଶ ଚର୍ଚ୍ଚା ହୋଇଥିଲା । ସମ୍ପ୍ରତି ପାରାଦୀପ ପୌରପାଳିକା ଓ କୁଜଙ୍ଗରେ ବିଧାୟକ ସମ୍ବିତଙ୍କ ପ୍ରତିନିଧି ଭାବେ ତାଙ୍କ ଅନୁଗତମାନଙ୍କୁ ଥଇଥାନ ଏହି ଚର୍ଚ୍ଚାକୁ ସ୍ୱାଭାବିକ ଭାବେ ଅଧିକ ଖୋରାକ ଯୋଗାଇଛି । କୁଜଙ୍ଗ ପାଇଁ ପୂର୍ବତନ ବ୍ଲକ ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କୁ ସମ୍ବିତ ତାଙ୍କ ପ୍ରତିନିଧି ଭାବେ ଚୟନ କରିଛନ୍ତି । ଚିତ୍ତରଞ୍ଜନ ପ୍ରଥମରୁ ହିଁ ଦାମଙ୍କ ସହ ରହି ଆସିଛନ୍ତି । ଏମିତିକି ବିଜେଡିରୁ ଦାମଙ୍କୁ ନିଲମ୍ବନ କରାଯିବା ପରେ ମଧ୍ୟ ସେ ତାଙ୍କୁ ଛାଡି ନଥିଲେ । ଏହି ସମୟରେ ପାରାଦୀପ ରାଜନୀତିରେ ପତିଆରା ଦେଖାଇଥିବା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଇଙ୍ଗିତରେ ସେତେବେଳେ କୁଜଙ୍ଗ ବ୍ଲକ ସଭାପତି ଥିବା ଚିତ୍ତରଞ୍ଜନଙ୍କୁ ପରିବର୍ତ୍ତନ କରି ନରେନ୍ଦ୍ର ପରିଡାଙ୍କୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ସମ୍ବିତ ବିଧାୟକ ହେବା ପରେ ଚିତ୍ତରଞ୍ଜନଙ୍କୁ ତାଙ୍କର ପ୍ରତିନିଧି ଭାବେ ବାଛିଛନ୍ତି । ଦାମଙ୍କ ସୁପାରିଶରେ ଚିତ୍ତରଞ୍ଜନ ପଦ ଫେରି ପାଇଥିବା କୁହାଯାଉଛି । ସେହିପରି ପାରାଦୀପ ପୌରପାଳିକା ପ୍ରତିନିଧି ଭାବେ ରଶ୍ମିରଞ୍ଜନ ପରିଡାଙ୍କୁ ସମ୍ବିତ ନିଯୁକ୍ତି ଦେଇଛନ୍ତି । ରଶ୍ମିରଞ୍ଜନଙ୍କ ବାପା କିଶୋର କୁମାର ପରିଡ଼ା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଥିଲେ । ଦାମଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଖୁବ ନିବିଡ । ଦଳରୁ ବିଦା ହେବା ପରେ ଦାମ ଯେତେବେଳେ ପାରାଦୀପରେ ଅଛୁଆଁ ହୋଇ ପଡିଥିଲେ ସେତେବେଳେ କିଶୋର ହିଁ ତାଙ୍କ ସହ ଥିଲେ । ଫଳରେ ଦାମ ବିଜେଡ଼ିରୁ ବହିଷ୍କାର ହେବା ପରେ ଯେଉଁ ନେତାମାନେ ପତିଆରା ଜାହିର କରିବେ ବୋଲି ଭାବିଥିଲେ ସେମାନେ ଏବେ ନିରାଶ ହୋଇଛନ୍ତି । ପୂର୍ବଭଳି ଦାମଙ୍କ ଅନୁଗତମାନଙ୍କୁ ସମ୍ବିତ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଛି । ଅର୍ଥାତ ଦାମଙ୍କ ଇଙ୍ଗିତରେ ହିଁ ପାରାଦୀପ ବିଜେଡ଼ି ପରିଚାଳିତ ହେଉଥିବା କୁହାଯାଇପାରେ । ଯାହାକୁ ନେଇ କେତେକ ବିଜେଡ଼ି ନେତା ଅସନ୍ତୁଷ୍ଟ ହୋଇ ପଡ଼ିଥିବାବେଳେ ଆଗକୁ ପାରାଦୀପ ରାଜନୀତି ନୂଆମୋଡ଼ ନେବବୋଲି ଚର୍ଚ୍ଚା ହେଉଛି ।