ରବିବାର ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଭାରତ, ପରିବର୍ତ୍ତନ ହୋଇ ନପାରେ ଚୂଡ଼ାନ୍ତ ଏକାଦଶ !
ରବିବାର ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଭାରତ, ପରିବର୍ତ୍ତନ ହୋଇ ନପାରେ ଚୂଡ଼ାନ୍ତ ଏକାଦଶ !
ଦୁବାଇ: ପାକିସ୍ତାନ ବିରୋଧରେ ପରାସ୍ତ ହୋଇଥିବା ଭାରତ ଚଳିତ ଟି-୨୦ ବିଶ୍ୱକପର ଦ୍ବିତୀୟ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡକୁ ଭେଟୁଛି। ଉଭୟ ଦଳ ପାକିସ୍ତାନଠାରୁ ହାରି ସାରିଛନ୍ତି। ଏବେ ରବିବାରେ ଉଭୟ ପରସ୍ପରକୁ ଭେଟିବେ। କ୍ରିକେଟ ବିଶେଷଜ୍ଞ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରାଯିବା ସପକ୍ଷରେ ମତ ଦେଇଛନ୍ତି। ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାରଙ୍କ ବଦଳରେ ଇଶାନ କିଶନ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ଅନେକ ମତ ଦେଇଛନ୍ତି। ତେବେ ଏସବୁ ଭିତରେ ଟିମ୍ ଇଣ୍ଡିଆର ପ୍ଲେଇଂ ଲଲେଭେନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ୍ ହାରିଲେ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ ଭାଙ୍ଗି ଯିବ। ତେଣୁ ଏହି ମ୍ୟାଚ୍କୁ ଯେମିତି ହେଲେ ବି ଭାରତକୁ ଜିତିବାକୁ ପଡ଼ିବ। ମିଳିଥିବା ରିପୋର୍ଟ ଅନୁସାରେ, ଟିମ୍ ମ୍ୟାନେଜମେଣ୍ଟ ଗୋଟିଏ ମ୍ୟାଚ୍ର ପ୍ରଦର୍ଶନ ଆଧାରରେ ଚୂଡ଼ାନ୍ତ ଏକାଦଶରେ ଥିବା ଖେଳାଳିଙ୍କୁ ବଦଳାଇବା ମୁଡରେ ନାହିଁ। ପାକିସ୍ତାନ ବିପକ୍ଷରେ ଯେଉଁମାନେ ଖେଳୁଥିଲେ ସେହି ଖେଳାଳିଙ୍କୁ ନେଇ ଭାରତ ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ରେ ମୈଦାନକୁ ଓହ୍ଲାଇବ।
କିନ୍ତୁ ଯଦି କେହି ଆହତ ହୋଇଛନ୍ତି, ତା’ହେଲେ ଟିମ ମ୍ୟାନେଜମେଣ୍ଟ ଚୂଡ଼ାନ୍ତ ଏକାଦଶରେ ବାଧ୍ୟ ହୋଇ ପରିବର୍ତ୍ତନ କରିବ। ଏହାବାଦ କୌଣସି ପରିବର୍ତ୍ତନ ହେବନାହିଁ ବୋଲି କୁହାଯାଉଛି। ପାକିସ୍ତାନ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। କିନ୍ତୁ ଦୁଇ ଦିନ ହେଲା ସେ ନେଟ୍ସରେ ଅଭ୍ୟାସ କରୁଛନ୍ତି। ଏପରି କି ସେ ବୋଲିଂ ମଧ୍ୟ କରୁଥିବା ଦେଖିବାକୁ ମିଳିଛି। ତେଣୁ ତାଙ୍କ ବଦଳ ଖେଳାଳି ଭାବେ ଶାର୍ଦ୍ଦୁଲ ଠାକୁରଙ୍କ ନାଁକୁ ଟିମ୍ ମ୍ୟାନେଜମେଣ୍ଟ ବିଚାରକୁ ନେଇନାହିଁ। ଏବେ ବି ପାଣ୍ଡ୍ୟାଙ୍କ ଉପରେ ଅଧିନାୟକ ବିରାଟ କୋହଲି ଭରସା ରଖିଛନ୍ତି।
ପାକିସ୍ତାନ ବିପକ୍ଷରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ପ୍ରଭାବହୀନ ବୋଲିଂ କରିଥିଲେ। ତାଙ୍କ ବଦଳରେ ଅଭିଜ୍ଞ ଅଶ୍ୱିନଙ୍କୁ ସ୍ଥାନ ଦେବାକୁ ଅନେକ ମତ ଦେଇଥିଲେ। ହେଲେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଉ ଗୋଟିଏ ସୁଯୋଗ ଦେବାକୁ ଦଳ ଲକ୍ଷ୍ୟ ରଖିଛି। ଭୁବନେଶ୍ୱର କୁମାରଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା।
ହେଲେ ବଡ଼ ମ୍ୟାଚ୍ ଖେଳିବାର ଅଭିଜ୍ଞତା ତାଙ୍କର ରହିଛି। ତେଣୁ ତାଙ୍କୁ ନ୍ୟୁଜିଲ୍ୟାଣ୍ତ ବିପକ୍ଷ ମ୍ୟାଚରେ ପୁଣି ସୁଯୋଗ ମିଳିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।