ଭିଡିଓ କଲିଂରେ ହେଲା ନାତିର ଏକୋଇଶିଆ

ଭିଡିଓ କଲିଂରେ ହେଲା ନାତିର ଏକୋଇଶିଆ

ଭିଡିଓ କଲିଂରେ ହେଲା ନାତିର ଏକୋଇଶିଆ
ରାମଚନ୍ଦ୍ରପୁର: କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକଡାଉନ ଘୋଷଣା ହୋଇଥିବାରୁ ନବଜାତ ଶିଶୁପୁତ୍ରକୁ ନେଇ ଭୁବନେଶ୍ୱରରୁ ଘରକୁ ଫେରି ପାରିଲେନି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅଳତି ଗ୍ରାମର ଦମ୍ପତି । ଜେଜେବାପା, ଜେଜେମାଙ୍କ ଜିଦ ପରେ ଶେଷରେ ଭିଡିଓ କଲିଂ ଜରିଆରେ ହେଲା ନାତିର ଏକୋଇଶିଆ ଓ ନାମକରଣ । ଜେଜେବାପା ନିଜ ଘରେ ଗାୟତ୍ରୀ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ସାଙ୍ଗକୁ ନାତିର ନାମକରଣ କଲେ । ଭିଡିଓ କଲିଂରେ ଏହାକୁ ଦେଖିଲେ ପୁଅବୋହୂ । ଅଳତି ଗ୍ରାମର ଗୋପାଳ ଚନ୍ଦ୍ର ଓଝା ଓ ବାସନ୍ତୀ ଓଝାଙ୍କ ପୁଅ ମନୋଜ ଭୁବନେଶ୍ୱରରେ ଟ୍ୟାକ୍ସ କନସଲଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ସେଠାରେ ସେ ପତ୍ନୀ ଲକ୍ଷ୍ମୀଙ୍କ ସହ ରହୁଥିଲେ । ଏପ୍ରିଲ ୩ ତାରିଖରେ ଲକ୍ଷ୍ମୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପ୍ରଥମ କରି ନାତି ହୋଇଥିବାରୁ ଏକୋଇଶିଆ ପାଇଁ ତୁରନ୍ତ ଗାଁକୁ ଆସିବାକୁ ଜେଜେବାପା, ଜେଜେ ମା ଜିଦ ଧରିଥିଲେ । ବାପାମାଙ୍କ ଜିଦ ଦେଖି ମନୋଜ ଗାଁ ସରପଞ୍ଚଙ୍କ ସହ ଯୋଗାଯୋଗ କଲେ । କିନ୍ତୁ ସେ ଗାଁକୁ ଆସିବାକୁ ମନା କରିଥିଲେ । ଯଦି ଗାଁକୁ ଆସିବ ସଙ୍ଗରୋଧରେ ରହିବ ବୋଲି ଆସିନଥିଲେ ମଧ୍ୟ ଜେଜେବାପା ଘରେ ପୂଜାର୍ଚ୍ଚନା ଆୟୋଜନ କଲେ । ମୋବାଇଲରେ ପୁଅ ପଠାଇଥିବା ନାତିର ଫଟୋ ରଖି ପୂଚାର୍ଚ୍ଚନା ଓ ନାମକରଣ କରାଗଲା । ଭୁବନେଶ୍ୱରରେ ବସି ଏସବୁ ଦୃଶ୍ୟକୁ ଭିଡିଓ କଲିଂରେ ଦେଖିଥିଲେ ମନୋଜ ଓ ଲକ୍ଷ୍ମୀ ।